ବ୍ରହ୍ମପୁର : ରେଶମ ସହର ବ୍ରହ୍ମପୁରରେ ବିଶେଷ ଉତ୍ସାହ ମଧ୍ୟରେ ‘ସିଲ୍କ ସିଟି ମହୋତ୍ସବ’ର ଶୁଭାରମ୍ଭ ହୋଇଛି । ଖଲ୍ଲିକୋଟ ଷ୍ଟାଡିୟମ ପ୍ରାଙ୍ଗଣରେ ସୋମବାର ସନ୍ଧ୍ୟାରେ ଏହି ଉତ୍ସବର ଉଦଘାଟନ ହୋଇଥିବା ବେଳେ ଏହା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ପ୍ରଥମ ଦିନରୁ ମହୋତ୍ସବ ମଞ୍ଚରେ ବିଭିନ୍ନ ଆକର୍ଷଣ ଦେଖିବାକୁ ମିଳିଛି। ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ପକ୍ଷରୁ ସ୍ୱଦେଶୀ ଉତ୍ପାଦ ପ୍ରଦର୍ଶନୀ, ପାରମ୍ପରିକ ଖାଦ୍ୟ ମେଳା ଓ କୃଷି ସମ୍ବନ୍ଧୀୟ ଯନ୍ତ୍ରପାତିର ଆୟୋଜନ ହୋଇଥିଲା। ଏହି ସବୁ ଷ୍ଟଲ ଦର୍ଶକମାନଙ୍କର ବିଶେଷ ଆକର୍ଷଣ କେନ୍ଦ୍ର ହୋଇଥିଲା।
ସନ୍ଧ୍ୟା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଅଧିକ ରଙ୍ଗୀନ କରିଥିଲା। ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ସୁରିଲା ସଙ୍ଗୀତ ଦର୍ଶକଙ୍କୁ ମନମୋହିତ କରିଥିଲା। ଏହାସହ ଦାସକାଠିଆ, ଓଡ଼ିଶୀ, କୁଚିପୁଡ଼ି, ସମ୍ବଲପୁରୀ, ଢେମସା, କାଠପାଦ ଓ ଆଧୁନିକ ନୃତ୍ୟର ମନୋହର ପ୍ରଦର୍ଶନ ହୋଇଥିଲା। ଯାହା ସ୍ଥାନୀୟ କଳାକାରମାନଙ୍କ ପ୍ରତିଭାକୁ ପ୍ରକାଶ କରିଥିଲା ।
ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଗଞ୍ଜାମର ସମୃଦ୍ଧ କଳା ଓ ସଂସ୍କୃତିକୁ ଆଗକୁ ଆଣିବ । ଏହାସହ ଜିଲ୍ଲାର ପରିଚୟକୁ ଆହୁରି ସୁଦୃଢ଼ କରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ଆଶାବ୍ୟକ୍ତ କରିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
