Explore

Search

February 28, 2026 11:48 pm

ଗୋପାଳପୁର ବେଳାଭୂମି ମହୋତ୍ସବ: ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର: ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ବ୍ରହ୍ମପୁରସ୍ଥିତ ସ୍ୱତନ୍ତ୍ର ପ୍ରଦର୍ଶନୀ ସମ୍ମିଳନୀ ଗୃହରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ୱି କୀର୍ତି ୱାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ସର୍ବଣ ବିବେକ ଏମ୍‌, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଓ ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ନିଷ୍ପତି ନିଆଯାଇଛି ଯେ, ବିଗତ ବର୍ଷମାନଙ୍କ ପରି ଏହି ବର୍ଷ ମଧ୍ୟ ଗୋପାଳପୁର ବେଳାଭୂମି ମହୋତ୍ସବ ୫ ଦିନ ଧରି ଆୟୋଜିତ ହେବ ଏବଂ ଆସନ୍ତା ୨୨ ରୁ ୨୬ ଜାନୁଆରୀ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମିରେ ଉତ୍ସବ ପାଳନ କରାଯିବ। ଏହି ଅବସରରେ ଝୋଟି ପ୍ରତିଯୋଗିତା, ଆଲୋଚନା ସଭା, କବିତା ପାଠୋତ୍ସବ, ଭଲିବଲ, ଫୁଟବଲ, ବୋଟ ରେସିଂ ଭଳି କ୍ରୀଡ଼ା କାର୍ଯ୍ୟକ୍ରମ ସହ ‘ଶାମୁକା’ ସ୍ମରଣିକା ଉନ୍ମୋଚନ କରାଯିବ।

ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିକୁ ମୁଖ୍ୟ ଆକର୍ଷଣ ରୂପେ ପ୍ରଦର୍ଶନ କରାଯିବା ସହ ଅନ୍ୟାନ୍ୟ ଜିଲ୍ଲା, ରାଜ୍ୟ ଓ ଦେଶର ନୃତ୍ୟ–ସଙ୍ଗୀତ ପରିବେଷଣ ହେବ ଏବଂ ଓଡ଼ିଆ, ତେଲୁଗୁ ଓ ହିନ୍ଦୀ କଣ୍ଠଶିଳ୍ପୀମାନେ ସାଂସ୍କୃତିକ ସନ୍ଧ୍ୟାକୁ ଆକର୍ଷଣୀୟ କରିବେ। ପଲ୍ଲୀଶ୍ରୀ ମେଳା, ଖାଦ୍ୟ ମେଳା ଓ ବିଭିନ୍ନ ସଂସ୍ଥାର ପ୍ରଦର୍ଶନୀ ଷ୍ଟଲ ରହିବା ସହ ପ୍ରାୟ ୩୦୦ଟି ଷ୍ଟଲ ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯିବା ସହ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରୁ ମଶାଲ ଶୋଭାଯାତ୍ରା, ପଦଯାତ୍ରା ଓ ସମୁଦ୍ରତଟରେ ଲେଜର ଶୋ ଆୟୋଜନ କରାଯିବ।

ଏହାସହ ମହୋତ୍ସବକୁ ଏକ ନୂଆ ଓ ଆଧୁନିକ ଆକାର ଦେବା ପାଇଁ ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ସୁବିଧା, ଆଇନ–ଶୃଙ୍ଖଳା ଓ ସାଧାରଣ ଜନସୁବିଧା ଉପରେ ଆଲୋଚନା କରାଯାଇ ବିଭିନ୍ନ କମିଟି ଗଠନ କରିବାକୁ ସମ୍ମତି ହୋଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score