ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକପରମ୍ପରା ଦଣ୍ଡନାଚକୁ ସୁସଂଗଠିତ ଓ ସଂସ୍କୃତିମୟ ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ନୂତନ ମାନକ କାର୍ଯ୍ୟପଦ୍ଧତି (SOP) ଜାରି କରିଛି । ଏହି ଅନୁଯାୟୀ ଦଣ୍ଡନାଚ ଅବସରରେ କୌଣସି ପ୍ରକାରର ଅଶ୍ଳୀଳ ନୃତ୍ୟ, ଦ୍ୱିଅର୍ଥ ବୋଧକ ଶବ୍ଦ ବା ଅପସଂସ୍କୃତିକ କାର୍ଯ୍ୟକଳାପକୁ କଡା ଭାବେ ନିଷେଧ କରାଯାଇଛି । ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଧୂଳିଦଣ୍ଡରୁ ଆରମ୍ଭ କରି ରାତ୍ରିର ସାଂସ୍କୃତିକ ମଞ୍ଚ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ କେବଳ ପାରମ୍ପରିକ ଲୋକକଳା ଓ ଲୋକସଙ୍ଗୀତକୁ ଅନୁମତି ଦିଆଯିବ। ଡିଜେ ବ୍ୟବହାର ଓ ଶବ୍ଦ ପ୍ରଦୂଷଣ ସମ୍ବନ୍ଧୀୟ ନିୟମକୁ ମଧ୍ୟ କଡାଭାବେ ପାଳନ କରିବାକୁ ସମସ୍ତ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଦଣ୍ଡନାଚ ପରିବେଷଣ ପୂର୍ବରୁ ମୁଖ୍ୟ ପରିଚାଳକଙ୍କୁ ସ୍ଥାନୀୟ ଥାନାରୁ ଅଗ୍ରିମ ଅନୁମତି ନେବା ଆବଶ୍ୟକ। ଅନୁମତି ପାଇଁ ଦାଖଲ କରାଯାଇଥିବା ଆବେଦନପତ୍ରରେ ନାଟକ ବା କାର୍ଯ୍ୟକ୍ରମର ବିବରଣୀ, ଅଂଶଗ୍ରହଣ କରୁଥିବା କଳାକାରଙ୍କ ନାମ ଓ ଠିକଣା, କେତେ ଦିନ ଓ କେଉଁ ସ୍ଥାନରେ ପରିବେଷଣ ହେବ ଏ ସମ୍ପର୍କିତ ସବିଶେଷ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି ।
ପ୍ରଶାସନର କହିବା ଅନୁଯାୟୀ, ଗଞ୍ଜାମର ଦଣ୍ଡନାଚ ଏକ ପୁରାତନ ଧାର୍ମିକ ଓ ସାଂସ୍କୃତିକ ପରମ୍ପରା । ଯାହା ଜିଲ୍ଲାବାସୀଙ୍କ ଆସ୍ଥା ଓ ଭକ୍ତିଭାବ ସହ ଗଭୀର ଭାବେ ଜଡିତ। ଏହି ପରମ୍ପରାର ପବିତ୍ରତା ରକ୍ଷା ପାଇଁ ଅଶ୍ଳୀଳତା ଓ ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ ଲାଗିବା ଆବଶ୍ୟକ ବୋଲି ପ୍ରଶାସନ ମତ ପ୍ରକାଶ କରିଛି।
ଗତ ବର୍ଷ ଦିଗପହଣ୍ଡି ଅଞ୍ଚଳରେ ଏକ ମଞ୍ଚ ଉପସ୍ଥାପନା ସମୟରେ ଅଶ୍ଳୀଳ ନୃତ୍ୟ ଓ ଅନୁଚିତ ଦୃଶ୍ୟ ପ୍ରଦର୍ଶନ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ମିଳିବା ସହ ଏପରି ଘଟଣା ରୋକିବାକୁ ପ୍ରଶାସନକୁ ଦାବି ହୋଇଥିଲା। ଏହି ପରିସ୍ଥିତିକୁ ମନେରଖି ଦଣ୍ଡନାଚର ସୁଚାରୁ ପରିଚାଳନା ଓ ସଂସ୍କୃତିର ସୁରକ୍ଷା ପାଇଁ ଏହି ନୂତନ ଏସଓପି ଜାରି କରାଯାଇଥିବା ଜଣାପଡ଼ିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
