Explore

Search

February 28, 2026 1:48 pm

ଖୋର୍ଦ୍ଧା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି : ୫୧୬ କୋଟି ଟଙ୍କା ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର କଲେ ଶୁଭାରମ୍ଭ

ଖୋର୍ଦ୍ଧା : ଜମୁଛି ଖୋର୍ଦ୍ଧା ମହୋତ୍ସବ-୨୦୨୫ । ଏହି ଖୋର୍ଦ୍ଧା ମହୋତ୍ସବ-୨୦୨୫ର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାକୁ ବଡ ଭେଟି ଦେଇଛନ୍ତି । ପ୍ରାୟ ୫୧୬ କୋଟି ଟଙ୍କା ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୩୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ୭ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମସ୍ତ ପ୍ରକଳ୍ପ ମଧ୍ୟରେ ରାସ୍ତା, ସ୍ୱାସ୍ଥ୍ୟ, ପରିବହନର ପ୍ରକଳ୍ପ ମାନ ସ୍ଥାନିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି ଖୋର୍ଦ୍ଧାକୁ ସମୃଦ୍ଧ ଓଡ଼ିଶାର ୧ ନମ୍ବର ଜିଲ୍ଲା ଭାବେ ବିକଶିତ କରିବା । କାରଣ ଆଗାମୀ ଦିନରେ ଖୋର୍ଦ୍ଧା ପାଇକ ମାଟିର ଯୁବ ପୀଢ଼ିଙ୍କ ହାତରେ ସେମି କଣ୍ଡକ୍ଟର ଚିପ ତିଆରି ହେବ । ଆଉ ଅଗ୍ନି, ପୃଥିବୀ, ଆକାଶ ଭଳି ମିଶାଇଲରେ ଏହି ଚିପ ବ୍ୟବହାର ହେବ । ୨୦୩୬ରେ ଯେତେବେଳେ ଆମେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଏକ ଶହ ବର୍ଷ ପୂର୍ତ୍ତି ପାଳନ କରିବା ସେତେବେଳେ ଆମ ରାଜ୍ୟ ଦେଶର ପ୍ରଥମ ୫ ଟି ବିକଶିତ ରାଜ୍ୟ ଭାବେ ସ୍ଥାନ ପାଇବ ।

ଖୋର୍ଦ୍ଧା ମହୋତ୍ସବ-୨୦୨୫ :

ଏହି ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆହୁରି ମଧ୍ୟ କହିଛନ୍ତି ଯେ, କ୍ୟାପିଟାଲ ରିଜନ ରିଙ୍ଗ ରୋଡ ଦ୍ୱାରା ଖୋର୍ଦ୍ଧା ହେବ ଓଡିଶାର ଅର୍ଥନୈତିକ ଆକ୍ଟିଭିଟିର ପ୍ରାଣକେନ୍ଦ୍ର । ‘ଖୋର୍ଦ୍ଧା ମହୋତ୍ସବ ୨୦୨୫’ ଏକ ଉତ୍ସବ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଞ୍ଚ ହୋଇ ରହିନାହିଁ, ବରଂ ଏହା ବିକାଶର ମଞ୍ଚ ପାଲଟିଛି । ଏହି ସ୍ଵପ୍ନକୁ ସାକାର କରିବା ପାଇଁ ଆମ ସରକାର ପ୍ରଥମ ଦିନରୁ ହିଁ କାର୍ଯ୍ୟ କରି ଆସୁଛନ୍ତି । ସମୃଦ୍ଧ ଓଡିଶା ଗଠନ ପାଇଁ ପ୍ରତ୍ଯେକ ଜିଲ୍ଲା ସମୃଦ୍ଧ ହେବା ଆବଶ୍ୟକ । ତେଣୁ ଆଗାମୀ ଦିନରେ ସମୃଦ୍ଧ ଖୋର୍ଦ୍ଧା ଜିଲ୍ଲା ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କେନ୍ଦ୍ର ସରକାର କ୍ୟାପିଟାଲ ରିଜନ ରିଙ୍ଗ ରୋଡକୁ ଅନୁମୋଦନ କରିଛନ୍ତି । ସେହିପରି ଖୋର୍ଦ୍ଧାଠୁ ଭୁବନେଶ୍ୱର ଦେଇ କଟକ ପର୍ଯ୍ୟନ୍ତ ସବୁ ଅଞ୍ଚଳର ସମ୍ପ୍ରସାରଣ ହେବ । ଏ ତିନୋଟି ସହର ଗୋଟିଏ ସହର ପରି ଏକ ବ୍ୟାପକ ଅଞ୍ଚଳରେ ପରିବ୍ୟାପ୍ତ ହେବ ।
ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାରେ ଅର୍ଥନୈତିକ ଜୋନ କାର୍ଯ୍ୟକ୍ଷମ ହେବ । ଏଗୁଡିକୁ ସବୁ ରାଜ୍ୟର ‘ଗ୍ରୋଥ ହବ’ ଭାବେ ବିକଶିତ ହେବ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଦୀର୍ଘ ୪୦-୫୦ ବର୍ଷ ଧରି କଚ୍ଛପ ଗତିରେ ଚାଲିଥିଲା । ଆଜି ଏହା ପ୍ରାୟ ସମ୍ପୂର୍ଣ୍ଣ ହେବା ଉପରେ । ୩୦୧ କିଲୋମିଟରରୁ ଆଉ ୭୫ କିଲୋମିଟର, ଦଶପଲ୍ଲା ଓ ପୁରୁଣା କଟକ ମଧ୍ୟରେ ନିର୍ମାଣ ହେଉଛି । ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଲାଇନରେ ନୂଆ ଟ୍ରେନରେ ବଲାଙ୍ଗୀର ପର୍ଯ୍ୟନ୍ତ ଯାତ୍ରା ହୋଇପାରିବ । ଆଗାମୀ ଦିନରେ ଏହି ରେଳପଥ ଉପକୂଳ ଓଡିଶା ଏବଂ ପଶ୍ଚିମ ଓଡିଶାର ଜୀବନ ରେଖା ହେବାକୁ ଯାଉଛି ।

ଗତ ଏପ୍ରିଲ ମାସରେ ପ୍ରାୟ ୬ ହଜାର କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଭିତ୍ତି ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଏହାଦ୍ୱାରା ୩୭ ହଜାର ନିଯୁକ୍ତି ସୃଷ୍ଟି ସୁନିଶ୍ଚିତ ହୋଇପାରିଛି । ଆସନ୍ତା ଦିନମାନଙ୍କରେ ଏହି ଶିଳ୍ପାୟନ ଆହୁରି ତୀବ୍ରତର ହେବ । କାରଣ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବପୀଢ଼ି ଶ୍ରମ ବଜାରକୁ କାର୍ଯ୍ୟ ଅନ୍ଵେଷଣରେ ପ୍ରବେଶ କରୁଛନ୍ତି । ତାଙ୍କ ପାଇଁ ଆମକୁ ନୂତନ ସୁଯୋଗ ସୃଷ୍ଟି କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score