Explore

Search

March 16, 2026 10:28 pm

ଖସିଲା ସୁନା ଓ ରୂପାର ଭାଉ : ଗୋଟିଏ ଦିନରେ କମିଲା ୬ ହଜାର ଟଙ୍କା

ଭୁବନେଶ୍ୱର : ଖସିଲା ସୁନା ଓ ରୂପାର ଭାଉ । ଗୋଟିଏ ଦିନରେ କମିଲା ୬ ହଜାର ଟଙ୍କା । ଗତ କିଛି ଦିନ ଧରି ହଠାତ ବଢ଼ିଥିବା ସୁନା ଓ ରୂପାର ମୂଲ୍ୟ ଏବେ ଧୀରେ ଧୀରେ ହ୍ରାସ ପାଉଛି । ଅନ୍ତର୍ଜାତୀୟସ୍ତରରେ ଭୂ-ରାଜନୈତିକ ଉତ୍ତେଜନା ଜାରି ରହିଥିବା ଥିବା ସତ୍ତ୍ୱେ ମୂଲ୍ୟବାନ ଧାତୁର ଦର ବଢ଼ିବା ପରିବର୍ତ୍ତେ ବଜାରରେ ଖସିଛି ସୁନା ଓ ରୂପାର ଭାଉ । ସପ୍ତାହର ପ୍ରଥମ ଦିନରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ଓ ରୂପା ଦୁହିଁରେ ମନୋଗ୍ରାହୀ ହ୍ରାସ ଦେଖିବାକୁ ମିଳିଛି।

ତଥ୍ୟ ଅନୁଯାୟୀ, ରୂପା ଦରରେ ବଡ଼ ପତନ ଦେଖାଯାଇଛି । କେଜି ପିଛା ପ୍ରାୟ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଦର କମିଯାଇଛି । ସେହିପରି ସୁନା ଦରରେ ମଧ୍ୟ ଲକ୍ଷଣୀୟ ହ୍ରାସ ହୋଇ ୧୦ ଗ୍ରାମ ପିଛା ପ୍ରାୟ ୬ ହଜାର ଟଙ୍କା କମିଛି।

ଗତ ଶୁକ୍ରବାର ବଜାର ବନ୍ଦ ସମୟରେ ରୂପାର ମୂଲ୍ୟ କେଜି ପିଛା ପ୍ରାୟ ୨ ଲକ୍ଷ ୫୯ ହଜାର ଟଙ୍କା ଥିଲା। କିନ୍ତୁ ସୋମବାର ବଜାର ଖୋଲିବା ସହିତ ଏହା ହ୍ରାସ ପାଇ କେଜି ପିଛା ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ପହଞ୍ଚିଛି।

ଗତ ୧୧ ଦିନ ମଧ୍ୟରେ ରୂପା ମୂଲ୍ୟରେ ଲକ୍ଷଣୀୟ ପତନ ଦେଖାଯାଇଛି । ଏହି ସମୟରେ ପ୍ରାୟ ୩୦ ହଜାର ଟଙ୍କାରୁ ଅଧିକ କମିଛି ରୂପା ଦର। ପୂର୍ବରୁ ରୂପା ସର୍ବକାଳୀନ ରେକର୍ଡସ୍ତରକୁ ପହଞ୍ଚିଥିଲା, କିନ୍ତୁ ସେଠାରୁ ଏବେ ଦର ଧୀରେ ଧୀରେ ତଳକୁ ଆସୁଛି।

ଏହାସହିତ ସୁନା ଦରରେ ମଧ୍ୟ ଏକ ପ୍ରକାର ପତନ ଦେଖାଯାଇଛି। ଗତ ଶୁକ୍ରବାର ୧୦ ଗ୍ରାମ ସୁନା ପ୍ରାୟ ୧ ଲକ୍ଷ ୫୮ ହଜାର ଟଙ୍କା ଥିବା ବେଳେ ସୋମବାର ଏହା ହ୍ରାସ ପାଇ ପ୍ରାୟ ୧ ଲକ୍ଷ ୫୨ ହଜାର ଟଙ୍କା ଆସିଛି । ଅର୍ଥାତ ଗୋଟିଏ ଦିନରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ପ୍ରାୟ ୬ ହଜାର ଟଙ୍କା କମିଛି।

ବିଶେଷଜ୍ଞମାନଙ୍କ ମତାନୁସାରେ, ବିଶ୍ୱ ବଜାରର ଚାହିଦା ଓ ନିବେଶ ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ସୁନା ଓ ରୂପା ମୂଲ୍ୟରେ ଆହୁରି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ବଜାରର ଏହି ହ୍ରାସ ପରିସ୍ଥିତି ନିବେଶକମାନଙ୍କ ମଧ୍ୟରେ ନୂଆ ଆଲୋଚନା ସୃଷ୍ଟି କରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score