Explore

Search

February 11, 2026 5:57 pm

ଖଣ୍ଡଗିରି ଯାତ୍ରାରେ ହୋଇପାରିବନି ଅଶ୍ଳୀଳ ନୃତ୍ୟ : ବିଏମସି ଜାରି କଲା କଠୋର ଗାଇଡଲାଇନ

ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରାରେ ହୋଇପାରିବନି ଅଶ୍ଳୀଳ ନୃତ୍ୟ । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ ଅଶୋଭନୀୟ ପ୍ରଦର୍ଶନକୁ ନିଷେଧ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଯାତ୍ରା ସମୟରେ ଯଦି କୌଣସି କମିଟି ଅଶ୍ଳୀଳତା ପ୍ରଦର୍ଶନ କରେ, ତେବେ ସେହି କମିଟିର ଏନଓସି ତୁରନ୍ତ ରଦ୍ଦ କରାଯିବ ବୋଲି ବିଏମସି ସ୍ପଷ୍ଟ କରିଛି । ଏନଓସି ପ୍ରଦାନ ପୂର୍ବରୁ ଏହି ସର୍ତକୁ ଅନିବାର୍ଯ୍ୟ କରାଯାଇଛି ।

ଯାତ୍ରା ପରିବେଷଣ ଉପରେ ନଜର ରଖିବା ପାଇଁ ବିଏମସିର ସ୍ୱତନ୍ତ୍ର ସ୍କ୍ୱାର୍ଡ ମୁତୟନ ରହିବ । ଅଶ୍ଳୀଳତା ସହିତ ସଫେଇ, ସ୍ୱଚ୍ଛତା, ସାନିଟାରୀ ବ୍ୟବସ୍ଥା, ବ୍ୟାରିକେଡ଼ ଓ ପାର୍କିଂ ନିୟମକୁ କଠୋର ଭାବେ ପାଳନ କରିବାକୁ କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଶ୍ଳୀଳତାକୁ କୌଣସି ଭାବେ ବରଦାସ୍ତ କରାଯିବ ନାହିଁ ବୋଲି ବିଏମସି ସ୍ପଷ୍ଟ କରିଛି ।

ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ମେଳା ଅଞ୍ଚଳ ସହିତ ଖଣ୍ଡଗିରି ଛକରୁ ଜୟଦେବ ବାଟିକା ପର୍ଯ୍ୟନ୍ତ ଅଞ୍ଚଳକୁ ସିସିଟିଭି ନଜରାବଳୀ ମଧ୍ୟରେ ରଖାଯିବ । ସମଗ୍ର ମେଳା ଅଞ୍ଚଳରେ ୧୦୦ଟି ସିସିଟିଭି କ୍ୟାମେରା ଲଗାଯିବ । ବିଭିନ୍ନ ସ୍ଥାନରେ ପୋଲିସ ଓ ବିଏମସି ଏନଫୋର୍ସମେଣ୍ଟ ଟିମ ମୁତୟନ ରହିବେ।

ବୁଲା ବିକାଳିଙ୍କୁ ଖଣ୍ଡଗିରି କୁମ୍ଭ ମେଳାରେ ବ୍ୟବସାୟ କରିବାକୁ ବାରଣ କରାଯାଇଛି । ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ, ସାଧାରଣ ଲୋକଙ୍କୁ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନରେ ମାତ୍ର ଗାଡ଼ି ରଖିବାକୁ କୁହାଯାଇଛି । ବେନିୟମ ପାର୍କିଂ କଲେ ଗାଡ଼ି ଉଠେଇ ନିଆଯିବାସହ ୧୨ଶହ ଟଙ୍କା ଫାଇନ ଆଦାୟ କରାଯିବ।

ଚଳିତ ବର୍ଷ ୬ଟି ମଣ୍ଡପ ଏନଓସି ପାଇଁ ଆବେଦନ କରିଥିବା ବେଳେ ଆଜି ୪ଟି କମିଟିକୁ ଏନଓସି ପ୍ରଦାନ କରାଯିବ। ଅନ୍ୟ ୨ଟି କମିଟିର କିଛି ସମସ୍ୟା ସମାଧାନ ପରେ ଏନଓସି ଦିଆଯିବ। ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପାର୍କିଂରେ ଯାନବାହନ ରଖାଯିବା ସହ ଏଏସଆଇ ପାର୍କିଂ ଗ୍ରାଉଣ୍ଡ ମାତ୍ର ମୁକ୍ତ ରହିବ । ଅନ୍ୟସ୍ଥାନରେ ପାର୍କିଂ ଶୁଳ୍କ ଆଦାୟ ହେବ ଓ ରେଟ ଚାର୍ଟ ଡିସପ୍ଲେ ବୋର୍ଡରେ ଲାଗିବ।

ଆଜିଠାରୁ ଷ୍ଟଲ ଆଲଟମେଣ୍ଟ ଆରମ୍ଭ ହୋଇଥିବା ବେଳେ ୨୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦୋକାନ ବସିବ। ପ୍ରତ୍ୟେକ କମିଟି ସର୍ବାଧିକ ୫୦ଟି ଦୋକାନ କରିପାରିବେ ଏବଂ ସେଥିପାଇଁ ବିଏମସି ଲାଇସେନ୍ସ ଫି ଆଦାୟ କରିବ ।

ତେବେ ଗାଇଡଲାଇନ ପାଳନ କଲେ ପ୍ରତି ବର୍ଷ ଭଳି ଏଥର ମଧ୍ୟ ଖଣ୍ଡଗିରିରେ ଯାତ୍ରା ଆକର୍ଷଣୀୟ ହେବ ବୋଲି ଯାତ୍ରା କମିଟିମାନେ ଆଶା ପ୍ରକାଶ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score