କଟକ : ପୁଣି ଥରେ ମୁଁହାମୁଁହି ହେବେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ। କୋର୍ଟରେ ପୁଣି ଚାଲିବ ଅନୁଭବଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା। ଏହାକୁ ନେଇ ବର୍ଷା କହିଛନ୍ତି କି ଅନୁଭବ ଯେଉଁଠି ଥାଆନ୍ତୁ ମୋତେ ନ୍ୟାୟ ନମିଳିବା ଯାଏଁ ମୁଁ ଅନୁଭବ ମହାନ୍ତିଙ୍କୁ ଛାଡ଼ିବି ନାହିଁ । ଏନେଇ ଅନୁଭବ ମହାନ୍ତି ହାଇକୋର୍ଟରେ ମୁକ୍ତି ପାଇଁ ଆବେଦନ କରିଥିଲେ ସୁଦ୍ଧା ତାଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି । ଯାହାକୁ ନେଇ ଅନୁଭବଙ୍କୁ ଲାଗିଛି ଶକ୍ତ ଝଟକା। ଏବେ ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା । ତେବେ ନିମ୍ନ ଅଦାଲତଙ୍କ ଚାର୍ଜଫ୍ରେମକୁ କାଏମ ରଖିଲେ ହାଇକୋର୍ଟ । ଏଥର ଅନୁଭବ ଓ ତାଙ୍କ ସହଯୋଗୀ ଖଗେଶ୍ୱରଙ୍କ ବିରୋଧରେ ହେବ ବିଚାର ।
ସୂଚନା ଅନୁସାରେ ପୁରୀଘାଟ ଥାନାରେ ଯୌତୁକ ଜନିତ ନିର୍ଯାତନା ଅଭିଯୋଗରେ ବର୍ଷା ଦାୟର କରିଥିବା ମାମଲା ପରେ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ସମସ୍ୟା ବଢ଼ିଛି । ଏହି ମାମଲାରେ ଅନୁଭବଙ୍କ ଦ୍ୱାରା ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଫଳସ୍ୱରୂପ, ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ସମ୍ପର୍କିତ ମାମଲା ଆଗକୁ ଚାଲିବ । ନିମ୍ନ ଅଦାଲତରେ ଚାଲିଥିବା ମାମଲାକୁ ଖାରଜ କରାଯାଉ ବୋଲି ଅଭିନେତା ଅନୁଭବ ମହାନ୍ତି ଆବେଦନ ଦାୟର କରିଥିଲେ। କିନ୍ତୁ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ମାମଲା ନିମ୍ନ ଅଦାଲତରେ ଚାଲିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ମାମଲାରୁ ତାଙ୍କୁ ବାଦ ଦେବା ପାଇଁ ଅନୁଭବ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।
ରିପୋର୍ଟ ଅନୁସାରେ, ଅନୁଭବ ମହାନ୍ତିଙ୍କ ଘରେ ବର୍ଷା ରହୁଥିବା ସମୟରେ ଖୋଦ ଅନୁଭବ ଓ ତାଙ୍କର ଦୁଇଜଣ କର୍ମଚାରୀ ବର୍ଷାଙ୍କ ଭିଡିଓ ସୁଟିଂ କରିବାସହ ତାଙ୍କୁ ସବୁବେଳେ ମାନସିକ ନିର୍ଯାତନା ଦେଉଥିଲେ। ଏହାକୁ ନେଇ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ।
ପରେ ସମସ୍ତ ଅଭିଯୋଗ ଓ ରେକର୍ଡକୁ ବିଚାର କରି ହାଇକୋର୍ଟ ଏବେ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେଣୁ ଅନୁଭବ ମହାନ୍ତିଙ୍କ ବିରୋଧରେ ଯୌତୁକ ନିର୍ଯାତନା ସମ୍ପର୍କିତ ମାମଲା ଆଗକୁ ଚାଲିବ। ସେପଟେ ନିମ୍ନ ଅଦାଲତ ଦ୍ୱାରା ଗଠିତ ଚାର୍ଜଫ୍ରେମକୁ ହାଇକୋର୍ଟ କାଏମ ରଖିଛନ୍ତି । ସେତେବେଳେ ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ମହାନ୍ତି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସେଠାରେ ତାଙ୍କୁ କୌଣସି ପ୍ରକାର ସହାୟତା ମିଳିନଥିବାରୁ ଅନୁଭବଙ୍କୁ ଏବେ ଝଟକା ଲାଗିଛି ।
ଅନ୍ୟପଟେ, ଅନୁଭବଙ୍କ ଛାଡପତ୍ର ପରେ ସେ ଜାଗୃତି ଶୁକ୍ଳାଙ୍କୁ ୨ୟ ବିବାହ କରିଥିଲେ। ନିଜ ଜୀବନର ଦ୍ୱିତୀୟ ପର୍ଯ୍ୟାୟ ପୁଣିଥରେ ଆରମ୍ଭ କରିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି । ହେଲେ ତାଙ୍କର ଏହି ଦ୍ୱିତୀୟ ବିବାହ ପରେ ସେ ଅନେକ ପ୍ରଶଂସକଙ୍କ ଠାରୁ ଶୁଭେଚ୍ଛା ଓ ଭଲପାଇବା ପାଇଥିବା ବେଳେ, କିଛି ମହଲରୁ ଅନୁଭବ ସମାଲୋଚନାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।
କେତେକ ଲୋକ ଏହି ବିବାହକୁ ସ୍ୱୀକାର କରି ତାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ, ଅନ୍ୟମାନେ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଗତ ୨୦୨୨ ମସିହାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭବ ଏବଂ ତାଙ୍କ ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଶାଶୁ ଘରେ ତାଙ୍କୁ ପାରିବାରିକ ହିଂସାର ଶିକାର ହେବାକୁ ପଡୁଛି ବୋଲି ବର୍ଷା ଅଭିଯୋଗ କରି jmfc କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଆଉ ସେହି ସମୟରେ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଛି ବୋଲି କହିବା ସହ ପ୍ରମାଣ ଦେଖାଇଥିଲେ । ହେଲେ ସେତେବେଳେ ଅନୁଭବ ଜିତିଯାଇଥିଲେ । ଏହାପରେ ବର୍ଷା କ୍ଷତିପୂରଣ ବାବଦରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ରାଶି ଦେବା ସହିତ ଭରଣ ପୋଷଣ ଲାଗି ଦାବି କରିଥିଲେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
