ଓଡିଶା ରାଜ୍ୟ ସରକାରଙ୍କ ସହିତ ଆସିଆଇସିଆଇ, ଆକ୍ସିସ ଓ ଏଚ୍ଡିଏଫ୍ସି ବ୍ୟାଙ୍କର ଲାଗିଥିବା ବିବାଦର ସମାଧାନ ହୋଇଛି। ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଏହି ବ୍ୟାଙ୍କ ଗୁଡିକର ପ୍ରଦର୍ଶନ ନ୍ୟୁନତମ ପ୍ରଦର୍ଶନ ଦର୍ଶାଇ ସରକାରୀ ଯୋଜନା ତାଲିକାରୁ କାଢି ଦେଇଥିଲେ ମୋହନ ସରକାର । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ତୁଟିଛି ବିବାଦ । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ଏହି ବ୍ୟାଙ୍କର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି । ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଗରିବ ଲୋକମାନଙ୍କୁ ଅଧିକ ୠଣ ଦେବା ପାଇଁ ବ୍ୟାଙ୍କଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିସହିତ ଓଡିଶାରେ ବିଭିନ୍ନ ଜନକଲ୍ୟାଣ ଯୋଜନା କୃଷି ୠଣ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା, ପିଏମ ସ୍ୱନିଧି ଯୋଜନା, ଇଣ୍ଡିଆ ଯୋଜନା, ଗୃହ ୠଣ, ଶିକ୍ଷା ୠଣ ଓ ରପ୍ତାନୀ ୠଣ ଆଦି ବିଭିନ୍ନ ଯୋଜନାରେ ଏହି ବ୍ୟାଙ୍କଙ୍କ ଗୁଡିକର ପ୍ରଦର୍ଶନ ଅତ୍ୟନ୍ତ କମ ରହିଛି । ତେବେ ଏଥିପାଇଁ ସେମାନଙ୍କୁ ତାଲିକାରେ ବାଦ ଦେବା ପରେ ମଙ୍ଗଳବାର ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅନେକ ଗରୀବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଲୋକମାନଙ୍କୁ ୠଣ ଜରିଆରେ ଆର୍ଥିକ କାର୍ଯ୍ୟକ୍ରମରେ ସାମିଲ କରିବା ସହିତ ସେମାନଙ୍କ ରୋଜଗାର ବୃଦ୍ଧି କରିବା ହେଉଛି ସରକାରଙ୍କ ଲକ୍ଷ୍ୟ । କିନ୍ତୁ ଏହି ସବୁ ଯୋଜନା ଗୁଡିକରେ ଏହି ତିନୋଟି ବ୍ୟାଙ୍କର ପ୍ରଦର୍ଶନ ଓଡିଶାରେ ଆଦୌ ସନ୍ତୋଷ ଜନକ ନୁହେଁ । ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କଗୁଡିକ ହେଉଛନ୍ତି ଏକ ବଡ ମାଧ୍ୟମ । ତେଣୁ ଏହି ସବୁ ବ୍ୟାଙ୍କ ଗୁଡିକ ବିଭିନ୍ନ ଯୋଜନାରେ ଯେଉଁଥିରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି, ସେଥିରେ ଅଧିକ ଲୋକଙ୍କୁ ୠଣ ଦିଅନ୍ତୁ ।”ବ୍ୟାଙ୍କମାନଙ୍କ ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କରିଛନ୍ତି । ସେମାନେ ଏହି ସବୁ ଯୋଜନାରେ ଲୋକଙ୍କୁ ୠଣ ଦେବା ପାଇଁ ଆଗ୍ରହୀ ଅଛନ୍ତି । ଖୁବଶୀଘ୍ର ଏହି ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭରସା ଦେଇଛନ୍ତି । ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ବ୍ୟାଙ୍କ ମାନଙ୍କ ପ୍ରଦର୍ଶନ ବିଷୟରେ ଅବଗତ କରିଛନ୍ତି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |