Explore

Search

November 21, 2025 6:13 pm

କୋରାପୁଟର ନୂଆ ପରିଚୟ ; କଫି ବଗିଚାରେ ଫଳିଛି ଅଳେଇଚ

କୋରାପୁଟ : କଫି ଓ ଗୋଲମରିଚ ପରେ ଏବେ ଅଳେଇଚ ଚାଷ କୋରାପୁଟ ପାଇଁ ଆଉ ଏକ ପରିଚୟ । ଅଧିକା ଲାଭ ସାଙ୍ଗକୁ ଚାହିଦା ବି ରହିଛି ଅଧିକ । ନା ବଜାର କୁ ଯିବାକୁ ପଡୁଛି ନା ଗ୍ରାହକ ଖୋଜିବାକୁ ପଡୁଛି । ଅମଳ ହେବା ମାତ୍ରେ ବଗିଚାରେ ହିଁ ବିକ୍ରି ହୋଇଯାଉଛି । କର୍ଣ୍ଣାଟକ, ତେଲେଙ୍ଗାନା ଓ କେରଳ ପରେ ଆମ ରାଜ୍ୟର ପୂର୍ବତଟ ପର୍ବତମାଳା କୁହାଯାଉଥିବା କୋରାପୁଟ ଜିଲ୍ଳାରେ ମଧ୍ୟ ସଫଳ ହେଉଛି ଏହି ଅଳେଇଚ ଚାଷ । ବର୍ଷକୁ ଏକର ପିଛା ପ୍ରାୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିପାରୁଛି । ଏଥିଲାଗି ଅଧିକରୁ ଅଧିକ ଚାଷୀ ଅଳେଇଚ ଚାଷ ପ୍ରତି ମନ ବଳାଉଛନ୍ତି । ପ୍ରାୟତ ଶୀତ ଋତୁ ଆସିଲେ ଏଠାରେ ଅଳେଇଚ ଚାଷ ପ୍ରଚୁର ପରିମାଣରେ ହୋଇଥାଏ । ଆଉ ଏହି ଚାଷ କରି ଚାଷୀ ବେଶ ଲାଭବାନ ମଧ୍ୟ ହେଉଛି । କୋରାପୁଟ କଫି ବଗିଚାରେ ଅଳେଇଚ ଚାଷ କରି ୨ ପଇସା ଭଲ ରୋଜଗାର କରୁଛନ୍ତି ଚାଷୀ । କଫି ବଗିଚା ସାରା ସବୁଜ ଚାଦରରେ ବିଛେଇ ହୋଇ ପଡିଛି ଅଳେଇଚ । ଏ ଦୃଶ୍ୟ ହେଉଛି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଛୋଟାଗୁଡ଼ା ଗ୍ରାମର । ଏଠାରେ ଥିବା ବ୍ରାଉନ ଭ୍ୟାଲିରେ କେବଳ କଫି କି ଅଳେଇଚ ନୁହଁ ବରଂ ଗୋଲମରିଚ, ବାତାପି, ସପୁରୀ, କମଳା ଏବଂ ହଳଦୀ ଚାଷ ମଧ୍ୟ ହେଉଛି ବ୍ରାଉନ ଭ୍ୟାଲିରେ । ଗୋଟିଏ ବଗିଚା ମଧ୍ୟରେ ଭଳିକି ଭଳି ଚାଷ ଦେଖି ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ଖୁସ୍‌ ।

କୋରାପୁଟ ଠାରୁ ୨୦ କିଲୋମିଟର ଦୂରରେ ଛୋଟାଗୁଡା ଗାଁର ବ୍ରାଉନ ଭ୍ୟାଲି କଫି ବଗିଚାର ଶାନ୍ତ ଶୀତଳ ଛାଇ ପରିବେଶରେ ଅଳେଇଚ ଚାଷ କରାଯାଇଛି । କୋରାପୁଟର ଏଗ୍ରୋ କ୍ଲାଇମେଟିକ ସ୍ଥିତି ଅଳେଇଚ ଚାଷ ପାଇଁ ବେଶ ଉପଯୋଗୀ ହୋଇଛି । ଏଠାରେ ପ୍ରାୟ ୬୦୦ଟି ଅଳେଇଚ ଗଛ ଲଗାଯାଇଥିବା ବେଳେ ବର୍ଷକୁ ପାଖାପାଖି ୨ କ୍ବିଣ୍ଟାଲରୁ ଅଧିକ ଅଳେଇଚ ଉତ୍ପାଦନ ହୋଇପାରୁଛି । ପ୍ରତି ଗଛ ପିଛା ୩୦୦ ଗ୍ରାମରୁ ୧ କିଲୋ ପର୍ଯ୍ୟନ୍ତ ଅଳେଇଚ ଫଳିବାର ସମ୍ଭାବନା ରହିଛି । ଏହି ଚାଷ ଚାରା ରୋପଣର ତିନି ରୁ ଚାରି ବର୍ଷ ମଧ୍ୟରେ ଚାଷୀ ଉତ୍ପାଦନ ପାଇପାରିବ ।

ବ୍ରାଉନ ଭ୍ୟାଲିରେ ଉତ୍ପାଦନ ହେଉଥିବା ଅଳେଇଚକୁ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ହିଁ କ୍ରୟ କରିଥାନ୍ତି । କେଜି ପ୍ରତି ୨୮୦୦ ଟଙ୍କାରେ ବିକ୍ରି ହେଉଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ, ପଟ୍ଟାଙ୍ଗିର ଗବେଷଣା କେନ୍ଦ୍ର ବ୍ରାଉନ ଭ୍ୟାଲି କଫି ବଗିଚାରୁ ଚାଷୀ ଚାରା ନେଇ ଗଛ ଲଗାଉଛନ୍ତି । ବଜାର ଦର ୪ ହଜାରରୁ ୪୫ ଶହ ଟଙ୍କା କେଜି ରହିଛି । ହେଲେ ଏଠାରେ କେଜି ପିଛା ମାତ୍ର ୨୮୦୦ ରୁ ୩ ହଜାର ଟଙ୍କାରେ ବିକ୍ରି ହେଉଛି । ଏହି ଫସଲରୁ ଅଧିକା ଲାଭ ମିଳିବା ସାଙ୍ଗକୁ ରୋଜଗାର ମଧ୍ୟ ଭଲ ହେଉଛି । ଆଗକୁ ୧୦ ଏକର ଜମିରେ ଏହି ଚାଷ କରିବା ପାଇଁ ଏବେ ଠାରୁ ଚାରା ପ୍ରସ୍ତୁତ କରିଛନ୍ତି ଚାଷୀ । ଗଛ ଲଗାଇବାର ୪ ବର୍ଷ ପରେ ଫୁଲ ଫଳ ଆସିଥାଏ । ଏହା ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ ହେଉଛି ।

ଅଳେଇଚ ଫଳ କଞ୍ଚାରେ ଦେଖିବାକୁ କଫି ମଞ୍ଜି ଭଳି । ବର୍ଷକୁ ଗୋଟିଏ ଥର ଗଛରେ ଫଳ ଧରିଥାଏ । କଫି ବଗିଚା ଭିତରେ ହୋଇଥିବା ଏହି ଅଳେଇଚ ଚାଷ ପରିକ୍ଷାମୂଳକ ଭାବେ ୪ ଏକର ଜମିରେ ହୋଇଛି । ସାଧାରଣତଃ ଅଳେଇଚ ଫଳ ଗଛର ମୁଳରେ ହୋଇଥାଏ । ବିନା ରାସାୟନିକ ସାରରେ ହେଉଥିବାରୁ ଏହା ଦେଖିବାକୁ ଛୋଟ ଛୋଟ ହୋଇଛି । ପାକଳ ହୋଇଗଲା ପରେ ତାକୁ ଗୋଟି ଗୋଟି କରି ତୋଳା ଯାଇଥାଏ । ଏକା ସାଥିରେ ଏହା ପାକଳ ହୋଇ ନଥାଏ । ଏହାକୁ ଅମଳ କରିବା ଓ ତାକୁ ଶୁଖାଇ ସାଇତି ରଖିବା ପାଇଁ ରହିଛନ୍ତି ତାଲିମ ପ୍ରାପ୍ତ ମହିଳା ଶ୍ରମିକ । କିଏ ଫଳ ତୋଳିବାରେ ବ୍ୟସ୍ତ ଅଛନ୍ତି ତ ଆଉ କିଏ ତାକୁ ସଫା କରି ଶୁଖାଇବାରେ ବ୍ୟସ୍ତ । ପରେ ଏହାକୁ ପ୍ୟାକେଟ କରି ବଜାରକୁ ବିକ୍ରି ପାଇଁ ପଠାଯାଉଛି । ପ୍ରତିଦିନ ୧୫ ରୁ ୨୦ ଜଣ ଶ୍ରମିକ ତାଙ୍କ ଫାର୍ମରେ କାମ କରୁଛନ୍ତି । କୋରାପୁଟ ଜଳବାୟୁରେ ଏହି ଚାଷ ଏବେ ସଫଳ ହେଉଛି । ଅଳେଇଚ ଚାଷ କରି ଚାଷୀ ଲାଭବାନ ହେଉଛନ୍ତି । କଫି ବଗିଚା ଭିତରେ ପରୀକ୍ଷମୂଳକ ଭାବେ ହୋଇଥିବା ଏହି ଚାଷ ଏବେ ଭଲ ଲାଭ ଦେଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score