କେନ୍ଦୁଝର : କୋରାପୁଟ ପରେ କେନ୍ଦୁଝରରେ ମହକିବ କଫି । ସୁଦୃଢ ହେବ ଆର୍ଥିକ ସ୍ଥିତି। ଦୂର ହେବ ଦାଦନ ସମସ୍ୟା। ଏବେ ଚାରିଆଡ଼େ ମହକିବ କେନ୍ଦୁଝର କଫିର ବାସ୍ନା । ଦିନେ ଯେଉଁ ଅଞ୍ଚଳରେ ଚା’ ବଗିଚା ଥିଲା, ଏବେ ସେଠାରେ କଫି ଚାଷ ଆରମ୍ଭ ହୋଇଛି । ବାଂଶପାଳ ବ୍ଲକ ଜଳଡ଼ିହା ଗାଁରେ ଓଡ଼ିଶା କଫି ମିଶନ୍ ସହାୟତାରେ ୮ ହେକ୍ଟର୍ ଜମିରେ ୧୭ ହଜାର କଫି ଚାରା ରୋପଣ ଆରମ୍ଭ ହୋଇଛି । ଫଳରେ ଦାଦନ ସମସ୍ୟା ଦୂର ହେବା ସହ ସ୍ଥାନୀୟ ଲୋକ ରୋଜଗାରକ୍ଷମ ହେବେ ବୋଲି ଆଶା ରଖିଛନ୍ତି ।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଜଳଡିହା ଗାଁ । ଗାଁର ଆମ୍ବତୋଟାରେ ଓଡିଶା କଫି ମିଶନ୍ ଦ୍ୱାରା କଫି ଚାଷ ଆରମ୍ଭ ହୋଇଛି । ସ୍ଥାନୀୟ ତଳବୈତରଣୀ ଗାଁରୁ ଏହି କଫି ଚାରା ଆସୁଥିବା ବେଳେ, ଏଠାରେ ୮ ହେକ୍ଟର୍ ଜମିରେ ୧୭ ହଜାର କଫି ଗଛ ଲଗାଉଛନ୍ତି ଗାଁ ଲୋକେ । ଅନ୍ୟପକ୍ଷରେ ଏଠାରେ କଫି ଚାଷ ହେଉଥିବା ନେଇ ସ୍ଥାନୀୟ ଚାଷୀ ଓ ବାସିନ୍ଦା ଖୁସି ପ୍ରକଟ କରିଛନ୍ତି। ଏହାସହ କହିଛନ୍ତି ଆମେ କେବେ କଫି ଦେଖିନୁ ଆଉ ଏବେ ଆମ ଜିଲ୍ଲାରେ କଫି ଚାଷ ହେଉଛି ତାକୁ ନେଇ ବହୁତ ଖୁସି। ଆଗରୁ ଆମେ ଦାଦନ ଖଟିବାକୁ ଯାଉଥିଲୁ। ହେଲେ ଏବେ ଆଉ ଯିବୁ ନାହିଁ। ଏହା ପୂର୍ବରୁ ତରମାକାନ୍ତ ଅଞ୍ଚଳରେ ଚା’ ବଗିଚା ଥିଲା । ସେଠାରେ ଅନେକ ଲୋକ ଯାଇ କାମ କରୁଥିଲେ । ରୋଜଗାରକ୍ଷମ ହେବା ସହ ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡୁ ନଥିଲା । ଚା’ ଚାଷ ବନ୍ଦ ହୋଇଯିବା ପରେ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି । ଏବେ କଫି ଚାଷ ଆରମ୍ଭ ହେବା ପରେ ଆମ ମନରେ ଏକ ନୂଆ ଉଦ୍ଦୀପନା ସୃଷ୍ଟି ହୋଇଛି । ଗାଁର ପ୍ରତ୍ୟେକ ଲୋକ କଫି ଗଛ ଲଗାଉଛନ୍ତି । କଫି ଚାଷ ଫଳରେ ଲୋକ ଆଉ ବାହାରକୁ ଦାଦନ ଖଟିବା ପାଇଁ ଯିବେ ନାହିଁ । ବାଂଶପାଳ ବ୍ଲକର ଜଳବାୟୁ ସମଶୀତୋଷ୍ଣ ଥିବାରୁ ଏହି ଅଞ୍ଚଳ କଫି ଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ । ପୂର୍ବରୁ ତରମାକାନ୍ତ ଚା’ ପାଇଁ ପ୍ରସିଦ୍ଧିଲାଭ କରିଥିବା ବେଳେ, ଏବେ ତାହା ବନ୍ଦ ହୋଇଯାଇଛି । କୋରାପୁଟ ପରେ, ଆଗକୁ କେନ୍ଦୁଝର କଫିର ସ୍ୱତନ୍ତ୍ର ନାମକରଣ କରି ଏହାର ପ୍ରଚାର ପ୍ରସାର କରାଯିବ । ଏଠାକାର ଉତ୍ପାଦିତ କଫି ବିକ୍ରି କରି ଲୋକମାନେ ଅଧିକ ଲାଭବାନ ହୋଇପାରିବେ।
ଓଡ଼ିଶା କଫି ମିସନ ଜରିଆରେ ବଂଶପାଳ ବ୍ଲକରେ ଏ ବର୍ଷ 20 ହେକ୍ଟର ଜାଗାରେ କଫି ଚାଷ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜଳଡିହା ଓ କୁଆଁରପାଳର 10 ହେକ୍ଟର ଜାଗାରେ କଫି ଚାରା ଲଗା ସରିଲାଣି । ଚଳିତ ବର୍ଷ 20 ହେକ୍ଟର ଜାଗାରେ ଲଗାଯାଉଥିବା ବେଳେ ଆସନ୍ତା ବର୍ଷକୁ 50 ହେକ୍ଟର ଜାଗାରେ କଫି ଲଗାଇବା ପାଇଁ ଲକ୍ଷ୍ୟ ରହିଛି । ଏନେଇ ବାଂଶପାଳ ବ୍ଲକ ତରମାକାନ୍ତ ଅଞ୍ଚଳ ଏହାର ପ୍ରୋସେସିଂ ସେଣ୍ଟର କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ହର୍ଟିକଲ୍ଚର ତରଫରୁ ଗୋଲମରିଚ ଚାରା ମଧ୍ୟ ଆସିଛି । ଯେବେଠୁ କଫି ଚାଷ କେନ୍ଦୁଝରରେ କଫି ଚାଷ ଆରମ୍ଭ ହେଲାଣି ସେବେ ଠାରୁ ସ୍ଥାନୀୟ ଲୋକଙ୍କ ରୋଜଗାର ବଢ଼ିଛି । ଏଠାକାର ଯୁବକ ଯୁବତୀମାନେ ଏହି ବଗିଚାରେ କାମ କରି ବେଶ କିଛି ପଇସା ରୋଜଗାର କରି ପାରୁଛନ୍ତି । ଫଳରେ ବାହାରକୁ ଯିବା ବନ୍ଦ ହୋଇଯାଇଛି । ଆଗରୁ ଉକ୍ତ ଅଞ୍ଚଳରେ ଆମ୍ବ ଉପରେ ଭରଷା କରି କିଛି ଲୋକ ଜିବନ ଜୀବିକା ନିର୍ବାହ କରୁଥିଲେ । କିନ୍ତୁ ଏହି କଫି ଚାଷ ଉକ୍ତ ଜଳବାୟୁ ପାଇଁ ବେଶ ଉପଯୋଗୀ ହୋଇଥିବା ବେଳେ ଏଠାରେ କାର୍ଯ୍ୟ କରି ନିଜ ଭବିଷ୍ୟତ ସୁଧୁରିବାର ଆଶା’ ଦେଖିଛନ୍ତି ସ୍ଥାନୀୟ ଯୁବକ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
