Explore

Search

February 11, 2026 1:46 pm

ଓଡିଶା ହେବ ଶିଳ୍ପ ସମୃଦ୍ଧ, ସୃଷ୍ଟି ହେବ ନୂଆ ନିଯୁକ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ଶିଳ୍ପ କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ ଯୋଡ଼ି ହୋଇଛି । ଷ୍ଟିଲ ସିଟି ରାଉରକେଲାରେ ୮ ହଜାର ୮୮୪ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଶିଳ୍ପ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଏହାଦ୍ୱାରା ସମଗ୍ର ଓଡିଶା ହେବ ଶିଳ୍ପ ସମୃଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୩ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ୯ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ଦ୍ୱାରା ଓଡ଼ିଶାର ଶିଳ୍ପାୟନ ଯାତ୍ରାରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।

ମୋଟ ୮ ହଜାର ୮୮୪ କୋଟି ଟଙ୍କାର ୨୦ଟି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୬ ହଜାର ୮୩୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ଆଗାମୀ ଦିନରେ ଶିଳ୍ପ ନିବେଶକୁ ଆହୁରି ଗତି ଦେବା ଲକ୍ଷ୍ୟରେ ୫୨ ହଜାର ୨୬ କୋଟି ଟଙ୍କା ମୂଲ୍ୟର ନିବେଶ ପାଇଁ ୨୨ଟି ଶିଳ୍ପ ସଂସ୍ଥା ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ପ୍ରାୟ ୨୦ ହଜାର ୪୨୭ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁଜୁରାଟ ମଡେଲକୁ ଅନୁସରଣ କରି ଓଡ଼ିଶାରେ ଶିଳ୍ପାୟନକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ ଏବଂ ରାଜ୍ୟକୁ ଦେଶର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଗଢ଼ି ତୋଳାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟକୁ ଶିଳ୍ପାୟନର ସମସ୍ତ କ୍ଷେତ୍ରରେ ଶ୍ରେଷ୍ଠ କରିବାକୁ ସରକାର ଦୃଢ଼ ପ୍ରତିବଦ୍ଧ। ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ଶିଳ୍ପ ରାଜ୍ୟ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛନ୍ତି ଏବଂ ଅନ୍ୟାନ୍ୟ ଶ୍ରେଷ୍ଠ ରାଜ୍ୟମାନଙ୍କ ସହ ସ୍ୱସ୍ଥ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏନେଇ କହିଛନ୍ତି ଯେ, ଚଳିତ ବର୍ଷ ସିଆଇଆଇ ଦ୍ୱାରା ଆୟୋଜିତ ‘ଏଣ୍ଟରପ୍ରାଇଜ ଓଡ଼ିଶା’ର ବିଷୟବସ୍ତୁ ରହିବା, କାମ କରିବା ଓ ବ୍ୟବସାୟ ପାଇଁ ଓଡ଼ିଶା ଏକ ଶ୍ରେଷ୍ଠ ସ୍ଥାନ। ରାଜ୍ୟ ସରକାରଙ୍କ ଅର୍ଥନୈତିକ ବିକାଶ ସହ ଜୀବନ ଧାରଣରମାନ ଉନ୍ନତିକୁ ସମାନ୍ତରାଳ ଭାବେ ଆଗକୁ ବଢ଼ାଇବା ନୀତିକୁ ପ୍ରତିବିମ୍ବିତ କରୁଛି ।

ଶିଳ୍ପର ସମଗ୍ର ବିକାଶ ମାଧ୍ୟମରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି, ଜନସାଧାରଣଙ୍କ ଜୀବନ ଧାରଣ ମାନରେ ଉନ୍ନତି ଓ ସହଜ ବ୍ୟବସାୟ ପରିବେଶ ସୁନିଶ୍ଚିତ କରିବା ରାଜ୍ୟ ସରକାରର ପ୍ରାଥମିକତା ବୋଲି ସେ କହିଛନ୍ତି । ଶିଳ୍ପାୟନର ଲାଭ ପ୍ରତ୍ୟେକ ରାଜ୍ୟବାସୀଙ୍କୁ ସୁରକ୍ଷିତ ଓ ସମୃଦ୍ଧ ଜୀବନଯାପନ ପାଇଁ ସୁଯୋଗ ଦେବା ଦିଗରେ କାମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତ ଅଞ୍ଚଳରେ କିଛି ବୃହତ ଶିଳ୍ପ ସହିତ ଏକାଧିକ ଏମଏସଏମଇ ଓ ଆନୁଷଙ୍ଗିକ ଶିଳ୍ପର ସମନ୍ୱିତ ବିକାଶ। ଏହା ମାଧ୍ୟମରେ ରାଜ୍ୟର ଯୁବପିଢ଼ି ଚାକିରୀ ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ବରଂ ଚାକିରି ଓ ବ୍ୟବସାୟ ସୁଯୋଗ ସେମାନଙ୍କ ନିଜ ଅଞ୍ଚଳକୁ ପହଞ୍ଚିବ।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଉଦଘାଟିତ ଏହି ୧୧ଟି ଶିଳ୍ପ ପ୍ରକଳ୍ପ ମାଧ୍ୟମରେ ୫ ହଜାର ୭୦୮ କୋଟି ଟଙ୍କାର ନିବେଶ ହୋଇଛି । ଯାହାର ଫଳସ୍ୱରୂପ ପ୍ରାୟ ୪ ହଜାର ୧୮୩ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ଏହାସହିତ ୩ ହଜାର ୧୭୬ କୋଟି ଟଙ୍କା ବ୍ୟୟର ୯ଟି ନୂଆ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ଭାବେ ୨ ହଜାର ୬୪୯ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି ।

ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ରାଉରକେଲା ଚ୍ୟାମ୍ବର ଅଫ କମର୍ସ, ଓଡ଼ିଶା ସ୍ପଞ୍ଜ ଆଇରନ ଉତ୍ପାଦକ ସଂଘ ସହିତ ରାଞ୍ଚି ଓ ରାୟପୁରରୁ ଆସିଥିବା ନିବେଶକମାନଙ୍କ ସହ ତିନୋଟି ସ୍ୱତନ୍ତ୍ର ରାଉଣ୍ଡ ଟେବୁଲ ବୈଠକ କରିଛନ୍ତି । ଏହି ବୈଠକ ଗୁଡ଼ିକରେ ଶିଳ୍ପ ନିବେଶ ଓ ରାଜ୍ୟର ଶିଳ୍ପାୟନ ସମ୍ଭାବନାକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା।

ଆଲୋଚନା ସମୟରେ ରାଜ୍ୟ ସରକାର ୪୩ ହଜାର ୩୪୯ କୋଟି ଟଙ୍କାର ନିବେଶ ପାଇଁ ୨୨ଟି ଶିଳ୍ପ ସଂସ୍ଥା ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିମାନଙ୍କ ମାଧ୍ୟମରେ ପ୍ରାୟ ୧୮ ହଜାର ୯୮୫ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଏହାସହ ଓଡ଼ିଶାରେ ନିବେଶ ପାଇଁ ଆଉ ୫ଜଣ ନୂଆ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନେ ରାଜ୍ୟରେ ଅତିରିକ୍ତ ୮ ହଜାର ୬୭୭ କୋଟି ଟଙ୍କା ନିବେଶ କରିବା ସହ ପ୍ରାୟ ୧ ହଜାର ୪୪୨ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ଜଣାପଡ଼ିଛି।

ଏହି ଅବସରରେ ବେଦାନ୍ତ ଆଲୁମିନିୟମର ୩ ମିଲିୟନ ଟନ କ୍ଷମତା ସମ୍ପନ୍ନ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ଓ ୪,୯୦୦ ମେଗାୱାଟ କ୍ଷମତା ବିଶିଷ୍ଟ ନିଜସ୍ୱ ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ କାମାକ୍ଷାନଗର ଅଞ୍ଚଳରେ ୧,୪୪୭ ଏକର ୯୨୭ ଡିସିମିଲ ଜମି ହସ୍ତାନ୍ତର ସମ୍ପର୍କିତ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଛି।

ନିକଟରେ ଅନୁଷ୍ଠିତ ୪୧ତମ ଉଚ୍ଚକ୍ଷମତା ସମ୍ପନ୍ନ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ, ଏହା ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ବିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନାଯାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ସମସ୍ତ ଶିଳ୍ପ ପ୍ରକଳ୍ପ କିଭଳି ଦ୍ରୁତ ଭାବେ କାର୍ଯ୍ୟକ୍ଷମ ହେବ, ସେଥିପାଇଁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ଏବଂ ନିବେଶକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score