ଦିନ ଥିଲା ମାଣ୍ଡିଆକୁ ଗରିବଙ୍କ ଖାଦ୍ୟ କୁହାଯାଉଥିଲା l ହେଲେ ଏବେ ପ୍ରତି ଘରେ ଘରେ ଅର୍ଥାତ ମଧ୍ୟବିତ୍ତି ଠୁ ନେଇ ଧନୀ ସମସ୍ତଙ୍କ ଘରେ ମାଣ୍ଡିଆ ଖାଦ୍ୟ ଦେଖିବାକୁ ମିଳୁଛି l ଏପରିକି ଏହା ଡାଏଟ ଫୁଡରେ ମଧ୍ୟ ସାମିଲ ହୋଇଗଲାଣି l ଯାହାକୁ ଖାଇ ଲୋକେ ସୁସ୍ଥ ରହିବା ସହ ଶରୀର ମଧ୍ୟ ଫିଟ ରହୁଛି l ଖାଲି ସେତିକି ନୁହେଁ ଓଡ଼ିଶା ସରକାର ଏହାକୁ ଏତେ ପ୍ରଚାର ପ୍ରସାର ଏବଂ ବିଭିନ୍ନ ମେଳା ମହୋତ୍ସବରେ ସାମିଲ ପରେ ଏବେ ମାଣ୍ଡିଆ ସବୁ ବର୍ଗର ଲୋକଙ୍କୁ ଛୁଇଁଛି l ବିଭିନ୍ନ ଜିଲ୍ଲାରେ ମାଣ୍ଡିଆ ଆଉଟଲେଟ୍ ସହ ମେଳା ମାନଙ୍କରେ ଭିଡ଼ ଦେଖିବାକୁ ମିଳିଛି l ମିଲେଟ ଆଧାରିତ କୃଷି ପ୍ରଣାଳୀକୁ ବୃଦ୍ଧି କରିବାରେ ଓଡ଼ିଶା ହୋଇପାରିଛି ଏକ ପ୍ରମୁଖ ରାଜ୍ୟ । ଏହା ସହିତ କୃଷକଙ୍କ ଆୟ ବୃଦ୍ଧି ଓ ଗ୍ରାମୀଣ ଅର୍ଥନୀତି ମାଣ୍ଡିଆ ଚାଷ ଦ୍ୱାରା ସୁଦୃଢ଼ ହୋଇ ପାରିଛି ।
ମିଲେଟ ଆଧାରିତ କୃଷି ପ୍ରଣାଳୀକୁ ବୃଦ୍ଧି କରିବାରେ ଓଡ଼ିଶା ହୋଇପାରିଛି ଏକ ପ୍ରମୁଖ ରାଜ୍ୟ । ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ ବର୍ଷ ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ ବର୍ଷ ପାଇଁ ହେକ୍ଟର ପିଛା ୨୬ ହଜାର ୫୦୦ରୁ ଅଧିକ ଟଙ୍କା ପ୍ରଦାନ କରୁଛନ୍ତି । ଏବେ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ କାର୍ଯ୍ୟ କରୁଛି ଓଡ଼ିଶା ମିଲେଟ ମିଶନ। ମାଣ୍ତିଆ, ସୁଆଁ, କାଙ୍ଗୁ ଆଦିକୁ ପ୍ରୋସୋସିଂ କରାଯାଇ ବିଭିନ୍ନ ଜିଲ୍ଲାକୁ ପଠାଯାଉଛି । ତେବେ ମାସକୁ ପ୍ରାୟ ୧ କ୍ୱିଣ୍ଟାଲ ୫୦ କେଜିରୁ ଅଧିକ ମିଲେଟ୍ ପ୍ରୋସେସିଂ କରାଯାଇ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ସୂଚନାରୁ ପ୍ରକାଶ । ପୂର୍ବରୁ କୋରାପୁଟ, ମାଲକାନଗିରି, ରାୟଗଡା, ସୁନ୍ଦରଗଡ଼, କଳାହାଣ୍ଡି ଏବଂ ଗଜପତି ଜିଲ୍ଲାରେ ଅଧିକ ମାଣ୍ଡିଆ ଚାଷ ହେଉଥିବା ବେଳେ ବର୍ତ୍ତମାନ ମିଲେଟ ମିଶନ ଦ୍ଵାରା ସବୁ ଜିଲ୍ଲାରେ ଚାଷ କରାଯାଉଛି l ୩୦ଟି ଜିଲ୍ଲାରେ 177 ବ୍ଲକରେ ଏହାକୁ ଚାଷ କରାଯାଉଛି l
ଦିନ ଥିଲା ମାଣ୍ଡିଆକୁ ଗରିବଙ୍କ ଖାଦ୍ୟ କୁହାଯାଉଥିଲା । ରାଜ୍ୟ ସରକାରଙ୍କ ମିଲେଟ ମିଶନ, ମିଲେଟ ଖାଦ୍ୟର ବଜାରିକରଣ ପରେ ଏହାର ଚାହିଦା ବଢିଛି । ଏପରିକି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟସ୍ ମାଣ୍ଡିଆ ଖାଇ ମଧ୍ୟ ପ୍ରଶଂସା କରିଛନ୍ତି । ଏବେ ଯୁବପୀଢ଼ି ମଧ୍ୟ ମାଣ୍ଡିଆ ପ୍ରେମରେ ପୁରା ବାୟା । ଛୋଟ ଛୋଟ ଦୋକାନ ଠୁ ଆରମ୍ଭ କରି କ୍ୟାଫେ ସବୁଠି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ମିଳୁଛି । ସ୍ନାକ୍ସ ଠୁ ଆରମ୍ଭ କରି ବିଭିନ୍ନ ପିଠାପଣା ଖାଇ ବେଶ ପସନ୍ଦ ଆସୁଛି । ମାଣ୍ଡିଆକୁ ଲୋକପ୍ରିୟ କରାଇବାରେ ଓଡ଼ିଶା ପ୍ରମୁଖ ଭୂମିକା ନିଭାଇଥିବା ବେଳେ କେନ୍ଦ୍ର ସରକାର 2023 ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଥିଲେ ।
ଦୁଇ ବର୍ଷ ହେଲା ପାଳିତ ହୋଇଆସୁଛି ମିଲେଟ୍ ଡେ’ ବା ମାଣ୍ଡିଆ ଦିବସ । ଆଗରୁ ମାଣ୍ଡିଆକୁ ପ୍ରାୟତଃ ଜାଉ କରି ଖାଦ୍ୟ ଭାବେ ଗ୍ରହଣ କରାଯାଉଥିଲା । ଯାହାକି ସ୍ବାସ୍ଥ୍ୟ ପାଇଁ ବେଶ ପୃଷ୍ଟିକର । ଏହି ସୁପର ଫୁଡ୍ର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୭ ମସିହାରେ ଆରମ୍ଭ କରିଥିଲେ ‘ଓଡ଼ିଶା ମିଲେଟ୍ ମିଶନ’ । ମିଲେଟ୍ ମିଶନ୍ ମାଧ୍ୟମରେ ଗ୍ରାମୀଣ ତଥା ସହରୀ ମହିଳା ମଧ୍ୟ ରୋଜଗାରକ୍ଷମ ହୋଇପାରୁଛନ୍ତି । ଏଥିସହ ଏହା ଦ୍ବାରା କ୍ଷୁଦ୍ର ଶସ୍ୟର ପୁନରୁଦ୍ଧାର ଓ ଆଦିବାସୀ ଅଞ୍ଚଳର ମିଲେଟ୍ କ୍ଷୁଦ୍ର ଶସ୍ୟ ଜାତୀୟ ଖାଦ୍ୟର ପ୍ରଚାର ପ୍ରସାର ହୋଇପାରୁଛି । ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଚାହିଦା ରହିଛି l ଏହା ମୂଳତଃ ଆଦିବାସୀ ଅଞ୍ଚଳରେ ମିଳୁଥିଲା ହେଲେ ଏବେ ସବୁ ଜାଗାରେ ପାଇପାରିବେ l
ମାଣ୍ଡିଆ ଗୋଟେ ସମ୍ପୂର୍ଣ୍ଣ ଅନ୍ନ । ଏହା ପୋଷଣତତ୍ତ୍ୱରେ ଭରପୁର । ଯାହା ଶରୀରରକୁ ପୋଷଣ ଦିଏ । ପାଟି ପାଇଁ ସ୍ୱାଦରେ ଓ ମାଟିର ଉର୍ବରତା ପାଇଁ ବେଶ ଉପଯୋଗୀ । କମ ପାଣି ଓ ଖରାପ ମାଟିରେ ମଧ୍ୟ ଏହା ଉତ୍ପାଦନ ହୁଏ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମିଲେଟ ପ୍ରଚାର ପ୍ରସାର ପାଇଁ ଯଥେଷ୍ଟ ପ୍ରଚେଷ୍ଟା କରାଯାଉଛି । ମିଡ ଡେ ମିଲ୍ସ ଠାରୁ ଆରମ୍ଭ କରି ଆହୁରି ଲୋକଙ୍କ ଦୈନନ୍ଦିନ ଜୀବନରେ କେମିତି ବ୍ୟବହାର ହେବ ସେନେଇ ସରକାର ଚେଷ୍ଟିତ ଅଛନ୍ତି ।
ମାଣ୍ଡିଆ ହେଉଛି ଏକ ବାଜରା ଜାତୀୟ ଲଘୁ ଶସ୍ୟ । ଏହା ମୁଖ୍ୟତଃ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେେ ବହୂଳ ଭାବେ ଚାଷ କରାଯାଏ । ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ମାଣ୍ଡିଆ ଫସଲ ସବୁ ପ୍ରକାର ଜମିରେ ଚାଷ କରାଯାଇ ପାରିବ। ଓଡ଼ିଆ ଖାଦ୍ୟ ଜାଉ ମୁଖ୍ୟତଃ ମାଣ୍ଡିଆ, ଚାଉଳ, ଯଅ ଓ ଖୁଦରୁ ତିଆରି କରାଯାଇଥାଏ । ଅତି ପୁରାତନ କାଳରୁ “ମାଣ୍ଡିଆ” ଗ୍ରାମାଞ୍ଚଳର ଲୋକମାନଙ୍କର ଏକ ପ୍ରିୟ ଖାଦ୍ଯ ରୂପେ ପରିଚିତ। ଖାଦ୍ୟସାରରେ ଭରପୁର ଏହା ଏକ ଉପାଦେୟ ଶସ୍ୟ । ଏଥିରେ ଅତ୍ୟାବଶ୍ୟକୀୟ ଆମିନୋଏସିଡ ଥିବା ସହିତ ପ୍ରଚୁର ପରିମାଣର ପୁଷ୍ଟିସାର, ସ୍ନେହସାର ,ଶ୍ୱେତସାର ,ଖଣିଜ ଦ୍ରବଣ , କ୍ୟାଲସିୟମ,ଫସ୍ଫରସ, ଲୌହ ଓ ତନ୍ତୁଭାଗ ଭାରି ରହିଛି । ତେଣୁ ଗୁଣାତ୍ମକମାନ ଦୁଷ୍ଟିରୁ ଧାନ, ମକା ଓ ଗହମ ଠାରୁ ମାଣ୍ଡିଆ ସବୁ ଦିଗରୁ ଉନ୍ନତ । ଏଣୁ ଏହା ଶିଶୁ ଓ ଗର୍ଭବତୀଙ୍କୁ ମଧ୍ୟ ଦିଆଯାଏ । ରୋଗୀମାନଙ୍କ ପାଇଁ ଏହା ଏକ ଉପାଦେୟ ଖାଦ୍ଯ ଅଟେ । ମାଣ୍ଡିଆରୁ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ଯଥା ଉପମା, କ୍ଷିରୀ, ରୁଟି ଓ ସ୍ନାକ୍ ଇତ୍ୟାଦି ପ୍ରସ୍ତୁତ ହୋଇପାରୁଛି ।
ମାଣ୍ଡିଆ ଏକ ଗ୍ରୀଷ୍ମମଣ୍ଡଳୀୟ ଫସଲ ହେଲେ ମଧ୍ୟ ଏହା ଏକ ଋତୁ ଅନୁକୂଳ ଫସଲ । ଯାହା ବର୍ଷସାରା ଚାଷ କରାଯାଇପାରିବ। ମାଣ୍ଡିଆ ମାତ୍ର ୪୦-୬୦ ସେ.ମି ଜଳ ଆବଶ୍ୟକ କରେ । ସମତଳ, ନିଗିଡା ଢିପ ଜମି ମାଣ୍ଡିଆ ଚାଷ ପାଇଁ ଉପଯୁକ୍ତ । ଲୁଣି ମାଟିରେ ମଧ୍ୟ ମାଣ୍ଡିଆ ଚାଷ କରାଯାଇ ପାରିବ । ଏଥିପାଇଁ ଖୁବ କମ ପାଣିର ଆବଶ୍ୟକ ରହିଛି । ବର୍ଷର ସବୁ ସମୟରେ ମାଣ୍ଡିଆ ଚାଷ କରାଯାଇ ପାରେ । ମାଣ୍ଡିଆକୁ ଉତ୍ତମ ପଥ୍ୟ ହିସାବରେ ଗ୍ରହଣ କରାଯାଇଛି ।ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ଓ ରୋଗାକ୍ରାନ୍ତ ବ୍ୟକ୍ତି ସମସ୍ତେ ଏହାକୁ ବ୍ୟବହାର କରିପାରିବେ । ମାଣ୍ଡିଆରେ ବହୁତ ଔଷଧୀୟ ଗୁଣ ରହିଛି। ରକ୍ତରେ କୋଲେଷ୍ଟରଲକୁ ନିୟନ୍ତ୍ରିତ କରିଥାଏ। ମାଣ୍ଡିଆରେ ଆମିନୋ ଏସିଡ୍ ଭରପୂର ଥିବାରୁ ଲିଭରରେ ଚର୍ବି ଜମିବାକୁ ଦେଇ ନ ଥାଏ । ତେଣୁ ଲିଭର ବା ଯକୃତ୍ ସୁସ୍ଥ ରଖିବାରେ ମାଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମାନସିକ ଅବସାଦକୁ ନିୟନ୍ତ୍ରଣ କରିଥାଏ । ନିମ୍ନ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଯେଉଁ ସବୁ ପଦାର୍ଥ ଶରୀରରେ କ୍ଷତି ସାଧନ ଘଟାଇଥାଏ ତା’ ବିରୋଧରେ ଏହା ସଂଗ୍ରାମ କରିଥାଏ । ଶରୀରରେ ଥିବା କ୍ଷତିକାରକ କୋଲେଷ୍ଟରଲକୁ କମାଇଥାଏ । ଶରୀର କୋଷିକାକୁ ସୁରକ୍ଷିତ ରଖିଥାଏ । ମାଣ୍ଡିଆ ବୌଦ୍ଧିକତାର ପରିପ୍ରକାଶ ସହିତ ପୁଷ୍ଟିହୀନତା ଦୂରକରେ । ପ୍ରୋଟିନ ଯୋଗୁଁ ଶିଶୁଙ୍କ ମାଂସପେଶୀ ବିକାଶରେ ସାହାଯ୍ୟ କରିଥାଏ। ଏଥିରେ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ ନିମନ୍ତେ ହାଡକୁ ମଜଭୁତ କରେ। ଶରୀରର ଓଜନ ହ୍ରାସ କରିଥାଏ। ଏହି ଶସ୍ୟଗୁଡ଼ିକ କର୍କଟରୋଗ, ରକ୍ତହିନତା ଏବଂ ଭିଟାମିନ ବି’ର ଅଭାବ, ହୃଦ୍ଘାତ, ମଧୁମେହଜନିତ ସମସ୍ୟା ଇତ୍ୟାଦି କମାଇବାରେ ସାହାଯ୍ୟ କରିଥାଏ ।
ଖାଲି ସେତିକି ନୁହେଁ କୋରାପୁଟ ଜିଲ୍ଲାର ଜୟପୁର ପାରାବେଡାରେ ମାଣ୍ଡିଆ ଚା’ ବିକ୍ରି ହେଉଛି । ଚା’ ଖାଲି ନୁହେଁ ମାଣ୍ଡିଆରେ ମିକ୍ସଚର, ବିସ୍କୁଟ, ମୁଡ୍କି, ଲଡ଼ୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ଓଡ଼ିଶା ମିଲେଟ୍କୁ ବିଶ୍ୱବ୍ୟାପୀ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାକୁ ସହଜ କରିବା ପାଇଁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ମିଲେଟ୍ସ ଏଥିଲାଗି ଅନ୍ ଲାଇନରେ ବ୍ୟବସାୟ ପାଇଁ କେତେକ ସଂସ୍ଥା ସହିତ ଆଲେଚନା ଚଳାଇଛି । ୨୦୧୭ ମସିହାରୁ ଓଡ଼ିଶା ମିଲେଟ୍ସ୍ ମିଶନ କାର୍ଯ୍ୟ କରୁଛି । ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ ବହୁବର୍ଷ ଧରି ଅନୁସୂଚିତ ଜନଜାତିର ଲୋକମାନେ ପୋଡୁ ଚାଷ କରି ପାହାଡ଼ ଅଞ୍ଚଳରେ ମାଣ୍ଡିଆ ଚାଷ କରୁଥିଲେ । ଏହି ମାଣ୍ଡିଆ ସେମାନଙ୍କର ସାରା ବର୍ଷର ମୁଖ୍ୟ ଖାଦ୍ୟ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ମାଥିଲି, କୁଡୁମୁଲୁଗୁମ୍ମା, ଖଇରପୁଟ, କୋରୁକୋଣ୍ଡା, ଅଞ୍ଚଳରେ ବହୁଳ ଭାବେ ମାଣ୍ଡିଆ ଚାଷ କରାଯାଉଛି । ସ୍ବାଭିମାନ ଅଞ୍ଚଳ ବଡପଡା, ପାପରମେଟଲାର ଭଳି ବିଭିନ୍ନ ଗ୍ରାମରେ ମାଣ୍ଡିଆ ଚାଷ ହେଉଛି । ଚଳିତ ବର୍ଷ -ଚିତ୍ରକୋଣ୍ଡା ବ୍ଲକରେ ୧୪ଟି ପଞ୍ଚାୟତରେ ୧୩୦୦ ହେକ୍ଟର ଜମିରେ କେବଳ ଜୈବିକ ଖତ ସାର ବ୍ୟବହାରରେ ମାଣ୍ଡିଆ ଚାଷ ହେଉଛି । ମାଣ୍ଡିଆର ଜଳଖିଆ ଚାହିଦା ଏହି ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଗାମୀ ଦିନରେ ଜିଲ୍ଲାରେ ଚାଷୀମାନଙ୍କୁ ଅଧିକ ମାଣ୍ଡିଆ ଚାଷ କରିବା ପାଇଁ ଉତ୍ସାହିତ କରାଯିବ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
