ଏଣିକି ଲଗେଜ୍ ପଠେଇବାରେ ବିଳମ୍ୱ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ । ଆଉ ଏହି କ୍ଷତିପୂରଣ ବହନ କରିବ ଏୟାରଲାଇନ୍ସ କମ୍ପାନୀ । ଯାତ୍ରୀ ଯଦି ସେମାନଙ୍କର ଲଗେଜ୍ ପାଇବାରେ ଅସୁବିଧା ଭୋଗନ୍ତି କିମ୍ବା ଅଧିକ ସମୟ ଅପେକ୍ଷା କରନ୍ତି ତେବେ ଏୟାରଲାଇନ୍ସ କମ୍ପାନୀ ଏଥିପାଇଁ କ୍ଷତିପୂରଣ ବହନ କରିବ । ସାଧାରଣତଃ ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଅଧିକ ଅସୁବିଧାରେ ପଡ଼ିଥାନ୍ତି ଲଗେଜ ବିଳମ୍ୱ ଯୋଗୁଁ । ଅନେକ ସମୟରେ ଯାତ୍ରୀ ବିମାନରୁ ଓହ୍ଲାଇବା ପରେ ସେମାନଙ୍କ ଲଗେଜ ପାଇବାରେ ବିଳମ୍ବ ହୋଇଥାଏ । ଏଥିପାଇଁ ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିଥାଏ । ସେମାନଙ୍କର ଲଗେଜ ସମୟ ସୀମାରେ ତାଙ୍କ ପାଖରେ ପହଞ୍ଚେ ନାହିଁ । ଫଳରେ ଯାତ୍ରୀମାନେ ହଇରାଣ ହୋଇଥାନ୍ତି । ଯେମିତି ଏବେ ଇଣ୍ଡିଗୋ କ୍ଷେତ୍ରରେ ଦେଖିବାକୁ ମିଳୁଛି । ବିମାନ ବିଳମ୍ବ ହେବାପରେ ଯାତ୍ରୀଙ୍କୁ ବିକଳ୍ପ ବିମାନରେ ପଠାଇ ଦିଆଯାଉଛି । ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚି ନିଜ ଲଗେଜ ପାଇବାରେ ହଟହଟା ହେଉଛନ୍ତି ଯାତ୍ରୀ । ସେମାନଙ୍କୁ ଲଗେଜ ନେଇ କୌଣସି ସଠିକ ସୂଚନା ଦେଉନାହିଁ ଇଣ୍ଡିଗୋ। ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେବେ ଏହି ପ୍ରସଙ୍ଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା DGCAର ଏକ ନିୟମ ଅଛି। ଯାହା ଅନୁଯାୟୀ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ । ନିୟମ ଅନୁସାରେ ଯଦି କୌଣସି ବିମାନ ଯାତ୍ରୀ ନିଜ ଲଗେଜ ପାଇଁ ତାଙ୍କୁ ଘଣ୍ଟା ଘଣ୍ଟା କିମ୍ବା ପରଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ ତେବେ ଏଥିପାଇଁ ଏୟାରଲାଇନ୍ସ ସମସ୍ତ ଖର୍ଚ୍ଚ ଉଠାଇବ । ଏହାସହ ଯାତ୍ରୀଙ୍କୁ କ୍ଷମା ମାଗିବା ସହ ଆବଶ୍ୟକ ସାମଗ୍ରୀ ପାଇଁ କରିଥିବା ଖର୍ଚ୍ଚର କ୍ଷତିପୂରଣ ଦେବ । ତେବେ ଜାଣନ୍ତୁ କେଉଁ ସାମଗ୍ରୀ ପାଇଁ ଖର୍ଚ୍ଚ ବହନ କରିବ ଏୟାରଲାଇନ୍ସ ।
ଯାତ୍ରୀ କିଣିବାକୁ ବାଧ୍ୟ ହୋଇଥିବା ଜିନିଷ ଯେପରିକି ପୋଷାକ, ପ୍ରସାଧନ ସାମଗ୍ରୀ କିମ୍ବା ଔଷଧ ଉପରେ ହିଁ କେବଳ ଏହି କ୍ଷତିପୂରଣ ଲାଗୁ ହେବ । ତେବେ କ୍ଷତିପୂରଣ ପାଇଁ ଯାତ୍ରୀମାନଙ୍କୁ ବିମାନ କମ୍ପାନୀକୁ କରିଥିବା କ୍ରୟର ରସିଦ ଦାଖଲ କରିବାକୁ ପଡିବ। ସେହିପରି ଯଦି ଆପଣଙ୍କର ଯାଞ୍ଚ ହୋଇଥିବା ବ୍ୟାଗେଜ ଏୟାରଲାଇନ୍ସର ହେପାଜତରେ ହଜିଯାଏ, କ୍ଷତିଗ୍ରସ୍ତ ହୁଏ କିମ୍ୱା ବିଳମ୍ବ ହୁଏ ତେବେ ଘରୋଇ ଉଡ଼ାଣରେ ପ୍ରତି ଯାତ୍ରୀଙ୍କ ପାଇଁ ସର୍ବାଧିକ ୨୦ ହଜାର ଟଙ୍କା ଏବଂ ଆନ୍ତର୍ଜାତୀୟ ବିମାନ ପାଇଁ ୧.୨–୧.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରେ ବୋଲି ସୂଚନାରୁ ପ୍ରକାଶ । ସେଥିପାଇଁ ଯେଉଁ ବିମାନ ଯାତ୍ରୀଙ୍କ ବ୍ୟାଗେଜ ଏୟାରଲାଇନ୍ସର ହେପାଜତରେ ହଜିଯାଏ, କ୍ଷତିଗ୍ରସ୍ତ ହୁଏ ତାହାଲେ ତୁରନ୍ତ ବିମାନ କାଉଣ୍ଟରରେ ଏକ ରିପୋର୍ଟ ଦାଖଲ କରିବା ଦରକାର ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
