ପାରଳାଖେମୁଣ୍ଡି : ରାଜ୍ୟରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ ରହିଛି । ତେଣୁ ସରକାରୀ ଡାକ୍ତରଖାନା ଗୁଡ଼ିକରୁ ମୃତଦେହ ପରିବହନ ପାଇଁ ମହାପ୍ରୟାଣ ଗାଡ଼ିର ଅଭାବ ରହିଛି । ଯାହା ଏକ ଗୁରୁତର ସମସ୍ୟା ହୋଇ ଉଠିଛି । ଫଳରେ କିଛି ଲୋକେ ଏହି ମହାପ୍ରୟାଣ ଗାଡି ନପାଇ ବାଧ୍ୟ ହୋଇ ମୃତଦେହକୁ ବାଇକ, ସାଇକେଲ କିମ୍ବା କାନ୍ଧରେ ବୋହି ନେଉଥିବା ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।
ତେଣୁ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦୁଇ ମାସ ମଧ୍ୟରେ ମୃତଦେହ ପରିବହନ ପାଇଁ ମହାପ୍ରୟାଣ ଗାଡ଼ିର ବିକଳ୍ପ ଭାବେ ‘୧୦୯ ନମ୍ବର ଯାନ’ ସେବା ଆରମ୍ଭ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି ।
ସୂଚନାଅନୁସାରେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଯୋଜନାମାନର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଗୁଣମାନ ଉନ୍ନତ କରିବା ଲକ୍ଷ୍ୟରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ ପୂରଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏହି ଅନୁସାରେ ଆଗାମୀ ଦିନରେ ସରକାର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ରୁ ୬ ଜଣ ପିଜି ଡିପ୍ଲୋମା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି । ଏହଦ୍ୱାରା ପିଏଚସି ଓ ସିଏଚସି ସ୍ତରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଅନେକ ପରିମାଣରେ ଦୂର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ଏହାସହିତ ଖୁବ ଶୀଘ୍ର ଗଜପତି ଜିଲ୍ଲାର ସମସ୍ତ ୧୪୯ଟି ପଞ୍ଚାୟତରେ ‘ଆୟୁ ଆରୋଗ୍ୟ ମନ୍ଦିର’ ପ୍ରତିଷ୍ଠା କରାଯିବ । ଖାଲି ସେତିକି ନୁହେଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର କୋଠା ନିର୍ମାଣ କରାଯିବ । ସେହିପରି ଜିଲ୍ଲାର ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୬ଟିକୁ ଉନ୍ନୀତ କରାଯିବ ଓ ୨୧ଟି ପ୍ରାଥମିକ ଚିକିତ୍ସାକେନ୍ଦ୍ରକୁ ମଧ୍ୟ ଉନ୍ନୀତ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୫୦ ଶଯ୍ୟା ବିଶିଷ୍ଟ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
