Explore

Search

February 27, 2026 1:52 am

ଏଆଇର ନୂତନ ପର୍ଯ୍ୟାୟ : ଫୋନରେ ନିଜେ କାମ କରିବ ‘ଜେମିନି’

ହାଇଦ୍ରାବାଦ : ଏକବିଂଶତମ ଶତାବ୍ଦୀକୁ ଅନେକ ଟେକ ବିଶେଷଜ୍ଞ “ଏଆଇର ଯୁଗ” ବୋଲି କହୁଛନ୍ତି । ଅର୍ଥାତ ଆଗାମୀ ସମୟରେ ଟେକ୍ନୋଲୋଜି ଓ ଏଆଇ ଆମ ଦୈନିକ ଜୀବନର ଅଂଶ ହେବ। ଏହି ପରିପ୍ରେକ୍ଷୀରେ ବିଶ୍ୱପ୍ରସିଦ୍ଧ ଟେକ କମ୍ପାନୀ ଗୁଗୁଲ ତାହାର ଏଆଇ ପ୍ଲାଟଫର୍ମ ଗୁଗୁଲ ଜେମିନି ସମ୍ପର୍କରେ ବଡ଼ ଘୋଷଣା କରିଛି।

କମ୍ପାନୀର କହିବା ଅନୁସାରେ, ଜେମିନି ଆଗାମୀ ଦିନରେ କେବଳ ପ୍ରଶ୍ନର ଉତ୍ତର ଦେବାରେ ସୀମିତ ରହିବ ନାହିଁ। ଏହା ଏକ “ଏଜେଣ୍ଟ” ଭଳି କାମ କରିବ, ଯାହା ଆପଣଙ୍କ ମୋବାଇଲରେ ଥିବା ବିଭିନ୍ନ ଆପକୁ ନିଜେ ଚଳାଇ ପାରିବ। ଉଦାହରଣ ସ୍ୱରୂପ, ଯଦି ଆପଣ ଖାଦ୍ୟ ଅର୍ଡର କରିବାକୁ ଚାହୁଁଛନ୍ତି, ତେବେ କେବଳ ଜେମିନିକୁ କହିଲେ ହେଲା। ସେ ନିଜେ ଫୁଡ ଡେଲିଭରି ଆପ ଖୋଲି ଅର୍ଡର ପ୍ରକ୍ରିୟା ସମ୍ପନ୍ନ କରିଦେବ।

ସେହିପରି ଗାଡ଼ି ବୁକ କରିବା, ରିଜର୍ଭେସନ କରିବା କିମ୍ବା ଅନ୍ୟାନ୍ୟ ବହୁସ୍ତରୀୟ କାମ ମଧ୍ୟ ଏହା ହାତେଇ ପାରିବ ବୋଲି ଜଣାପଡିଛି । ଟେକ୍ନୋଲୋଜିର ଏହି ନୂତନ ପଦକ୍ଷେପ ଆଗାମୀ ଦିନରେ ମୋବାଇଲ ବ୍ୟବହାର ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିପାରେ ବୋଲି ବଜାରରେ ଚର୍ଚ୍ଚା ଚାଲିଛି ।

କିପରି କରିବେ ଜେମିନିରେ ଖାଦ୍ୟ ଅର୍ଡର

ଗୁଗୁଲର ଆଣ୍ଡ୍ରଏଡ ବିଭାଗର ସଭାପତି ନିକଟରେ ଗୁଗୁଲ ଜେମିନିର ନୂତନ ‘ଏଜେଣ୍ଟିକ’ ସୁବିଧା କିପରି କାମ କରିବ, ତାହାର ଏକ ଡେମୋ ଦେଖାଇଥିଲେ । ଡେମୋ ସମୟରେ ସେ ପ୍ରଥମେ ଜେମିନିକୁ ଖାଦ୍ୟ ଅର୍ଡର କରିବାକୁ ପଚାରିଥିଲେ । ପରେ ଏକ ଫୁଡ ଡେଲିଭରି ଆପର ମାଧ୍ୟମରେ ଅର୍ଡର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜେମିନି ପ୍ରଥମେ ଫ୍ୟାମିଲି ଗ୍ରୁପ୍ ଚାଟରୁ ସମସ୍ତଙ୍କ ପସନ୍ଦ ବୁଝିନେଇଥିଲା ଏବଂ ସେହି ତଥ୍ୟ ଆଧାରରେ ଅର୍ଡର ବିକଳ୍ପ ସ୍କ୍ରିନରେ ଦେଖାଇଥିଲା। ପରବର୍ତ୍ତୀକାଳରେ ୟୁଜର ଭଏସ କମାଣ୍ଡ ମାଧ୍ୟମରେ ଅର୍ଡରକୁ ସମ୍ପୂର୍ଣ୍ଣ କରିଥିଲେ। ଅର୍ଡର ପ୍ରସ୍ତୁତ ହେବା ପରେ ଜେମିନି ଏକ ଆଲର୍ଟ ପଠାଇ ରିଭ୍ୟୁ କରି ସବମିଟ ବଟନ ଦବାଇବାକୁ ସୂଚନା ଦେଇଥିଲା।

ହେଲେ ଏହା ସଜୀବ ପ୍ରଦର୍ଶନ ନୁହେଁ, ପୂର୍ବରୁ ରେକର୍ଡ ହୋଇଥିବା ଭିଡିଓ ମାଧ୍ୟମରେ ଦେଖାଯାଇଥିଲା। ଏହି ନୂତନ ସୁବିଧା ବର୍ତ୍ତମାନ Samsung Galaxy S26 ଓ Pixel 10 ପରି କିଛି ନୂତନ ସ୍ମାର୍ଟଫୋନରେ ପରୀକ୍ଷାଧୀନ ଅବସ୍ଥାରେ ରହିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଶୀଘ୍ର ଏହି ସୁବିଧା ସାଧାରଣ ଗ୍ରାହକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score