Explore

Search

April 7, 2026 1:34 am

ଆଜିଠୁ ସିଲ୍କ ସିଟି ମହୋତ୍ସବ : ୭ ଦିନ ଯାଏଁ ଦୁଲକିବ ବ୍ରହ୍ମପୁର

ବ୍ରହ୍ମପୁର : ଆଜିଠୁ ଆରମ୍ଭ ହେଲା ସିଲ୍କ ସିଟି ମହୋତ୍ସବ । ଆଗାମୀ ୭ ଦିନବ୍ଯାପୀ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିବ ଏହି ସିଲ୍କ ସିଟି ମହୋତ୍ସବ । ଏହି ମହୋତ୍ସବରେ ବ୍ରହ୍ମପୁର ପାଟ୍ଟର ପ୍ରଚାର ପ୍ରସାର ସହ ସ୍ବଦେଶୀ ଜିନିଷ, ମହିଳା ସଶକ୍ତିକରଣ ଓ ଆତ୍ମା ନିର୍ଭରଶୀଳତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହା ବ୍ୟତୀତ ବିଭିନ୍ନ କୃଷିଭିତ୍ତିକ ସାମଗ୍ରୀର କ୍ରୟବିକ୍ରୟ ହେବ । ମହିଳାମାନେ ପ୍ରତିଭା ପ୍ରଦର୍ଶନ କରିବାସହ ଯୁବଉଦ୍ୟୋଗୀମାନେ ନୂଆ ଦିଶା ପାଇବେ । ଏଥିପାଇଁ ୨୨୦ଟି ଷ୍ଟଲ ଖୋଲାଯାଇଛି ।

ବ୍ରହ୍ମପୁର ସହର, ଯାହା ସିଲ୍କ ସିଟି ବୋଲି ପରିଚିତ । ତାର ସାମ୍ପ୍ରଦାୟିକ ଓ ସାଂସ୍କୃତିକ ଐତିହ୍ୟକୁ ଆଲୋକିତ କରିବା ପାଇଁ ପ୍ରତିବର୍ଷ “ସିଲ୍କ ସିଟି ମହୋତ୍ସବ” ବିଶେଷ ଆଡମ୍ବର ସହ ପାଳିତ ହୁଏ। ଏହି ମହୋତ୍ସବ ଗଞ୍ଜାମ ଜିଲ୍ଲାର ସଂସ୍କୃତି, କଳା, ହସ୍ତଶିଳ୍ପ ଓ ପାରମ୍ପରିକତାକୁ ପ୍ରଦର୍ଶନ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଚିତ।

ଏହି ଉତ୍ସବରେ ସ୍ଥାନୀୟ କଳାକାରମାନେ ତାଙ୍କର ନୃତ୍ୟ, ସଙ୍ଗୀତ ଓ ନାଟ୍ୟ ପ୍ରତିଭାକୁ ଦେଖାଇଥାନ୍ତି। ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଲୋକସଙ୍ଗୀତ ଓ ଆଧୁନିକ କଳାର ମିଶ୍ରଣ ଏହି ମଞ୍ଚକୁ ଅଧିକ ଆକର୍ଷଣୀୟ କରେ। ଏଥିସହିତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ମଧ୍ୟ ଏହି ମହୋତ୍ସବରେ ଭାଗ ନେଇ ଦର୍ଶକମାନଙ୍କୁ ମନୋରଞ୍ଜନ ଯୋଗାଇଥାନ୍ତି ।

ସିଲ୍କ ସିଟି ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ହସ୍ତଶିଳ୍ପ ଓ ହ୍ୟାଣ୍ଡଲୁମ ପ୍ରଦର୍ଶନୀ । ବ୍ରହ୍ମପୁରର ପାଟ୍ଟ ଶାଢ଼ୀ, ସିଲ୍କ ବସ୍ତ୍ର ଓ ପାରମ୍ପରିକ କଳାକୃତି ଏଠାରେ ଦର୍ଶକଙ୍କୁ ଆକୃଷ୍ଟ କରେ। ଏହା ସ୍ଥାନୀୟ ଶିଳ୍ପୀମାନଙ୍କ ପାଇଁ ତାଙ୍କର ସୃଜନଶୀଳତାକୁ ପ୍ରଚାର କରିବାର ଏକ ଉତ୍ତମ ସୁଯୋଗ।

ଏହି ମହୋତ୍ସବରେ ଖାଦ୍ୟ ମେଳା ମଧ୍ୟ ବିଶେଷ ଆକର୍ଷଣ। ଓଡ଼ିଆ ପାରମ୍ପରିକ ଖାଦ୍ୟ ସହ ଭିନ୍ନ ଭିନ୍ନ ରାଜ୍ୟର ସ୍ୱାଦିଷ୍ଟ ପଦାର୍ଥ ଦର୍ଶକମାନଙ୍କୁ ଆନନ୍ଦ ଦେଇଥାଏ । ପରିବାର ସହିତ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ କେବଳ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ଲୋକେ ଭିଡ଼ ଜମାନ୍ତି।

ସିଲ୍କ ସିଟି ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ଏହା ଆମ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷଣ କରିବାର ଏକ ପ୍ରୟାସ। ଏହା ଯୁବପୀଢ଼ିଙ୍କୁ ଆମ ଐତିହ୍ୟ ସହ ଯୋଡ଼ି ରଖିବାରେ ସହାୟକ ହୋଇଛି । ସେଥିପାଇଁ, ଏହି ମହୋତ୍ସବ ସମଗ୍ର ବ୍ରହ୍ମପୁରବାସୀଙ୍କ ପାଇଁ ଗର୍ବର ବିଷୟ ଓ ସଂସ୍କୃତିର ଏକ ସୁନ୍ଦର ପ୍ରତିବିମ୍ବ।

ଖାଲି ସେତିକି ନୁହେଁ ଏଠାରେ ବୁଣାକାରଠୁ ଆରମ୍ଭ କରି ବ୍ୟବସାୟୀଙ୍କୁ ମିଳିବ ପ୍ରୋତ୍ସାହନ । ସେହିପରି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଲୋକକଳା ଓ ଲୋକନୃତ୍ୟ ପରିବେଷିତ ହେବ । ବିଭିନ୍ନ ଦିନରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ଦୁଇ ସାଂସଦ, ଦୁଇ ମନ୍ତ୍ରୀ, ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମର ପଦାଧିକାରୀଗଣ ଯୋଗ ଦେବେ ବୋଲି ବିଧାୟକ କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score