Explore

Search

April 7, 2026 8:37 am

ଆଜିଠାରୁ ଡିଜିଟାଲ ଜନଗଣନା

ରାଜ୍ୟରେ ଆଜିଠାରୁ ଆଧୁନିକ ପ୍ରଣାଳୀରେ ଡିଜିଟାଲ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । ସାରା ଦେଶରେ ଏକା ସମୟରେ ଏହି ଅଭିଯାନ ଶୁଭାରମ୍ଭ ହୋଇଥିବା ବେଳେ ରାଜ୍ୟପାଳଙ୍କ ବାସଭବନରୁ ଏହାର ଔପଚାରିକ ଉଦଘାଟନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ୧୫ ଦିନ ଯାଏଁ ‘ସ୍ୱଗଣନା’ ବା ସେଲ୍ଫ ଏନୁମେରେସନ ଚାଲିବ। ଏହି ସମୟରେ ନାଗରିକମାନେ ନିଜେ ଅନଲାଇନ ପୋର୍ଟାଲ କିମ୍ବା ମୋବାଇଲ ଆପ ମାଧ୍ୟମରେ ନିଜ ତଥ୍ୟ ଭରିପାରିବେ। ସରକାରଙ୍କ ସୂଚନା ଅନୁସାରେ, ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ଜନଗଣନାକାରୀମାନେ ଘରକୁ ଘରେ ଯାଇ ତଥ୍ୟ ସଂଗ୍ରହ କରିବେ।

ଅନଲାଇନରେ ନିଜେ ଭରନ୍ତୁ ତଥ୍ୟ

ସ୍ୱଗଣନା ପାଇଁ ନାଗରିକମାନେ ନିର୍ଦ୍ଧାରିତ ପୋର୍ଟାଲକୁ ଯାଇ କିମ୍ବା ମୋବାଇଲ ଆପ ମାଧ୍ୟମରେ ନିଜ ଓ ପରିବାରର ସମସ୍ତ ତଥ୍ୟ ଦେଇପାରିବେ। ପ୍ରାୟ ୩୩ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ, ଯାହାରେ ଘରର ଗଠନ, ପରିବାର ସଦସ୍ୟ, ଶିକ୍ଷା, ସାମାଜିକ ଓ ଅର୍ଥନୈତିକ ସ୍ଥିତି ସମ୍ବନ୍ଧୀୟ ବିବରଣୀ ରହିଛି।

ଏହି ପ୍ରଶ୍ନଗୁଡ଼ିକ ମଧ୍ୟରେ ଘରର ପ୍ରକାର, କୋଠା ସଂଖ୍ୟା, ପାନୀୟ ଜଳ ଉତ୍ସ, ବିଦ୍ୟୁତ ସୁବିଧା, ଶୌଚାଳୟ, ଇନ୍ଧନ ବ୍ୟବହାର, ଇଣ୍ଟରନେଟ ସୁବିଧା, ମୋବାଇଲ, ଟିଭି, ଯାନବାହନ ଇତ୍ୟାଦି ସମ୍ବନ୍ଧୀୟ ତଥ୍ୟ ଅନ୍ତର୍ଭୁକ୍ତ ଅଛି।

ସରକାର ସ୍ପଷ୍ଟ କରିଛନ୍ତି ଯେ ସ୍ୱଗଣନା କରିବା ବାଧ୍ୟତାମୂଳକ ନୁହେଁ । ଯଦି କେହି ନାଗରିକ ପୂର୍ବରୁ ଅନଲାଇନ୍‌ରେ ତଥ୍ୟ ଦେଇଥିବେ, ତେବେ ପରବର୍ତ୍ତୀ ସମୟରେ ଘରେଘରେ ଯାଇ ତଥ୍ୟ ଦେବାକୁ ପଡ଼ିବ ନାହିଁ। ସେମାନେ କେବଳ ଜନଗଣନାକାରୀଙ୍କୁ ନିଜର ରେଫରେନ୍ସ ନମ୍ବର ଦେବେ।

ଜନଗଣନା ସମୟରେ ଦିଆଯାଇଥିବା ସମସ୍ତ ତଥ୍ୟ ଗୋପନୀୟ ରହିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏହି ତଥ୍ୟ ସୂଚନା ଅଧିକାର ଆଇନ (RTI) ଅଧୀନରେ ଆସିବ ନାହିଁ। ତେଣୁ ନାଗରିକମାନଙ୍କୁ ନିର୍ଭୟରେ ଠିକ ଓ ସଠିକ ତଥ୍ୟ ଦେବାକୁ ଅନୁରୋଧ କରାଯାଇଛି।

ଶେଷଥର ୨୦୧୧ ମସିହାରେ ଦେଶରେ ଜନଗଣନା ହୋଇଥିଲା। ପ୍ରାୟ ୧୫ ବର୍ଷ ପରେ ଏଥର ପ୍ରଥମଥ ପାଇଁ ପୂରାପୂରି ଡିଜିଟାଲ ପ୍ରଣାଳୀରେ ଏହା ହେଉଛି । ଏଥିରେ କେବଳ ଜନସଂଖ୍ୟା ନୁହେଁ, ବରଂ ଘରୋଇ, ସାମାଜିକ ଓ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯିବ। ଏହି ବିଶାଳ ଅଭିଯାନରେ ରାଜ୍ୟରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଶିକ୍ଷକ ଓ ସରକାରୀ କର୍ମଚାରୀ ଯୋଗଦେବେ। ସମଗ୍ର ପ୍ରକ୍ରିୟାକୁ ସୁଚାରୁ ଓ ସଫଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score