Explore

Search

February 11, 2026 10:10 am

ଆଉ କିଛି ସମୟର ଅପେକ୍ଷା : ଆରମ୍ଭ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ

ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା। ତା’ପରେ ସାରା ବିଶ୍ୱରେ ବାଜି ଉଠିବ ଟି-ଟ୍ୱେଣ୍ଟି ବିଶ୍ୱକପର ବିଗୁଲ। ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖଡେ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ହେବ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ । ଏହି ମହାମେଳାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ ।

ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ୟୁଏସଏ ମଧ୍ୟରେ ହେବାକୁ ଥିବା ହାଇଭୋଲ୍ଟେଜ ମୁକାବିଲା ପୂର୍ବରୁ ଅନ୍ୟ ଦୁଇଟି ରୋମାଞ୍ଚକର ମ୍ୟାଚ ଦର୍ଶକଙ୍କୁ ମନୋରଞ୍ଜନ ଦେବ। କଲମ୍ବୋରେ ପାକିସ୍ତାନ ଓ ନେଦରଲାଣ୍ଡସ ମୁହାମୁହିଁ ହେବାକୁ ଥିବା ବେଳେ, କୋଲକାତାରେ ସ୍କଟଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବ ଆଉ ଏକ ହାର୍ଡଫାଇଟ ମ୍ୟାଚ।

ଉଲ୍ଲେଖନୀୟ ଯେ, ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପର ଆୟୋଜନ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ କରୁଛନ୍ତି, ଯାହା ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଦକ୍ଷିଣ ଏସିଆର କ୍ରିକେଟ ଉତ୍ସାହକୁ ଆହୁରି ବଢ଼ାଇଛି ।

୨୦ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇ ଏଥିରେ ମ୍ୟାଚ ଗୁଡ଼ିକ ଆୟୋଜିତ ହେବ । ଭାରତର ୫ଟି ଏବଂ ଶ୍ରୀଲଙ୍କାର ୩ଟି ଷ୍ଟାଡିୟମରେ ସମୁଦାୟ ୫୫ଟି ମ୍ୟାଚ ଖେଳାଯିବାକୁ ସୂଚି ନିର୍ଦ୍ଧାରିତ ହୋଇଛି । ଏହାସହ ଦ୍ୱିତୀୟଥର ପାଇଁ ଭାରତ ବିଶ୍ୱକପ ଆୟୋଜନର ସୁଯୋଗ ପାଇଥିବା ଉଲ୍ଲେଖନୀୟ ।

ଏହି ବିଶ୍ୱକପକୁ ନେଇ କିଛି ବିବାଦର ଛିଟା ମଧ୍ୟ ପଡ଼ିଛି । ବାଂଲାଦେଶ ଓ ପାକିସ୍ତାନ ପକ୍ଷରୁ ସୁରକ୍ଷା ମୁଦ୍ଦାକୁ ଆଗକୁ ରଖି ପ୍ରଶ୍ନ ଉଠାଯାଇଥିଲା । ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତ ଗସ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ଏବଂ ଦଳ ପଠାଇବାରେ ଅନିଚ୍ଛା ଦେଖାଇଥିଲା । ହେଲେ ଆଇସିସି ପକ୍ଷରୁ ବାରମ୍ବାର ଆଲୋଚନା ଓ ବୁଝାବୁଝି ସତ୍ତ୍ୱେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସମ୍ପୂର୍ଣ୍ଣ ଭାବେ ସହମତି ପ୍ରକାଶ କରିନଥିବା ଖବର ମିଳିଛି ।

ଶେଷ ପର୍ଯ୍ୟନ୍ତ ବାଂଲାଦେଶ କ୍ରିକେଟ ବୋର୍ଡର ଅସହଯୋଗୀ ମନୋଭାବ ପରେ ଆଇସିସି ବଡ଼ ନିଷ୍ପତ୍ତି ନେଇ ବାଂଲାଦେଶର ସ୍ଥାନରେ ସ୍କଟଲାଣ୍ଡକୁ ବିଶ୍ୱକପରେ ସାମିଲ କରିଥିଲା। ସେହିପରି କୌଣସି ଠୋସ କାରଣ ନଥିବା ସତ୍ତ୍ୱେ ପାକିସ୍ତାନ ପକ୍ଷରୁ ଭାରତ ବିପକ୍ଷ ମ୍ୟାଚକୁ ବୟକଟ କରାଯିବ ବୋଲି ମତ ପ୍ରକାଶ କରାଯାଇଛି, ଯାହାକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ତୀବ୍ର ହୋଇଛି ।

ତଥାପି ଏ ସମସ୍ତ ବାଦ ବିବାଦ ମଧ୍ୟରେ ବିଶ୍ୱର କ୍ରିକେଟ ପ୍ରେମୀମାନେ ଫଟାଫଟ ଫର୍ମାଟର ରୋମାଞ୍ଚକର ମ୍ୟାଚ ଦେଖିବାକୁ ଅଧିର ଭାବେ ଅପେକ୍ଷା କରି ରହିଛନ୍ତି । ଏପର୍ଯ୍ୟନ୍ତ ୬ଟି ଦଳ ବିଶ୍ୱକପ ଟାଇଟଲ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି । ଇଂଲଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ ଦୁଇଥର ଲେଖାଏଁ ଚାମ୍ପିଅନ ହୋଇଥିବା ବେଳେ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଏକାଧିକଥର ଫାଇନାଲ ଖେଳିଥିଲେ ବି ଏପର୍ଯ୍ୟନ୍ତ ଟାଇଟଲ ଜିତିବାର ସ୍ୱପ୍ନ ସାକାର କରି ପାରିନାହାଁନ୍ତି ।

ଆଜିଠୁ ଟି-ଟ୍ୱେଣ୍ଟି ବିଶ୍ୱକପର ଦଶମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ସାରା କ୍ରିକେଟ ଜଗତରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି । ମାର୍ଚ୍ଚ ୮ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ଏହି ବୃହତ କ୍ରିକେଟ ଆୟୋଜନରେ ଭାରତ ଓ ଶ୍ରୀଲଙ୍କାର ୭ଟି ସହରରେ ୨୦ଟି ଦଳ ମୋଟ ୫୫ଟି ରୋମାଞ୍ଚକର ମ୍ୟାଚ ଖେଳିବେ।

ଭାରତର ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ଅହମ୍ମଦାବାଦ ଏବଂ ଶ୍ରୀଲଙ୍କାର କଲମ୍ବୋ ଓ କାଣ୍ଡିରେ ବିଭିନ୍ନ ପର୍ଯ୍ୟାୟର ମ୍ୟାଚ ଆୟୋଜିତ ହେବ । ଉଦଘାଟନୀ ଦିବସରେ ପାକିସ୍ତାନ ଓ ନେଦରଲାଣ୍ଡସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ ।

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟର ମ୍ୟାଚ ଚାଲିବ । ଯେତେବେଳେ ୨୨ ତାରିଖରୁ ସୁପର-୮ ପର୍ଯ୍ୟାୟ ଆରମ୍ଭ ହେବ। ମାର୍ଚ୍ଚ ୪ ତାରିଖରେ ପ୍ରଥମ ସେମିଫାଇନାଲ ଏବଂ ୫ ତାରିଖରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ, ଯାହାପରେ ଚାମ୍ପିଅନ ଦଳ ନିର୍ଣ୍ଣୟ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score