Explore

Search

March 27, 2026 10:44 pm

ଆଉ ଅନଲାଇନ ହୋମ୍ ଡେଲିଭରୀ ହେବନି ମଦ

ମଦର ଅନଲାଇନ ହୋମ୍ ଡେଲିଭରୀ ଉପରେ ଲାଗିଲା କଟକଣା । ଆଉ ଖୋଲିବନି ନୂଆ ମଦ ଦୋକାନ । ନୂଆ ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର । ରାଜ୍ୟର ନୂଆ ଅବକାରୀ ନୀତିକୁ ନେଇ ଆଜି ଓଡ଼ିଶା ବିଧାନସଭାରେ ଚର୍ଚ୍ଚା ଜୋର ଧରିଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନୂତନ ନୀତି ଉପସ୍ଥାପନ କରିଥିବାବେଳେ, ଏଥିରେ ଅନେକ ପରିବର୍ତ୍ତନ ଓ ସଂସ୍କାର ଆଣାଯାଇଛି ।

ନୂଆ ନୀତି ଅନୁଯାୟୀ, ଆଗାମୀ ଦିନରେ ରାଜ୍ୟରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏହାସହ ଅନଲାଇନ ମାଧ୍ୟମରେ ମଦ ହୋମ ଡେଲିଭରୀ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ବିଶେଷ କରି ଶ୍ରୀମନ୍ଦିର ପରିସର ଓ ବଡ଼ଦାଣ୍ଡ ଅଞ୍ଚଳରେ ମଦ ବିକ୍ରୟ ଉପରେ କଡ଼ା ନିଷେଧ ଲାଗୁ ହେବ।

ଏଥିରେ ସବୁଠାରୁ ମୁଖ୍ୟ ସଂଶୋଧନ ଭାବେ Minimum Guaranteed Quantity (MGQ) ପ୍ରଣାଳୀକୁ ବଦଳାଇ Minimum Guaranteed Excise Revenue (MGER) ଲାଗୁ କରାଯାଇଛି । ଏହା ମାଧ୍ୟମରେ ସରକାର ରାଜସ୍ୱ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ଏହାସହ ବଜାରରେ ଅନିୟମିତ ବିକ୍ରୟକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ରଖିଛନ୍ତି ।

MGER ପ୍ରଣାଳୀ ଅନୁଯାୟୀ ବ୍ୟବସାୟୀମାନେ ଚାହିଦା ଅନୁଯାୟୀ ମାତ୍ରାରେ ଷ୍ଟକ ଉଠାଇପାରିବେ। ଏହା ଦ୍ୱାରା “କୁଚିଆ” ବିକ୍ରୟ ପ୍ରଥାକୁ ରୋକିବାକୁ ସରକାର ଆଶା କରୁଛନ୍ତି । ଏଥିସହିତ ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ଲାଗୁ କରାଯାଇଛି, ଯାହାର ଆୟ ଦ୍ୱାରା ରାଜ୍ୟରେ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରାଯିବ।

ଲାଇସେନ୍ସ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆଣାଯାଇଛି । ଆବେଦନ ଶୁଳ୍କ ୧୦% ବଢ଼ିବା ସହିତ ପ୍ରତିବର୍ଷ ଲାଇସେନ୍ସ ଶୁଳ୍କ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବିଦେଶୀ ଓ ଦେଶୀ ମଦ ଉପରେ ମଧ୍ୟ କର ବୃଦ୍ଧି ହୋଇଛି । ଗ୍ରାମାଞ୍ଚଳରେ ନୂଆ ଠିପି ମଦ ଦୋକାନ ଖୋଲାଯିବ ନାହିଁ, ଯେଉଁଠାରେ କିଛି ଶ୍ରେଣୀର ହୋଟେଲ ଓ କ୍ଲବକୁ ଛାଡ଼ ମିଳିଛି।

ନୂତନ ନୀତିରେ ପ୍ରତ୍ୟେକ ଉତ୍ପାଦନ କେନ୍ଦ୍ର ଓ ଦୋକାନରେ ସିସିଟିଭି ନିରୀକ୍ଷଣ ବାଧ୍ୟତାମୂଳକ କରାଯାଇଛି । ଜିଲ୍ଲା ଓ ରାଜ୍ୟସ୍ତରରୁ ଏହାର ନିରୀକ୍ଷଣ କରାଯିବ। ସେଥିପାଇଁ ଉନ୍ନତ ପ୍ୟାକେଜିଂ ସହ ୧୮୦ ମି.ଲି. ମଦ ଟେଟ୍ରା ପ୍ୟାକରେ ବିକ୍ରୟ ବ୍ୟବସ୍ଥା ଆଣାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score