Explore

Search

February 18, 2026 10:43 pm

ଅନ୍ଧକାରରେ ଓଡ଼ିଶାର ୧୨୩୭ ଗାଁ : ଆଜି ବି ମୋବାଇଲ ସେବା ଅପହଞ୍ଚ

ଡିଜିଟାଲ ଯୁଗରେ ମୋବାଇଲ ଫୋନ ମଣିଷର ଦୈନିକ ଜୀବନର ଅବିଭାଜ୍ୟ ଅଂଶ ହୋଇପଡ଼ିଛି । ବ୍ୟାଙ୍କ ନେଣଦେଣରୁ ଆରମ୍ଭ କରି ଅନଲାଇନ ପାଠପଢ଼ା, ସରକାରୀ ସେବା ନେବାରୁ ଆରମ୍ଭ କରି ମନୋରଞ୍ଜନ ସବୁକିଛି ଏବେ ହାତରେ ଧରା ମୋବାଇଲ ଉପରେ ନିର୍ଭରଶୀଳ । କିନ୍ତୁ ପ୍ରଯୁକ୍ତିର ଏହି ଆଗୁଆ ଦୌଡ଼ ମଧ୍ୟରେ ଓଡ଼ିଶାର ଅନେକ ଗାଁ ଆଜି ବି ସଂଯୋଗହୀନ ଅନ୍ଧକାରରେ ରହିଛି।

ରାଜ୍ୟର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ମୋବାଇଲ ଟାୱାର ନଥିବାରୁ ଲୋକମାନେ ଯୋଗାଯୋଗ ସୁବିଧାରୁ ବଞ୍ଚିତ ହେଉଛନ୍ତି । ସମ୍ପ୍ରତି ଟେଲିକମ ବିଭାଗର ଓଡ଼ିଶା ସ୍ଥାନୀୟ ସେବା ଅଞ୍ଚଳ (LSA) କାର୍ଯ୍ୟାଳୟର ତଥ୍ୟ ଅନୁସାରେ ରାଜ୍ୟର ୧୨୩୭ଟି ଗାଁରେ ଏପର୍ଯ୍ୟନ୍ତ ମୋବାଇଲ ସିଗ୍ନାଲ ପହଞ୍ଚି ପାରିନାହିଁ । ଏହି ଗାଁ ମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ପ୍ରଧାନ, ପାହାଡ଼ିଆ ଓ ଜଙ୍ଗଲାଞ୍ଚଳରେ ଅବସ୍ଥିତ ।

ବିଶେଷ କରି ମାଓ ପ୍ରଭାବିତ ଅଞ୍ଚଳର ଛୋଟ ଛୋଟ ବସତି ଗୁଡ଼ିକରେ ଯୋଗାଯୋଗର କୌଣସି ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇ ନାହିଁ । ଯାହାଫଳରେ ସୁରକ୍ଷା ସମସ୍ୟା ଓ ଅଭାବ ଏଥିରେ ବଡ଼ ବାଧା ସୃଷ୍ଟି କରୁଛି । ଏହା ସହିତ ରାଜ୍ୟର ୫୧୭ଟି ଗାଁରେ କେବଳ ୨-ଜି ସେବା ଉପଲବ୍ଧ ଅଛି । ଏହି ସ୍ଥାନ ଗୁଡ଼ିକରେ ଲୋକମାନେ ମୁଖ୍ୟତଃ ଭଏସ କଲ ପର୍ଯ୍ୟନ୍ତ ସୀମିତ ରହିଯାଉଛନ୍ତି। ଡାଟା ସେବା ଦୁର୍ବଳ ଥିବାରୁ ଅନଲାଇନ ଶିକ୍ଷା, ଡିଜିଟାଲ ଟ୍ରାଞ୍ଜାକ୍ସନ କିମ୍ବା ଅନ୍ୟାନ୍ୟ ଇଣ୍ଟରନେଟ ଆଧାରିତ ସୁବିଧା ସେମାନଙ୍କ ପାଇଁ ପ୍ରାୟ ଅସମ୍ଭବ।

ଡିଜିଟାଲ ଇଣ୍ଡିଆ ମିଶନ ଓ ଗ୍ରାମୀଣ ଟେଲିକମ ବିସ୍ତାର ପରି ଯୋଜନା ଚାଲୁଥିଲେ ମଧ୍ୟ ଏହି ଗାଁ ଗୁଡ଼ିକୁ ସଂଯୋଗ ମାପରେ ଆଣିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି । ସରକାରୀ ଉଦ୍ୟମ ସହ ଟେଲିକମ କମ୍ପାନୀ ମାନଙ୍କର ସମନ୍ୱୟ ହେଲେ ମାତ୍ର ଏହି ଡିଜିଟାଲ ଭିନ୍ନତା କମିପାରିବ ବୋଲି ମତ ପ୍ରକାଶ ପାଉଛି। ମୋଟକଥା, ରାଜ୍ୟର ହଜାର ଲୋକ ଏବେବି ନେଟୱାର୍କ ବିହୀନ ଜୀବନ ବିତାଉଛନ୍ତି । ଡିଜିଟାଲ ସମାନତା ଆଣିବା ପାଇଁ ଦୂର ଦୁର୍ଗମ ଅଞ୍ଚଳକୁ ଅଗ୍ରଗତିର ମୁଖ୍ୟଧାରାରେ ଆଣିବା ଅତ୍ୟାବଶ୍ୟକ ।

ରାଜ୍ୟରେ ଟେଲିକମ ପରିସ୍ଥିତି ନେଇ ନିକଟରେ ମତ ପ୍ରକାଶ କରିଛନ୍ତି ନାଇଜରର ମାନବୀୟ ଓ ସାମାଜିକ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର। ସେ କହିଛନ୍ତି, ଯେଉଁଠାରେ ମୋବାଇଲ ଓ ଇଣ୍ଟରନେଟ ସେବା ନାହିଁ, ସେଠାରେ ଲୋକମାନେ ବାସ୍ତବରେ ଡିଜିଟାଲ ଜଗତରୁ ପୂରାପୂରି ବିଚ୍ଛିନ୍ନ ହୋଇ ରହିଛନ୍ତି । ଏହା କେବଳ ଯୋଗାଯୋଗର ଅଭାବ ନୁହେଁ, ବରଂ ଅବସର ଓ ସୁବିଧାରୁ ବଞ୍ଚିତ ହେବାର ସମସ୍ୟା ମଧ୍ୟ ଅଟେ।

ସେ ଉଲ୍ଲେଖ କରିଛନ୍ତି ଯେ, ସରକାରୀ ଯୋଜନାମାନଙ୍କର ଅନେକ ସେବା ଏବେ ଅନଲାଇନ ମାଧ୍ୟମରେ ଦିଆଯାଉଛି । ଛାତ୍ରଛାତ୍ରୀଙ୍କର ସ୍କୁଲ ଓ କଲେଜ ଭର୍ତ୍ତି ପ୍ରକ୍ରିୟା, ବୃତ୍ତି ଆବେଦନ, ରାସନକାର୍ଡ ଓ ଅନ୍ୟାନ୍ୟ ସୁବିଧା ସବୁ କିଛି ଡିଜିଟାଲ ପ୍ଲାଟଫର୍ମରେ ହେଉଛି । କିନ୍ତୁ ଯେଉଁ ଅଞ୍ଚଳରେ ନେଟୱାର୍କ ନାହିଁ, ସେଠାର ଲୋକମାନେ ଏହି ସବୁ ସୁବିଧାରୁ ପଛକୁ ପଡ଼ୁଛନ୍ତି।

ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷର ସଦ୍ୟତମ ତଥ୍ୟ ଅନୁସାରେ, ୨୦୨୫ ଡିସେମ୍ବର ସୁଦ୍ଧା ରାଜ୍ୟରେ ୩ କୋଟି ୭୨ ଲକ୍ଷ ୬୨ ହଜାର ୨୮୯ ମୋବାଇଲ୍‌ ଗ୍ରାହକ ରହିଛନ୍ତି । କେବଳ ଗତ ଏକ ମାସରେ ଏହି ସଂଖ୍ୟା ୧ ଲକ୍ଷ ୭୯ ହଜାର ୩୫୧ ବୃଦ୍ଧି ପାଇଛି । ଏହା ଦେଖାଉଛି ଯେ ରାଜ୍ୟରେ ମୋବାଇଲ ବ୍ୟବହାର ତୀବ୍ର ଗତିରେ ବଢ଼ୁଛି।

ରାଜ୍ୟର ଟେଲିଡେନ୍ସିଟି ହାର ଅନୁସାରେ ପ୍ରତି ୧୦୦ ଜଣ ମଧ୍ୟରୁ ୮୧ ଜଣଙ୍କ ପାଖରେ ମୋବାଇଲ ସଂଯୋଗ ଅଛି। ତଥାପି ଏହି ଆଙ୍କ ଗ୍ରାମୀଣ ଓ ଦୂର ଦୁର୍ଗମ ଅଞ୍ଚଳର ବାସ୍ତବ ସ୍ଥିତିକୁ ପୂରାପୂରି ପ୍ରତିବିମ୍ବିତ କରୁନାହିଁ । ସହର ଓ ଗ୍ରାମ ମଧ୍ୟରେ ଡିଜିଟାଲ ମାର୍ଜିନ ଏପର୍ଯ୍ୟନ୍ତ ରହିଛି।

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟକୁ ମନେରଖି ରାଜ୍ୟ ସରକାର ଆଗେଇଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ ଅଞ୍ଚଳ ଗୁଡ଼ିକ ଏପର୍ଯ୍ୟନ୍ତ ମୋବାଇଲ ସେବାରୁ ବଞ୍ଚିତ, ସେଠାରେ ଶୀଘ୍ର ନେଟୱାର୍କ ପହଞ୍ଚାଇବାକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଡିଜିଟାଲ ସମାନତା ସୁନିଶ୍ଚିତ କଲେ ସମଗ୍ର ରାଜ୍ୟର ସମାନ ଉନ୍ନତି ସମ୍ଭବ ବୋଲି ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score