ଭୁବନେଶ୍ୱର : ଏଣିକି ଅନଲାଇନରେ ଖାଇବା ଅର୍ଡର କରିବା ହେବ ମହଙ୍ଗା । ବିଶ୍ୱରେ ଚାଲିଥିବା ଯୁଦ୍ଧ ଏବେ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଉଛି । ଏହା ଭିତରେ ଦେଶର ଅଗ୍ରଣୀ ଫୁଡ ଡେଲିଭରି କମ୍ପାନୀ ଜୋମାଟୋ ପ୍ଲାଟଫର୍ମ ଫି ବଢ଼ାଇଛି । ଯାହା ସିଧାସଳଖ ଭାବେ ଗ୍ରାହକଙ୍କ ପକେଟରେ ପ୍ରଭାବ ପକାଇବ।
ନୂତନ ନିୟମ ଅନୁସାରେ, ପ୍ରତି ଅର୍ଡର ପିଛା ପ୍ଲାଟଫର୍ମ ଫି ୧୨.୫୦ ଟଙ୍କାରୁ ବଢ଼ି ୧୪.୯୦ ଟଙ୍କା କରାଯାଇଛି। ଅର୍ଥାତ ପ୍ରତି ଅର୍ଡରରେ ୨.୪୦ ଟଙ୍କାର ଅତିରିକ୍ତ ଭାର ପଡ଼ିବ । ୨୦ ମାର୍ଚ୍ଚ ୨୦୨୬ ଠାରୁ ଏହି ନୂତନ ଦର ଲାଗୁ ହୋଇଛି। ଏହା ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ଅନୁମାନ କରାଯାଉଛି।
ଅନ୍ୟପଟେ, ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ସ୍ବିଗି ପୂର୍ବରୁ ମଧ୍ୟ ପ୍ରତି ଅର୍ଡର ପାଇଁ ପ୍ରାୟ ୧୪.୯୯ ଟଙ୍କା ପ୍ଲାଟଫର୍ମ ଫି ଆଦାୟ କରୁଛି । ଏହାର ଅର୍ଥ, ଦୁଇଟି ବଡ଼ କମ୍ପାନୀ ମଧ୍ୟରେ ଏବେ ଖର୍ଚ୍ଚ ପ୍ରାୟ ସମାନ ହୋଇଯାଇଛି ।
ଏହି ବୃଦ୍ଧି ପ୍ଲାଟଫର୍ମ ଫି’ରେ ହେଉଥିବା ସହିତ ଏହାର ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ । ଫଳରେ ଗ୍ରାହକଙ୍କୁ ପ୍ରାୟ ୧୭.୫୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ, ଯାହା ଖାଦ୍ୟ ମୂଲ୍ୟ, ଡେଲିଭରି ଚାର୍ଜ ଓ ରେଷ୍ଟୁରାଣ୍ଟ ଶୁଳ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ରହିବ।
ବଜାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଓ ଅନ୍ତର୍ଜାତୀୟ ତୈଳ ଦର ବୃଦ୍ଧି ଯୋଗୁଁ ଡେଲିଭରି ଖର୍ଚ୍ଚ ବଢ଼ିଛି । ଏହାସହିତ କମ୍ପାନୀମାନେ ନିଜର ଆୟ ଓ ଲାଭ ବଢ଼ାଇବା ପାଇଁ ମଧ୍ୟ ଏପରି ପଦକ୍ଷେପ ନେଉଛନ୍ତି ।
ତଥ୍ୟ ଅନୁସାରେ, ଜୋମାଟୋ ପ୍ରତିଦିନ ଲକ୍ଷାଧିକ ଅର୍ଡର ପାଏ। ଏହି ପରିସ୍ଥିତିରେ ମାତ୍ର କିଛି ଟଙ୍କା ବୃଦ୍ଧି ମଧ୍ୟ କମ୍ପାନୀ ପାଇଁ ମାସିକ ଭାବେ ବଡ଼ ରାଜସ୍ୱ ଆଣିପାରେ । ଅନୁମାନ କରାଯାଉଛି ଯେ ଏହି ବୃଦ୍ଧି ଦ୍ୱାରା ପ୍ରତି ତିନି ମାସରେ ୧୦ କୋଟି ଟଙ୍କାର ଅତିରିକ୍ତ ଆୟ ସମ୍ଭବ ।
ଏହି ପରିବର୍ତ୍ତନର ପ୍ରଭାବ ସିଧାସଳଖ ଭାବେ ଗ୍ରାହକଙ୍କ ଖର୍ଚ୍ଚ ଉପରେ ପଡ଼ିବ। ପୂର୍ବରୁ ଯେଉଁ ଅର୍ଡର ୩୦୦-୪୦୦ ଟଙ୍କାରେ ମିଳୁଥିଲା, ସେଥିରେ ଏବେ କିଛି ଅଧିକ ଖର୍ଚ୍ଚ ହେବା ସ୍ପଷ୍ଟ। ଏହା ଫଳରେ ଅନଲାଇନ୍ ଖାଦ୍ୟ ସେବା ଉପରେ ନିର୍ଭରଶୀଳ ଲୋକମାନଙ୍କ ବଜେଟରେ ପ୍ରଭାବ ପଡ଼ିବା ନିଶ୍ଚିତ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
