Explore

Search

March 9, 2026 10:23 pm

UPSCରେ ଗଞ୍ଜାମ ‘ଲକ୍ଷ୍ୟ ନିକେତନ’ର ପ୍ରଥମ ସଫଳତା : ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଗଞ୍ଜାମ ଲକ୍ଷ୍ୟ ନିକେତନ’ ଇଣ୍ଟରଭ୍ୟୁ ଗାଇଡେନ୍ସ ପ୍ରୋଗ୍ରାମ ସଫଳତା ହାସଲ କରିଛି । ଏହି ପ୍ରୟାସ ମାଧ୍ୟମରେ UPSC ସିଭିଲ ସର୍ଭିସ ପରୀକ୍ଷା–୨୦୨୫ରେ ପାଞ୍ଚ ଜଣ ପରୀକ୍ଷାର୍ଥୀ ସଫଳତା ଅର୍ଜନ କରିଛନ୍ତି । ଏନେଇ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ।ସୂଚନାଅନୁସାରେ ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ପକ୍ଷରୁ ସିଭିଲ ସର୍ଭିସେସ ପରୀକ୍ଷା–୨୦୨୫ର ଅନ୍ତିମ ଫଳାଫଳ ଘୋଷଣା ହୋଇଛି । ଏହି ପରୀକ୍ଷାରେ ଦେଶବ୍ୟାପୀ ମୋଟ ୯୫୮ ଜଣ ପରୀକ୍ଷାର୍ଥୀ ଯୋଗ ଦେଇଥିଲେ ।

ତେବେ ଏହି ପରୀକ୍ଷାରେ ଓଡ଼ିଶାର ଅନେକ ମେଧାବୀ ଯୁବକ–ଯୁବତୀ ମଧ୍ୟ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ‘ଗଞ୍ଜାମ ଲକ୍ଷ୍ୟ ନିକେତନ’ ଇଣ୍ଟରଭ୍ୟୁ ଗାଇଡେନ୍ସ ପ୍ରକଳ୍ପ ପ୍ରଥମ ଥର ପାଇଁ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ପ୍ରକଳ୍ପ ମାଧ୍ୟମରେ ପାଞ୍ଚ ଜଣ ପରୀକ୍ଷାର୍ଥୀ UPSC ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇଥିବା ଗାଇଡେନ୍ସ ପ୍ରୋଗ୍ରାମର ଲକ୍ଷ୍ୟ ହେଉଛି UPSC, OPSC ସହ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ନେଉଥିବା ଯୁବ ପ୍ରତିଭାମାନଙ୍କୁ ଠିକ ମାର୍ଗଦର୍ଶନ ଯୋଗାଇବା । ଏନେଇ ନିକଟରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ସହ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ, IAS, IPS ଓ IFS ଅଧିକାରୀଙ୍କ ସହଭାଗୀତାରେ ପରୀକ୍ଷାର୍ଥୀଙ୍କ ପାଇଁ ବିଶେଷ ଇଣ୍ଟରଭ୍ୟୁ ମାର୍ଗଦର୍ଶନ ଶିବିର ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ UPSC ମେନସ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଓଡ଼ିଶାର ୮ ଜଣ ପରୀକ୍ଷାର୍ଥୀ ଯୋଗଦେଇଥିଲେ। ସେମାନଙ୍କୁ ଶେଷ ପର୍ଯ୍ୟାୟ ଅର୍ଥାତ୍ ସାକ୍ଷାତକାର ପାଇଁ ପ୍ରସ୍ତୁତ କରିବାକୁ ମକ ଇଣ୍ଟରଭ୍ୟୁ ସହ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ମାର୍ଗଦର୍ଶନର ଫଳସ୍ୱରୂପ ସେମାନଙ୍କ ମଧ୍ୟରୁ ୫ ଜଣ ଅନ୍ତିମ ତାଲିକାରେ ସ୍ଥାନ ପାଇ ସଫଳତା ଅର୍ଜନ କରିଛନ୍ତି।

ଏହି ଉପଲବ୍ଧିକୁ ନେଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ କହିଛନ୍ତି ଯେ, ଏହା ଜିଲ୍ଲାର ଯୁବମାନଙ୍କ ପାଇଁ ନୂତନ ଉତ୍ସାହ ସୃଷ୍ଟି କରିଛି । ଆଗାମୀ ଦିନରେ ‘ଗଞ୍ଜାମ ଲକ୍ଷ୍ୟ ନିକେତନ’ ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସଂଗଠିତ ଓ ବ୍ୟବସ୍ଥିତ ପ୍ରଶିକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯିବ ।

ତାଙ୍କ କହିବା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ମାସର ଶେଷ ସପ୍ତାହରୁ ଏହି କେନ୍ଦ୍ରରେ ସ୍ୱତନ୍ତ୍ର କ୍ଲାସ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରବେଶ ପରୀକ୍ଷା ମାଧ୍ୟମରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଏହି ପ୍ରଥମ ସଫଳତା ନୂଆ ପ୍ରାର୍ଥୀମାନଙ୍କୁ ମଧ୍ୟ ଉତ୍ସାହିତ କରିବ ବୋଲି ଆଶା ଅଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score