ବାଲେଶ୍ୱର : ଦିନ ଥିଲା ଘର ଭିତରେ ରହି ଘର କାମ କରୁଥିଲେ । ହେଲେ ଆଜି ରୋଜଗାର କରି ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି । କଣ୍ଢେଇ ତିଆରି କରି ଆଜି ୨ ପଇସା ରୋଜଗାର କରି ନିଜେ ସ୍ୱାବଲମ୍ବୀ ହେବାସହ ପରିବାରକୁ ମଧ୍ୟ ଚଳାଉଛନ୍ତି । ଆଉ ଏଇ କଣ୍ଢେଇ ତିଆରି କରିବାରେ ସାମିଲ ହୋଇଛନ୍ତି ସ୍ଵୟଂ ସହାୟିକା ଗୋଷ୍ଠୀର ୩୫ ଜଣ ମହିଳା। ପୂରା ଦେଶୀ ଷ୍ଟାଇଲରେ ତିଆରି କରିଛନ୍ତି ଉଲ୍ କଣ୍ଢେଇ ।
ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରଣସାହି ଅଞ୍ଚଳର ମା’ ସର୍ବମଙ୍ଗଳା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏକାଠି ହୋଇ ଦେଶୀ ଷ୍ଟାଇଲରେ ତିଆରି କରୁଛନ୍ତି ଉଲ କଣ୍ଢେଇ । ନଡିଆ କତା, ଝୋଟ ଏବଂ ଉଲ ବ୍ୟବହାର କରି ସୁନ୍ଦର ଓ ଆକର୍ଷଣୀୟ କଣ୍ଢେଇ ତିଆରି କରୁଛନ୍ତି ଏହି ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ । ଆଉ ଏହାକୁ ତିଆରି କରି ବିଭିନ୍ନ ମେଳା ଓ ମହୋତ୍ସବରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି । ମହିଳାମାନେ ଏକଜୁଟ ହୋଇ ଗୋଟିଏ ଜାଗାରେ ତିଆରି କରୁଛନ୍ତି କଣ୍ଢେଇ । କିଏ ସୂତାରେ ଟୋପି ବୁଣିବାରେ ବ୍ୟସ୍ତ ରହୁଛି ତ ପୁଣି କିଏ କଣ୍ଢେଇ ଦେହରେ ଉଲ ଲଗାଇବାରେ ବ୍ୟସ୍ତ ରହିଥାନ୍ତି । ମହିଳାମାନେ ଘରର କାମଧନ୍ଦା ସାରି ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କଣ୍ଢେଇ ପ୍ରସ୍ତୁତିରେ ଲାଗି ପଡ଼ିଥାନ୍ତି । ଏବେ କଣ୍ଢେଇ ତିଆରି କରି ମାସିକ ୫ ରୁ ୬ ହଜାର ଟଙ୍କା ରୋଜଗାର କରୁଛନ୍ତି ।
ତେବେ ଏହି ମହିଳାମାନେ ଉଲରେ କଣ୍ଢେଇ ତିଆରି କରିବା ସହ ଟେଡି, ଆଇସକ୍ରିମ କାଠିରେ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ତାକୁ ବିଭିନ୍ନ ମେଳା ଓ ବଜାରରେ ବିକୁଛନ୍ତି । ଏହାସହ ନଡ଼ିଆ କତା ଓ ଝୋଟରେ ହାତୀ ଘୋଡା, ଚଢ଼େଇ, କଣ୍ଢେଇ ଏବଂ କୁଞ୍ଚ କାଠିରେ ଉଲ ଦେଇ ବିଞ୍ଚଣା ତିଆରି କରୁଛନ୍ତି । ଯାହା ଦେଖିବାକୁ ଖୁବ ସୁନ୍ଦର ସହ ଆକୃଷ୍ଟ କରୁଛି ।
୫୦ ରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ତିଆରି ହେଉଛି କଣ୍ଢେଇ :
ଏହି କଣ୍ଢେଇ ତିଆରି ପାଇଁ ସର୍ବନିମ୍ନ ୫୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି । ଆଉ କଣ୍ଢେଇ ତିଆରି ପରେ ଏହାକୁ ନେଇ ମହିଳାମାନେ ବିଭିନ୍ନ ମେଳା ଓ ବଜାରରେ ବିକ୍ରି କରିଥାନ୍ତି । ଆଉ ଏଥିରୁ ରୋଜଗାର ହେଉଥିବା ପଇସାରେ ସେମାନେ ନିଜ ଘର ମଧ୍ୟ ସୁରୁଖୁରରେ ଚଳାଇ ପାରନ୍ତି । ପାଖାପାଖି ମାସକୁ ୩-୫ ହଜାର ଟଙ୍କା ରୋଜଗାର କରନ୍ତି ଏମାନେ । ତେଣୁ ଘରର ସ୍ୱାମୀ ମାନେ ଯାହା ରୋଜଗାର କରନ୍ତି ଆଉ ଏହି କଣ୍ଢେଇ ପଇସାରୁ ଯାହା ରୋଜଗାର ହୁଏ ସେଥିରେ ସେମାନେ ଖୁସିରେ ବଞ୍ଚନ୍ତି ବୋଲି କହିଛନ୍ତି ଏହି ସ୍ଵୟଂ ସହାୟିକା ଗୋଷ୍ଠୀର ୩୫ ଜଣ ମହିଳା।
ଟଙ୍କା ରୋଜଗାର କରି ଖୁସି :
ଅନ୍ୟପଟେ କଣ୍ଢେଇ ତିଆରି କରି ବିକ୍ରି ହେବାପରେ ମହିଳାମାନଙ୍କୁ ମିଳୁଥିବା ପାରିଶ୍ରମିକରେ ବେଶ ଖୁସି ରହୁଛନ୍ତି । ଆଜିକା ସମୟରେ ବଜାରରେ ଯେଉଁ କଣ୍ଢେଇ ମିଳୁଛି ସେଥିରେ ପିଲାମାନେ ଖେଳିଲେ ତାର କୁପ୍ରଭାବ ପଡିପାରେ । ତେଣୁ ତିଆରି ହୋଇଥିବା ଏଇ ଦେଶୀ ଉଲ କଣ୍ଢେଇରେ କିଛି କୁପ୍ରଭାବ ପକାଇବ ନାହିଁ । ଘର କାମ ସାରିକି ଦୁଇଘଣ୍ଟା ସମୟ ଦେଇ ପଇସା ରୋଜଗାର କରି ପାରୁଛନ୍ତି ଏହି ମହିଳାମାନେ । ଆଉ ଏଇଠୁ କଣ୍ଢେଇ ନେଇ ଲୋକେ ଘର ସଜେଇଥିବା ଦେଖି ଖୁସି ହୁଅନ୍ତି ଏହି ସ୍ଵୟଂ ସହାୟିକା ମହିଳାମାନେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
