ଆଗକୁ ଆସୁଛି ପାର୍ବଣ ଋତୁ ,ଗାଁ ଠୁ ସହର ସବୁଠି ମାଁଙ୍କ ଆଗମନରେ ଉତ୍ସବ ମୁଖର ପରିବେଶ ଏଥି ସହିତ ନିଜ ଆତ୍ମୀୟସୋଯନ ମାନଙ୍କ ସହ ଏହାକୁ ଆହୁରି ଅବିସ୍ମରଣୀୟ କରିବା ପାଇଁ ପରସ୍ପରକୁ ଉପହାର ତଥା ଘରକୁ ନୂଆ ଜିନିଷ ଆଦି ଆଣିବା ଏହି ଋତୁର ଅନ୍ୟଏକ ମୁଖ୍ୟ ଆକର୍ଷଣ । ତେବେ ଏହି ପରମ୍ପରା କିଛି ନୂଆ ନୁହେଁ, କାହିଁ କେତେ କାଳରୁ ଏହା ଚାଲି ଆସୁଛି ମାତ୍ର ନିକଟ ଅତୀତରେ ଏହି ପର୍ବପର୍ବାଣୀ ସମୟରେ ଲୋକମାନେ ଯେଉଁ ଭଳି ଭାବେ କିଣାକିଣି କରୁଛନ୍ତି, ସେଥିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ।
ପୂର୍ବରୁ ଲୋକମାନେ ଉତ୍ସବ ତଥା ଅନ୍ୟାନ୍ୟ କାମପାଇଁ ସ୍ଥାନୀୟ ବଜାର ଏବଂ ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଉପରେ ନିର୍ଭରଶୀଳ ରହୁଥିଲେ ମାତ୍ର ଏବେ ସମୟ ବଦଳିଯାଇଛି ଗାଁ ଠୁ ସହର ଏବେ ଘରେ ଘରେ ସମସ୍ତଙ୍କର ପସନ୍ଦ “ଇ – ସପିଙ୍ଗ” । କାରଣ ଘରେ ବସି ମନମୁତାବକ ସାମଗ୍ରୀ ହାତପାହାନ୍ତାରେ ମିଳିଯାଉଛି ତାହା ମଧ୍ୟ ନିମ୍ନମାନର ମୂଲ୍ୟରେ ଏଥି ସହିତ ଗ୍ରାହକ ମାନଙ୍କର ସୁବିଧା ସୁଯୋଗ ପାଇଁ ଏଥିରେ ରହୁଛି ବିଭିର୍ନ ପ୍ରକାର ଫିଚର , EMI ସୁବିଧା ଠାରୁ ଆରମ୍ଭକରି , ରିଟର୍ନ ପଲିସି , ପେ ଲେଟର,ଏକ୍ସଚେଞ୍ଜ ଅଫର ଏମିତି ଆହୁରି ବହୁତ କିଛି । ଏବେ ଦେଶରେ ବିଭିନ୍ନ ଇ-କମର୍ସ କମ୍ପାନୀ ମୁଣ୍ଡ ଟେକିଛନ୍ତି । ଗ୍ରାହକଙ୍କୁ ନିଜ ପ୍ଲାଟଫର୍ମକୁ ଆକର୍ଷିତ କରିବାକୁ କମ୍ପାନୀଗୁଡିକ ଭଲ ରିହାତି ସହ ଆକର୍ଷଣୀୟ ଅଫର ମଧ୍ୟ ଦେଉଛନ୍ତି । ସେହିପରି ନାନା ରକମର ମନ ପସନ୍ଦ ଜିନିଷ ମିଳି ଯାଉଥିବାରୁ ପିଲାଠୁ ବୁଢା ଯାଏଁ ସମସ୍ତେ ଏହାପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି । ଅନ୍ୟପଟେ ଦିନକୁ ଦିନ ଅନଲାଇନ ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ଏଥିଯୋଗୁଁ ଅଫଲାଇନ ବ୍ୟବସାୟ ଖୁବ୍ ପ୍ରଭାବିତ ହୋଇଛି । ଲୁଗାପଟା ଠାରୁ ଆରମ୍ଭ କରି ଟେସନାରୀ ଓ ଇଲେକ୍ଟ୍ରୋନିକ୍ସ ଦୋକାନ ଯାଏଁ ସବୁଠି ଘାଟାରେ ଚାଲିଛି ସ୍ଥାନୀୟ ବ୍ୟବସାୟ ।
ସାଧାରଣତଃ ପାର୍ବଣ ସମୟରେ ଗ୍ରାହକ ବିଭିନ୍ନ ଜିନିଷ କିଣାକିଣି କରିଥାନ୍ତି । ଏହି ସମୟରେ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ମଧ୍ୟ ଅତି ଉତ୍କଣ୍ଠାର ସହ ଏହି ପୂଜାପର୍ବକୁ ଅନାଇ ବସିଥାନ୍ତି । ମାତ୍ର ଏବେ ଦୋକାନ ବଜାରରେ ଆଗଭଳି ଭିଡ ଦେଖିବାକୁ ମିଳୁନାହିଁ । ସବୁ କିଛି ଖାଁ ଖାଁ ରହିଛି । ଆଜିକାଲି ସମସ୍ତେ ଅନଲାଇନ ସପିଂ ପ୍ରତି ଅଧିକ ଆକର୍ଷିତ ହେଉଥିବା ଯୋଗୁଁ ଅଫଲାଇନ ବ୍ୟବସାୟରେ ମାନ୍ଦାବସ୍ଥା ପରିଲକ୍ଷିତ ହେଉଛି । ଦିନ ଥିଲା ପୂଜା ପର୍ବାଣି ଆସିଲେ ସ୍ଥାନୀୟ ବଜାରରେ ଗ୍ରାହକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳୁଥିଲା ମାତ୍ର ମାତ୍ର ଏବେ ଦୋକାନ ବଜାରରେ ଆଗଭଳି ଭିଡ ଦେଖିବାକୁ ମିଳୁନାହିଁ ବିଶେଷ କରି କ୍ଷୁଦ୍ର ବ୍ୟବସାୟୀ ମାନେ ଏଥିରେ ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି ।
ତେବେ ଏହି ସମସ୍ୟାର ସମାଧାନ କଣ କଣ ପାଇଁ କାଳକାଳରୁ ଚାଲିଆସୁଥିବା ପାରମ୍ପରିକ ପଦ୍ଧତିକୁ ଛାଡି ଡ଼ିଜିଟାଲ ସପିଂ ମୁହାଁ ହେଉଛନ୍ତି ଗ୍ରାହକ ଆସନ୍ତୁ ଜାଣିବା !
ଏହାର ପ୍ରଥମ କାରଣ ହେଉଛି ମୂଲ୍ୟ ରେ ତରତମ୍ୟତା ,ଯେଉଁଠାରେ ବୃହତ ଅନଲାଇନ୍ ପ୍ଲାଟଫର୍ମଗୁଡିକ ବୃହତ ଯୋଗାଣ ଏବଂ ଅଧିକ ରିହାତି ଦ୍ୱାରା ଗ୍ରାହକମାନଙ୍କୁ ଆକୃଷ୍ଟ କରିଥାନ୍ତି ସେହି ସମୟରେ ଛୋଟ ବ୍ୟବସାୟୀମାନେ ଏହି ମୂଲ୍ୟର ରିହାତି ଦେବାରେ ସକ୍ଷମ ହୋଇନଥାନ୍ତି ,ସେହିପରି ଅନ୍ୟ ଏକ କାରଣ ହେଉଛି ବିଜ୍ଞାପନ , ଯେଉଁଠି ଅନଲାଇନ୍ ପ୍ଲାଟଫର୍ମଗୁଡିକ ନିଜ ବ୍ରାଣ୍ଡ ର ପ୍ରଚାର ପ୍ରସାର ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରି ବଡ଼ବଡ଼ ସେଲିବ୍ରେଟି ଏବଂ ଆଧୁନିକ ବିଜ୍ଞାପନ କୌଶଳନୀତି ଆପଣେଇଥାନ୍ତି ସେହି ସମୟରେ ସାଧାରଣ ବ୍ୟବସାୟୀଟିଏ ଅତି ବେଶୀ ରେ ସାଧାରଣ ପୋଷ୍ଟର ଏବଂ ଗ୍ରାହକ ମାନଙ୍କ ମାଧ୍ୟମରେ ନିଜର ପ୍ରଚାର କରିଥାଏ । ତେବେ ଏଠି ପ୍ରଶ୍ନ ଆସୁଛି ଏହାର କଣ କିଛି ସମାଧାନ ନାହିଁ ? ପାର୍ବଣ ଋତୁରେ ଅନଲାଇନ୍ ପ୍ଲାଟଫର୍ମଗୁଡିକପରି ସ୍ଥାନୀୟ ବ୍ୟବସାୟୀ ମାନେ କଣ ଲାଭବାନ ହୋଇପାରିବେନି ? କଣ ରହିଛି ଏହାର ସମାଧାନ ଆସନ୍ତୁ ଜାଣିବା ।
କଥାରେ ଅଛି ସବୁବେଳେ ସମୟ ସହିତ ତାଳ ଦେଇ ଚାଲିବ ଉଚିତ । କହିବାର ତାତ୍ପର୍ଯ୍ୟ ଏହା ଜେ ବର୍ତମାନ ସମୟରେ ସବୁକିଛି ଧୀରେ ଧରେ ଡିଜିଟାଲାଇଜେସନ ହେବାରେ ଲାଗିଛି ତେଣୁ ସମୟ ସହ ତାଳଦେଇ ସାଧାରଣ ବ୍ୟବସାୟୀ ମାନଙ୍କୁ ମଧ୍ୟ ପାରମ୍ପରିକ ବ୍ୟବସାୟ ପ୍ରଣାଳୀ ସହ ଡିଜିଟାଲ ଦୁନିଆରେ ନିଜର ଉପସ୍ଥିତି ପ୍ରତିଷ୍ଠା କରିବା ନିହାତି ଆବଶ୍ୟକ ।ଏଥିପାଇଁ ସବୁଠୁ ଭଲ ମାଧ୍ୟମ ହେଉଛି ସୋସିଆଲ ମିଡ଼ିଆ । ଆଜିକାଲି ସୋସିଆଲମିଡ଼ିଆ ବିଷୟରେ କିଏ ବା ନଜାଣିଛି ଏବଂ ଏହାର ବ୍ୟବହାର କରିବା ମଧ୍ୟ ଅତି ସହଜ ଯେଉଁଥିପାଇଁ କୌଣସି ବିଶେଷ ଡିଜିଟାଲ ଜ୍ଞାନ କୌଶଳର ଆବଶ୍ୟକତା ନଥାଏ ।ତେଣୁ ଏହି ସବୁ ପ୍ଲାଟଫର୍ମ ଯଥା ଫେସବୁକ , ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ ଆଦି ଜରିଆରେ ସ୍ଥାନୀୟ ବ୍ୟବସାୟୀମାନେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିପାରିବେ ଏବଂ ଅର୍ଡର ନେଇପାରିବେ। ଏଥି ସହିତ ଗ୍ରାହକମାନେ ମଧ୍ୟ ସ୍ଥାନୀୟ ବ୍ୟବସାୟୀ ତଥା ସ୍ଥାନୀୟ ଜିନିଷକୁ ପ୍ରୋତ୍ସାହନ ଦେବା ଆବଶ୍ୟକ ।
ତେବେ ଏହି ପ୍ରସଙ୍ଗରେ ଆପଣଙ୍କର ମତାମତ କଣ ?କଣ ଆପଣଙ୍କୁ ଲାଗୁଛି ସ୍ଥାନୀୟ ବ୍ୟବସାୟ ଏବଂ ଅନଲାଇନ୍ ସପିଂ ମଧ୍ୟରେ ଥିବା ବ୍ୟବଧାନ କେବେ ଦୂର ହୋଇପାରିବ ?କଣ ପୁଣିଥରେ ଗାଁ ର ସେହି ବଜାର ଘାଟରେ ପର୍ବପର୍ବାଣି ପାଇଁ ଆଗଭଳି ଲୋକଙ୍କ ଭିଡ ଜମିବ ?
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |