Explore

Search

December 27, 2024 3:39 am

Genres

ଏସିଆର ବୃହତ୍ ମୁକ୍ତାକାଶ ବାଣିଜ୍ଯ ମେଳା- ଐତିହାସିକ ବାଲିଯାତ୍ରା

Cuttack Baliyatra

ଓଡ଼ିଶାର ସଂସ୍କୃତି ଅନନ୍ୟ l ଯାହାର ପରମ୍ପରା ଓ ରୀତିନୀତି ଆଜି ସାରା ବିଶ୍ୱରେ ପରିଚିତ l ସେଥିମଧ୍ୟରୁ ବାଲିଯାତ୍ରା ଅନ୍ୟତମ l ଯାହା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟକୁ ବହନ କରିଥାଏ l ଓଡ଼ିଶାର ପୁରପଲ୍ଲୀରେ ବାଲିଯାତ୍ରା ଯାହା ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା l ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ ଓ କୋଶଳର ସମନ୍ୱୟ ଭିତ୍ତିକ ଯାତ୍ରା। ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା ପ୍ରତ୍ୟେକ ବର୍ଷ (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ ।

ପୂର୍ବକାଳରେ ସାଧବ ପୁଅମାନେ ନିଜ ବୋଇତରେ ଜାଭା, ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଉଅଛି l ଓଡ଼ିଶାର ରୌପ୍ୟନଗରୀ କଟକରେ ପ୍ରତ୍ୟେକ ବର୍ଷ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମାଦିନ ଓଡ଼ିଆମାନେ ଆ’କା’ମା’ବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପକୁ ମଧ୍ଯ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ l ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ l

ଉତ୍କଳୀୟ ନୌବାଣିଜ୍ୟ ଏବଂ ବାଲିଯାତ୍ରାର ଉଦ୍ଭବ –

ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା । ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାରେ ରୋମାଞ୍ଚ ଭରିଅଛି । ଆ’କା’ମା’ବୈରେ ଗୁଞ୍ଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣ୍ଣିମ ଅଧ୍ୟାୟର ସ୍ମୃତି ଆଜିବି ଗୁଞ୍ଜରିତ ଓଡ଼ିଆଙ୍କ ରକ୍ତବିନ୍ଦୁରେ । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ ଆରମ୍ଭ ହୁଏ କଟକ ବାଲିଯାତ୍ରା ।

ଇତିହାସଗତ ବ୍ୟାଖ୍ୟା-

ବାଲି ଅର୍ଥାତ୍ ଅଧୁନ ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠୀର ପ୍ରତିନିଧିଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା ଦ୍ୱୀପମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ ସମୃଦ୍ଧ କରୁଥିଲା । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା । ଏଣୁ ଏଭଳି ନାମକରଣ କରାଯାଇଛି ବୋଲି ଅନୁମାନ କରାଯାଏ । ଅନ୍ୟମତାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଉଚ୍ଚାରିତ ଆ’କା’ମା’ବୈ ଶବ୍ଦ ବର୍ଷର ମୁଖ୍ୟ ଚାରିମାସ ଯାହା ଯଥା :-ଆଷାଢ, କାର୍ତ୍ତିକ,ମାର୍ଗଶୀର ଏବଂ ବୈଶାଖ; ସେଥିରେ ଧର୍ମ କର୍ମ ସମୂହ ତଥା ଇଶ୍ୱର ଉପାସନା କରିବାକୁ ଦର୍ଶାଏ ।

ସଂପୃକ୍ତ ଲୋକବାଣୀଟି କିଛି ଏହି ଭଳି :-“ଆ’କା’ମା’ବୈ ପାନ ଗୁଆ ଖାଇ, ପାନ ଗୁଆ ତୋର,ମାସକ ଧର୍ମ ମୋର”

ବଣିକ ମାନଙ୍କର ସ୍ଵଦେଶ ଫେରିବାର ସୃତିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ବୋଲି ସୂଚନା ମଧ୍ୟ ମିଳିଥାଏ lସୂଚନା ଅନୁଯାୟୀ ମହାରାଜା ଉଦ୍ୟୋତକେଶରୀ ଉତ୍କଳ ଦେଶର ରାଜା ଥିଲେ । ଶିଳାଲେଖ ଅନୁଯାୟୀ ସୋମବଂଶୀ ରାଜା ଉଦ୍ୟୋତକେଶରୀ ୧୮ ବର୍ଷ ରାଜତ୍ୱ କରିଥିଲେ । ମହାରାଜା ଉଦ୍ୟୋତକେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାଜିତ କରି ସମ୍ପୂର୍ଣ୍ଣ ଦକ୍ଷିଣାପଥ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ । ସିଂହଳରେ ସେତେବେଳେ ରାଜାଥିଲେ ଚିତ୍ରକେୟୁର । ସିଂହଳ ବିଜୟ ପରେ ମଣିମୁକ୍ତା ପ୍ରଭୃତି ଧନରତ୍ନ ସେ ସଙ୍ଗରେ ଆଣିଥିଲେ । ସେ ଜଳପଥରେ ଆସି ମହାନଡି ମୂହାଣ ଦେଇ ନିରାପଦ ସ୍ଥାନ କଟକଦ୍ୱୀପରେ ପହଞ୍ଚି ବିଶ୍ରାମ ନେଇଥିଲେ । ସେତିକିବେଳେ ଏହି ଯାତ୍ରା ଆରମ୍ଭ ହୋଇଥିବା ସମ୍ଭବ। ଲୋକ ମୁଖରେ ଏହା ପ୍ରସିଦ୍ଧି ଥିଲା ଯେ “ସାଧବ ପୁଅ ବାଲି-ସୁମାତ୍ରା-ବର୍ଣ୍ଣିଓ ଯାଉଥିଲେ ସିଂହଳବିଜୟ କରି ଫେରିଲେ ବି ବାଲିରୁ ଫେରିଲେ ବୋଲି” ତୁଣ୍ଡରେ ତୁଣ୍ଡକୁ ଯାଇ ବାଲିଯାତ୍ରା ହୋଇଥିବା ସମ୍ଭବ ।

ପୌରାଣିକ କିମ୍ବଦନ୍ତୀ-

ତନ୍ୟବନ୍ତ ସାଧବଙ୍କ ସାତ ଗୋଟି ପୁଅ ଓ ଗୋଟିଏ ଝିଅ ଥିଲେ l ଯାହାର ନାମ ଥିଲା ତଅପୋଇ l ସାତ ଭାଇ ଭାଉଜ ଓ ବାପାମାଆଙ୍କ ଅଲିଅଳି ଝିଅ ଥିଲା ତଅପୋଇ l ଦିନେ ସାତଭାଇ ବାଣିଜ୍ୟ କରିବା ପାଇଁ ବିଦେଶ ଯାଆନ୍ତି l ସେହି ସମୟ ମଧ୍ୟରେ ଭାଉଜ ମାନଙ୍କ ଗଞ୍ଜଣା ସହି ନ ପାରି ତଅପୋଇ ମା ମଙ୍ଗଳାଙ୍କୁ ସ୍ମରଣ କରିଥିଲା l ଫଳରେ ଶେଷ ପାଳିରେ ଭାଇମାନେ ବିଦେଶରୁ ଫେରି ଭଉଣୀ ତଅପୋଇକୁ ଉଦ୍ଧାର କରିଥିଲେ l

ଆର୍ଥିକ ଅଭିବୃଦ୍ଧି ଓ ବାଲିଯାତ୍ରା-

ବାଲିଯାତ୍ରାରେ ଦେଶର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀ ନିଜର ରୋଜଗାର ଓ ଦକ୍ଷତାର ପ୍ରଚାର ପ୍ରସାର ପାଇଁ ଆସିଥାନ୍ତି l ଏହା ଏପରି ଏକ ବାଣିଜ୍ୟିକ ମେଳା ଯେଉଁଠାରେ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବୃହତ୍ ଶିଳ୍ପ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଏହି ମେଳାରେ ଅର୍ଥ ଉପାର୍ଜନ ଆଶାରେ ଆସିଥାନ୍ତି l ଏମିତିକି ଶେଷ ଦିନରେ କୋଟି କୋଟି ଟଙ୍କାର ଆୟ ମଧ୍ଯ ହୋଇଥାଏ l ଟେରାକୋଟା ପ୍ରଦର୍ଶନୀ, ମୃତ୍ତିକା ଉତ୍ପାଦ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଖାଦ୍ୟ ମେଳା, ପ୍ରଯୁକ୍ତି ବିଦ୍ୟା, ଖେଳ ଓ ଗୃହ ଉପକରଣ ପରି ବିଭିନ୍ନ ସାମଗ୍ରୀର ବିକ୍ରିବଟା ମଧ୍ଯ ହୋଇଥାଏ l କେବଳ ସେତିକି ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପେ ଅନେକ ଅନେକ ଲୋକ ଅର୍ଥ ଉପାର୍ଜନ ମଧ୍ଯ କରିଥାନ୍ତି l ଗ୍ରାହକମାନେ ନିଜ ମନପସନ୍ଦର ଜିନିଷ କିଣିବାର ଅନେକ ସୁଯୋଗ ମଧ୍ଯ ପାଇଥାନ୍ତି l ଯଦ୍ୱାରା ବେପାରୀଙ୍କୁ ନୂଆ ନୂଆ ଉତ୍ପାଦକୁ ବଜାରରେ ଉପଲବ୍ଧ କରାଇବାର ସୁଯୋଗ ମଧ୍ଯ ମିଳିଥାଏ l

ମନୋରଞ୍ଜନ ଓ ନୈସର୍ଗିକ ଆନନ୍ଦର ଗନ୍ତାଘର ବାଲିଯାତ୍ରା-

ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚ ଚଳଚଞ୍ଚଳ ହୋଇପଡେ ଯେତେବେଳେ ବାଲିଯାତ୍ରା ନିକଟତର ହୋଇଆସେ l ଜାତୀୟ ଓ ରାଜ୍ୟର ପ୍ରମୁଖ ଅଭିନେତା, ମଞ୍ଚ କଳାକାର, ସାଂସ୍କୃତିକ ଅନୁଷ୍ଠାନ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି l ବାଲିଯାତ୍ରାର ସବୁଠାରୁ ମୁଖ୍ୟ ଆକର୍ଷଣ ହେଉଛି ରାମଦୋଳି l ଶୈଶବରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ଦୋଳିର ମଜା ଉଠାଇଥାନ୍ତି l ବିଶେଷତଃ ଶିଶୁ ମାନଙ୍କ ପାଇଁ ଉଦିଷ୍ଟ ପ୍ଲେ ଜୋନ୍, ବରିଷ୍ଠ ନାଗରିକଙ୍କ ଭଜନ ସନ୍ଧ୍ୟା, ସୁଉଚ୍ଚ ତୋରଣ ସହିତ ଫଟୋ ଉଠା ଶୀତୁଆ ଯାତ୍ରାକୁ ଆହୁରି ସମାଗମ କରିଦେଇଥାଏ l

ବାଲିଯାତ୍ରା ଏକ ଏପରି ଯାତ୍ରା ଯାହାର ପ୍ରତୀକ୍ଷା ବର୍ଷକୁ ଥରେ l ଅନେକ ଉଲ୍ଲାସ ଓ ଉଦ୍ଦୀପନା ସହିତ ଜମିଥାଏ ବାଲିଯାତ୍ରାର ଦିନ l ଯାହାର ମୁକସାକ୍ଷୀ ବାରବାଟୀ ଦୁର୍ଗ ଓ ବାଲିଯାତ୍ରାର ମୁଖ୍ୟ ତୋରଣ l ଯାହା ଅନେକ କିଛି ବର୍ଣ୍ଣନା କରିଥାଏ l ସତେ ଯେମିତି ଉତ୍ସବ ମୁଖର ହୋଇପଡେ ବାଲିଯାତ୍ରା ପଡିଆ ଓ କଟକ ସହର l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score