ଓଡ଼ିଶାର ଦକ୍ଷିଣାଞ୍ଚଳରେ ପ୍ରକୃତିର କୋଳରେ ରହିଛି କୋରାପୁଟ ଜିଲ୍ଲା l ଆଦିବାସୀ ସଂସ୍କୃତି ତଥା ଏହାର ଆଞ୍ଚଳିକ ଲୋକକଳା ଏବଂ ପରମ୍ପରା ପାଇଁ ଏହି ସ୍ଥାନ ରାଜ୍ୟରେ ଖୁବ ପରିଚିତ l ତେବେ ଏହାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବାର୍ଷିକ ଆଦିବାସୀ ମହୋତ୍ସବ “ପରବ” କୁ ନଭେମ୍ୱର ମାସରେ ଆୟୋଜନ କରାଯାଉଅଛି l ସୂଚନା ଅନୁଯାୟୀ ୧୯୯୬ ମସିହାରୁ ଜିଲ୍ଲା ପ୍ରଶାସନ ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ରୂପେ ପାଳନ କରି ଆସୁଛନ୍ତି l ପ୍ରାୟ ୨୮ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ମହୋତ୍ସବ ବର୍ତ୍ତମାନ ଜାତୀୟସ୍ତରୀୟ ଆାଦିବାସୀ ମହୋତ୍ସବର ମାନ୍ୟତା ପାଇଅଛି l
ପରବ ଏହା କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୀମିତ ନୁହେଁ l ବର୍ତ୍ତମାନର ଆଧୁନିକରଣରେ ଲୁଚି ଯାଉଥିବା ଆାଦିବାସୀ ଜନଜାତି ଲୋକକଳା,ସଂସ୍କୃତି ରୀତିନୀତି ଯେମିତିକି ପୌଷ ପରବ, ଚୈତ ପରବ, ଦିଆଳି ପରବ ପରି ଆହୁରି ଅନେକ ପାରମ୍ପରିକ ରୀତିର ଆଗାମୀ ଭବିଷ୍ୟତ ପାଇଁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ଏହି ମେଳାର ଆୟୋଜନ କରାଯାଉଛି l ପରବର ପ୍ରଥମ ଦିନରେ ବୋରିଗୁମ୍ମାସ୍ଥିତ ଭୈରବୀଙ୍କ ମନ୍ଦିରରେ ପାରମ୍ପରିକ ଶୈଳୀରେ ଆାଦିବାସୀ ବାଦ୍ୟ ଓ ନୃତ୍ୟରେ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଥାଏ l ପରେ ଉଦଘାଟନୀ ସନ୍ଧ୍ୟାରେ ପ୍ରଶାସନ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ଏହି ଆଦିବାସୀ ମହୋତ୍ସବର ଶୁଭାରମ୍ଭ ହୋଇଥାଏ l
ଜନସାଧାରଣଙ୍କ ନିକଟରେ ଏହାକୁ ନିକଟତର କରାଇବା ପାଇଁ ପଞ୍ଚାୟତ ସ୍ତରରୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ହେବା ସହିତ ଯୁବପିଢ଼ି ମାନଙ୍କ ପାଇଁ ମିନି ମାରାଥନ୍, ସାଇକେଲ ଚାଳନା ପ୍ରତିଯୋଗିତା, ପର୍ବତ ଆରୋହଣ ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ପାଞ୍ଚଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ବାହାର ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଲୋକ ଆସିବା ସହିତ ସ୍ଥାନୀୟ ପର୍ଯ୍ୟଟନସ୍ଥଳୀ ଯଥା ଶାବର ଶ୍ରୀକ୍ଷେତ୍ର, ଦେଓମାଳି, ଗୁପ୍ତେଶ୍ଵର, ଆାଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଥାନ୍ତି l ମେଳାରେ ଆାଦିବାସୀ ବନଜାତ ସାମଗ୍ରୀ, ଆଳଙ୍କାର ଓ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ବିକ୍ରୟ ଡାଲି,ଚାଉଳ,କଫି ଆଦିର ଅନେକ ଚାହିଦା ଥାଏ l ଯାହାକୁ ପ୍ରତ୍ୟେକ ପର୍ଯ୍ୟଟକ ଦେଖିଲେ ନିଜ ଘରକୁ କିଣି ନିଅନ୍ତି l ଏଥି ସହିତ ଆଦିବାସୀ ଲୋକଙ୍କ ଗ୍ରାମୀଣ ଜୀବନଶୈଳୀ, ରୀତିନୀତି, ପ୍ରତିଭାକୁ ପରବ ମଣ୍ଡପରେ ପ୍ରଦର୍ଶନ ଏବଂ ସମ୍ମାନିତ କରାଯିବା ସହିତ ଏହାକୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ l ସାଂସ୍କୃତିକ ସନ୍ଧ୍ୟାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବା ସହ ଆଦିବାସୀ ଲୋକ ସଂଗୀତ ଓ ନୃତ୍ୟକୁ କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥାଏ l ତେବେ ପ୍ରଶାସନ ପକ୍ଷରୁ ଏକ ମାସ ଧରି ଜିଲ୍ଲାରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଏ l ତା’ ସହିତ ପରବ ପଡିଆରେ ଓରମାସ୍ ପକ୍ଷରୁ ପଲ୍ଲିଶ୍ରୀ ମେଳା, ପୁସ୍ତକ ପ୍ରଦର୍ଶନୀ, କଳା ଶିବିର ,ଫୁଡ କୋର୍ଟ ଓ ସେଠାରେ ଆାଦିବାସୀ ଖାଦ୍ୟର ସମ୍ଭାର ଦେଖିବାକୁ ମିଳେ l
ଚଳିତ ବର୍ଷ ପରବ ମହୋତ୍ସବ ୧୪.୧୨.୨୦୨୪ ରୁ ୧୮.୧୨.୨୦୨୪ ପର୍ଯ୍ୟନ୍ତ ରଙ୍ଗବଳୀ କୁମ୍ଭ ର ନୂତନ ପରବ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାର ଶୁଭାରମ୍ଭ ପର୍ବ ଅକ୍ଟୋବର ୨୭ରେ ଦୁଧାରୀସ୍ଥିତ ମଉଳି ମା’ ମନ୍ଦିରରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |