Explore

Search

November 14, 2025 8:26 pm

ସୁନା ପୁଅ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

କେବଳ ରାଜ୍ୟ ନୁହେଁ ଦେଶ ବିଦେଶରେ ମଧ୍ୟ ସେ ଜଣେ ସୁନା ପୁଅ । ତାଙ୍କ କାମ ପାଇଁ ଆଜି ସେ ସବୁଠି ପ୍ରଶଂସାର ପାତ୍ର ପାଲଟିଛନ୍ତି । ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସାରା ଦେଶ ତାଙ୍କ କାମକୁ ଦେଖି ପ୍ରଶଂସା କରିଥାନ୍ତି । ଏଥିପାଇଁ ସେ ଅନେକ ସଫଳତା ସାଉଣ୍ଟିଛନ୍ତି । ଏହାସହ ଅନେକ ସୁନାମ ଅର୍ଜନ କରିଛନ୍ତି । ଓଡ଼ିଶାର ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ସୁଦର୍ଶନ ପଟ୍ଟନାୟକ ଜଣେ ପ୍ରସିଦ୍ଧ ବାଲୁକା ଚିତ୍ର ଶିଳ୍ପୀ । ରାଜ୍ୟଠୁ ନେଇ ଦେଶ-ବିଦେଶରେ ସେ ସୁନା ପୁଅ । ୧୯୭୭ ମସିହା ଏପ୍ରିଲ ୧୫ ତାରିଖରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଦର୍ଶନ । ପିଲାଟି ବେଳୁ ବାଲିରେ ଛୋଟ ଛୋଟ ମୂର୍ତ୍ତି କରି ଗଢୁଥିଲେ । ଆଉ ଯାହାକୁ ଦେଖି ସୁଦର୍ଶନଙ୍କ ପରିବାର ଲୋକେ ଖୁସି ହେଉଥିଲେ । ଆଉ ଏତେ କମ ବୟସରୁ ଏଭଳି ବାଲିରେ ମୂର୍ତ୍ତି କରିପାରୁଥିବା ଦେଖି ଆଶ୍ଚର୍ଯ୍ୟ ବି ହେଉଥିଲେ । ଯେଉଁ ବୟସରେ ପିଲାମାନେ ଖେଳିବାକୁ ଭଲ ପାଆନ୍ତି ସେ ବୟସରେ ସେ ବାଲିରେ ମୂର୍ତ୍ତି ଗଢୁଥିଲେ। କେବଳ ଘରେ ନୁହେଁ ସ୍କୁଲରେ ମଧ୍ୟ ଟିକେ ସମୟ ପାଇଲେ ସେ ବାଲିରେ ବିଭିନ୍ନ କାରୁକାର୍ଯ୍ୟ କରୁଥିଲେ । ଆଉ ସେଇ କାମ କରିକି ସେ ଖୁବ ଖୁସି ମଧ୍ୟ ହେଉଥିଲେ । କିନ୍ତୁ ସେତେବେଳେ କେହି କେବେ ଭାବି ନଥିଲେ କି ଦିନେ ଏଇ ଛୋଟ ପିଲା ସୁଦର୍ଶନଙ୍କୁ ଏଇ ବାଲି ଖେଳ ପୁରା ବିଶ୍ୱରେ ପରିଚୟ ଦେବ । ଛୋଟ ଥିବା ବେଳେ ବାପା ମା’ ଭାବିଥିଲେ କି ତାଙ୍କ ପୁଅ ବଡ ହେଇ ଜଣେ ଭଲ ଡାକ୍ତର ହେବ ।ହେଲେ ପୁଅର ଅଧିକ ବାଲିରେ ତିଆରି ମୂର୍ତ୍ତି ନିର୍ମାଣ ଇଚ୍ଛା ଦେଖି ଚିନ୍ତାରେ ପଡ଼ିଥିଲେ ବାପା ମା’ । ଆଉ ଯାହାକୁ ଦେଖି ବାପା ମା’ ଭାବୁଥିଲେ କି ତାଙ୍କ ପୁଅ ଭବିଷ୍ୟତରେ କିଛି କରିପାରିବନି । ସେତେବେଳେ ବାଲୁକା କଳା ଯଦିଓ ଏତେ ଟା କେହି ବୁଝୁନଥିଲେ । ହେଲେ ପରେ ପୁଅର ସାରା ବିଶ୍ୱରେ ସୁନାମ ଅର୍ଜନ ଦେଖି ଖୁବ ପ୍ରଶଂସା କରିଥିଲେ । ପାଖାପାଖି ୩୫ରୁ ଅଧିକ ଅନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିସାରିଛନ୍ତି ସୁଦର୍ଶନ । ତାଙ୍କ ନିର୍ମିତ କଳା ତାଜମହଲ ଏକ ଅନୁପମ କୃତି । ସେହିପରି ସୁଦର୍ଶନ ବିଶ୍ୱର ସବୁଠାରୁ ବଡ଼ ବାଲିର ମହଲ ପୁରୀ ଠାରେ ଗଢ଼ିଥିଲେ । ଯେଉଁଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା ।

ସୁଦର୍ଶନ ପୁରୀରେ ୧୯୯୫ରେ ଗୋଲ୍ଡେନ ସାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ ସ୍ଥାପନ କରିଥିଲେ । ପରେ ଏହା ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ ନାମରେ ନାମିତ ହୋଇଥିଲା । ପୁରୀରେ ବଳରାମ ଦାସଙ୍କ କାଳରୁ ପାଖାପାଖି ୭ ଶହ ବର୍ଷର ଏହି ପୁରାତନ କଳାର ବିକାଶରେ ଏହି ସଙ୍ଗଠନ କାମ କରିଥାଏ । ଏଠାକାର ଅନେକ ଛାତ୍ର ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି । ୨୦୧୪ ମସିହାରେ ସୁଦର୍ଶନ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ । ୨୦୧୮ ମସିହାରେ ତାଙ୍କୁ ପ୍ରଥମେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତ ଓ ୨୦୨୧ ମସିହାରେ ପୁନଃନିଯୁକ୍ତ କରାଯାଇଥିଲା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବର୍ଲିନ ଦେଶରେ ମଧ୍ୟ ଆନ୍ତର୍ଜାତୀୟ ବାଲୁକା କଳା ପୁରସ୍କାର ପାଇଛନ୍ତି । ସେହିପରି ବିଶାଳତମ ସାନ୍ତା କ୍ଲାଉସ ନିର୍ମାଣ କରି ବିଶ୍ୱ ରେକର୍ଡ ରଚିଥିଲେ । ଏହାବାଦ ସେ ବିଶ୍ୱ ତାପମାନ ବୃଦ୍ଧି ଉପରେ ଜନସଚେତନତା ବାବଦରେ ୧୫ ଫୁଟ ଉଚ୍ଚର ଶ୍ରୀ ଗଣେଶଙ୍କର ବାଲୁକା ମୂର୍ତ୍ତି ନିର୍ମାଣ କରିଥିଲେ ଯାହା ଉପରେ ହିମାଳୟରୁ ବରଫ ତରଳୁଥିବାର ଛବି ସହ ‘Divine Concern on Global Warming’ ବୋଲି ଲେଖା ଥିଲା । ନିକଟରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନୂଆ ରେକର୍ଡ ପାଇଛନ୍ତି । ଚଳିତ ବର୍ଷ କଟକ ବାଲିଯାତ୍ରାରେ ନିଆରା ବାଲିର ବୋଇତ ନିର୍ମାଣ କରି ସୁଦର୍ଶନ ପଟ୍ଟନାୟକ ୱାଲର୍ଡ ରେକର୍ଡ୍ସ ବୁକ୍‌ ଅଫ୍‌ ଇଣ୍ଡିଆ (World Records Book of India)ରେ ସ୍ଥାନ ପାଇଛନ୍ତି ।

କଟକ ବାଲିଯାତ୍ରାରେ ସୁଦର୍ଶନ ୨୪୦ ଟନ ବାଲି ବ୍ୟବହାର କରି ୫୦ ଫୁଟ୍ ଲମ୍ବ ଓ ୩୦ ଫୁଟ ଓସାର ବିଶିଷ୍ଟ ବାଲୁକା ଚିତ୍ରକଳା ତିଆରି କରିଛନ୍ତି । ଏଥିରେ ୧୨ ହଜାର ଗୁଆ, 500 ନଡ଼ିଆ ଓ ୧୧୦୦ ମାଟି ଦୀପ ବ୍ୟବହାର କରାଯାଇଛି ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ମାତ୍ର ୬ ଘଣ୍ଟାରେ ଏହି ନିଆରା ଆକର୍ଷଣୀୟ ବାଲୁକା ଚିତ୍ରକଳା ନିର୍ମାଣ ହୋଇଥିବାରୁ ତାହା ବିଶ୍ଵ ରେକର୍ଡରେ ସ୍ଥାନ ପାଇଛି ।

କଟକ ଜିଲ୍ଲାପାଳ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ World Records Book of India ପକ୍ଷରୁ ଆସିଥିବା ବିଚାରକମାନେ ଏହି ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପଦ୍ମଶ୍ରୀ ବିଜେତା ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବର୍ଷ ତମାମ ବିଭିନ୍ନ ବାଲୁକା ଚିତ୍ରକଳା କରି ସମାଜକୁ ସଚେତନତା ବାର୍ତ୍ତା ଦେଉଛନ୍ତି । ୬୫ରୁ ଅଧିକ ବିଶ୍ଵସ୍ତରୀୟ ବାଲୁକା ଚିତ୍ରକଳା କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ବିଭିନ୍ନ ବାଲୁକା ଚିତ୍ରକଳା ନିର୍ମାଣ କରି ସୁଦର୍ଶନ ଦେଶ ବିଦେଶରେ ବହୁ ପ୍ରଶଂସାର ପାତ୍ର ହୋଇଥିବା ବେଳେ ଅନେକ ସରକାରୀ ଓ ବେସରକାରୀ ପୁରସ୍କାର ହାସଲ କରିଛନ୍ତି । ଓଡ଼ିଶାର କଳା, ସଂସ୍କୃତି ଭିତ୍ତିକ ବିଭିନ୍ନ ବାଲୁକା ଚିତ୍ରକଳା କରି ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର ଶିଳ୍ପୀ ଭାବେ ସାରା ବିଶ୍ବରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score