ଭୁବନେଶ୍ୱର : କାଲି ଯାଏଁ ଓଡ଼ିଶାରେ କିଛି ପରିଚୟ ନଥିଲା। ଆଜି ଓଡ଼ିଶାବାସୀଙ୍କ ହୃଦୟରେ ବିଜେପି ସରକାର । ଛୋଟ ଛୁଆ ଠୁ ନେଇ ବୟସ୍କ ସମସ୍ତଙ୍କ ମୁଁହରେ ହସ ଫୁଟାଇଛି ବିଜେପି । ଯେବେ ଠୁ ଓଡ଼ିଶାରେ ପାଦ ଥାପିଛି ବିଜେପି ସେବେ ଠୁ ସ୍ୱାବଲମ୍ବୀ ହୋଇଛନ୍ତି ଘରର ସବୁ ଗୃହିଣୀ । ଚାଷୀଙ୍କ ଆଖିରୁ ଲୁହ ପୋଛିବା ଠୁ ନେଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁବିଧା ଯୋଗାଇଛି ବିଜେପି ।
୨୦୧୪ରୁ ୨୦୨୪ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜେପିର ଚେହେରା ପାଲଟିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ପଛରେ ପକେଇ ଆଗକୁ ଆସିଥିଲେ ମୋହନ ଚରଣ ମାଝୀ । ୨୦୨୪ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ସେବେ ଠୁ ଓଡିଶାରେ କରିଥିଲେ ବଡ ପରିବର୍ତ୍ତନ । ୨୪ବର୍ଷର ବିଜେଡି ସରକାରକୁ ଅପ୍ରତ୍ୟାଶିତ ଝଟକା ଦେଇ ରାଜ୍ୟରେ ନିଜ ଦମରେ ଛିଡା ହୋଇଛି ବିଜେପି ସରକାର । କଥା ଏତିକି ନୁହେଁ ଯେବେ ଠୁ ବିଜେପି ଓଡ଼ିଶାରେ ସରକାର ଗଢ଼ିଛି ସେବେଠୁ ପ୍ରତି ଘରେ ଲୋକଙ୍କ ମୁହଁରେ ହସ ଫୁଟିଛି । ଧନୀ ଠୁ ନେଇ ଗରିବ ସରକାରୀଠୁ ନେଇ ବେସରକାରୀ ସଂସ୍ଥାଙ୍କୁ ଗୋଟିଏ ନଜରରେ ଦେଖୁଛନ୍ତି ଏଇ ସରକାର । ବିଜେଡିର ୨୪ବର୍ଷର ଶାସନରେ ପ୍ରମୁଖ ଭୂମିକା ତୁଲାଇ ଆସିଥିବା ପ୍ରଶାସନିକ ଅଫିସରମାନଙ୍କୁ ଧରି ଦଳୀୟ ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ କରିବା ଏବଂ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହେବାର ବଡ ଚ୍ୟାଲେଞ୍ଜ ରହିଥିଲା ମୁଖ୍ୟମନ୍ତ୍ରୀ ମୋହନଙ୍କ ପାଇଁ । ମାତ୍ର ବର୍ଷକ ମଧ୍ୟରେ ବିଜେପି ସରକାର ନିଜର ପ୍ରମୁଖ ୧୧ଟି ପ୍ରତିଶ୍ରୁତିକୁ ପୂରଣ କରିବାରେ ସଫଳ ହୋଇଛି । ଯାହାର ସମସ୍ତ ଶ୍ରେୟ ମିଳିଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ।
ଏହି କେଇ ଦିନକ ମଧ୍ୟରେ ମୋହନ ନିଜର ଦକ୍ଷତା ପ୍ରତିପାଦନ କରି ନିଜକୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ଉପସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି । ୨୦୨୪ ଜୁଲାଇ ୧ରୁ ନିଜେ ଜନଶୁଣାଣି କରି ଲୋକଙ୍କ ଅଭିଯୋଗର ସମାଧାନ କରୁଛନ୍ତି । ଶ୍ରୀମନ୍ଦିରର ରତ୍ନଭଣ୍ଡାରକୁ ୪୦ ବର୍ଷ ପରେ ଖୋଲି ମରାମତି କରାଯିବା ସହ ପୁଣିଥରେ ପୁରୀର ପ୍ରମୁଖ ମଠଗୁଡ଼ିକର ଉନ୍ନତିକରଣ ସହ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସୁରକ୍ଷା ସୁଦୃଢ଼ ପାଇଁ ନିଷ୍ପତ୍ତି ମଧ୍ୟ ମୋହନଙ୍କ ଦୃଢ଼ ନେତୃତ୍ୱ ଓ ଦକ୍ଷତାକୁ ପ୍ରତିପାଦନ କରିଛି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଯୋଗୁଁ ଓଡ଼ିଶାରେ ପ୍ରଥମଥର ପାଇଁ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ, ଜାତୀୟ ନୌସେନା ଦିବସ ଏବଂ ପ୍ରବାସୀ ଭାରତୀୟ ଦିବସ ଭଳି ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମଗୁଡ଼ିକ ସଫଳତାର ସହ ଆୟୋଜିତ ହୋଇଛି । ଯାହା ରାଜ୍ୟର ମର୍ଯ୍ୟାଦାକୁ ବୃଦ୍ଧି କରିଛି । ସେହିପରି ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣକୁ ସବୁଜ ସଙ୍କେତ ଦେବା ସହ ପାରାଦୀପରେ ମଧ୍ୟ ଏକ ଗ୍ରୀନ୍ ବିମାନ ବନ୍ଦର ନିର୍ମାଣ କରାଯିବ ବୋଲି ବିଜେପି ସରକାର ଘୋଷଣା କରିସାରିଛନ୍ତି ।
ଏସବୁ ବ୍ୟତୀତ ଓଡ଼ିଶାରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସିର ଥାନା ଓ ୨୦ରୁ ଅଧିକ ନୂଆ ସାଇବର ଥାନା ଖୋଲିବା ନିଷ୍ପତ୍ତିକୁ ସାଧାରଣରେ ପ୍ରଶଂସା କରାଯାଇଥିଲା । ଏସବୁ ବ୍ୟତୀତ ରାଜ୍ୟରେ ୟୁନିଫାଏଡ୍ ପେନସନ ସ୍କିମ କାର୍ଯ୍ୟକାରୀ ସହ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା କାର୍ଯ୍ୟକ୍ରମରେ ପ୍ରସୂତୀ ମହିଳାଙ୍କୁ ଅଧିକ ସହାୟତା ମଧ୍ୟ ସମ୍ଭବପର ହୋଇପାରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଚାରିଦ୍ୱାର ଖୋଲିବା, ଶ୍ରୀମନ୍ଦିର ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି, ଧାନର ଏମଏସପି ଉପରେ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ସବସିଡି ଓ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବା ଭଳି ନିଷ୍ପତ୍ତି ନେଇ ମୋହନ ସରକାର ଚର୍ଚ୍ଚାକୁ ଆସିଥିଲେ । ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ୱ ଓ ୮୦ ରୁ ଅଧିକ ଭିନ୍ନକ୍ଷମଙ୍କୁ ମାସିକ ୩୫୦୦ଟଙ୍କା ପେନସନ, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ସହ ଓଡ଼ିଆ ଅସ୍ମିତା ଭବନ, ତାଳପତ୍ର ପୋଥି ସଂଗ୍ରହାଳୟ, ଓଡ଼ିଆ ଅନୁବାଦ ଏକାଡେମୀ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବା ନିଷ୍ପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବିଜେପି ସରକାର ।
ମହିଳାଙ୍କ ପାଇଁ ସରକାର :
ନିର୍ବାଚନୀ ପ୍ରତିଶ୍ରୁତି ଅନୁରୂପ କ୍ଷମତାକୁ ଆସିବାର ମାତ୍ର ୩ମାସ ମଧ୍ୟରେ ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିଜର ଫ୍ଲାଗସିପ୍ ‘ସୁଭ୍ରଦା ଯୋଜନା’କୁ ଶୁଭାରମ୍ଭ କରି ଏପର୍ଯ୍ୟନ୍ତ ୬ଟି ପର୍ଯ୍ୟାୟରେ ମୋଟ ୧କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କ ଆକାଉଣ୍ଟକୁ ୧୫ ହଜାର ଟଙ୍କା ଲେଖାଏଁ ହାତପାଣ୍ଠି ଦେଇସାରିଲେଣି ମୋହନ ସରକାର । ମାତ୍ର ଯୋଜନାକୁ ନେଇ ଯେଭଳି ଉତ୍ସାହ ସାଧାରଣ ମହିଳାଙ୍କ ମଧ୍ୟରେ ଦେଖାଯିବା କଥା ଓ ତା’ର ରାଜନୀତିକ ଫାଇଦା ବିଜେପିକୁ ମିଳିବ ବୋଲି ଆଶା କରାଯାଉଥିଲା, ସେଥିରେ ଯୋଜନାର କ୍ରିୟାନ୍ୱୟନ ପ୍ରତିବନ୍ଧକ ସାଜିଥିବା ଚର୍ଚ୍ଚା ହେଉଛି ।
ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୨୦୨୪-୨୫ ଆର୍ଥିକ ବର୍ଷରେ ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ୧୯ଟି ବିଭାଗ ୩୫୬୮.୮୫କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦେଇଛନ୍ତି । ଯାହାକି ସମଗ୍ର ୨୦୨୩-୨୪ ଆର୍ଥିକ ବର୍ଷରେ ଦିଆଯାଇଥିବା ୩୪୪୫କୋଟି ଟଙ୍କାଠୁ ବି ଅଧିକ । ବିଜେଡି ସରକାରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ରାଜରାସ୍ତାରେ ଧାରଣା ଦେଇଥିବା ୬୨୩୪୧ଜଣ କମ୍ୟୁନିଟି ୱାର୍କର (ମହିଳା)ଙ୍କୁ ୧୦ମାସର ପାରିଶ୍ରମିକ ଦେଇ ସେମାନଙ୍କୁ କାର୍ଯ୍ୟ ଜାରି ରଖିବାର ସୁଯୋଗ ମଧ୍ୟ ସରକାର ଦେଇଛନ୍ତି ।
ମୋହନଙ୍କ ନେତୃତ୍ୱରେ ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବାଧିକ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ଦିଗରେ ମଧ୍ୟ ଓଡ଼ିଶା ଦେଶରେ ପ୍ରଥମ ସଫଳ ରାଜ୍ୟ । ଅଦ୍ୟାବଧି ଓଡ଼ିଶା ୧୬ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇପାରିଛି । ସେହିପରି ମହିଳା କର୍ମଚାରୀଙ୍କୁ ମାତୃତ୍ୱ ଛୁଟି ପାଇଁ କୋହଳ ନୀତି ଓ ପିଲାଙ୍କ ଲାଳନପାଳନ ନିମନ୍ତେ ଲୋକସେବା ଭବନରେ କ୍ରେଚ୍ ସୁବିଧା ଭଳି ନିଷ୍ପତ୍ତି ନେଇ ମୋହନ ସରକାର ବିଗତ ସାଢ଼େ ୧୧ମାସ ମଧ୍ୟରେ ନିଜର ପ୍ରଶାସନିକ ଦକ୍ଷତାକୁ ପ୍ରତିପାଦନ କରିବାରେ ସକ୍ଷମ ହୋଇପାରିଛନ୍ତି । ଏସବୁ ବ୍ୟତୀତ ମହିଳା ନିର୍ଯାତନା ଓ ହିଂସା ମାମଲାରେ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରି ନିରପେକ୍ଷ ତଦନ୍ତ ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ମଧ୍ୟ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିପାରିଛି ବିଜେପି ।
ମୋହନ ସରକାର ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଚଳିତ ମେକଇନ ଓଡ଼ିଶା-ଉତ୍କର୍ଷ ଓଡ଼ିଶା କନକ୍ଲେଭ ମାଧ୍ୟମରେ ୧୬.୭୩ଲକ୍ଷ କୋଟି ଟଙ୍କା ନିବେଶ ସମ୍ଭାବନା ଓ ୮.୯୪ ଲକ୍ଷରୁ ଅଧିକ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି ଓ ଏହା ‘ସମୃଦ୍ଧ ଓଡ଼ିଶା-୨୦୩୬’ଲକ୍ଷ୍ୟକୁ ହାସଲ ଦିଗରେ ସହାୟକ ହୋଇପାରିବ । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୋର୍ଦ୍ଧାରେ ୫,୭୭୦ କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଓ କଳିଙ୍ଗନଗରରେ ୧.୧୫ ଲକ୍ଷ କୋଟି ଟଙ୍କାର ୨୪ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର କରି ମାଧ୍ୟମରେ ମୋଟ ୭୩,୦୩୦ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହୋଇପାରିଛି । ସେହିପରି ୨୦୨୪ ଜୁନ୍ ପର ଠୁ ମୋଟ ୧୪୧୧୩କୋଟି ଟଙ୍କାର ୭୦ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅନୁମୋଦନ ଲାଭ କରିସାରିଛି ।
ଏସବୁ ବ୍ୟତୀତ ମୁଖ୍ୟମନ୍ତ୍ରୀ ନିଜେ ସରକାରୀ ନିଯୁକ୍ତି ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହ ବୈଠକ କରି ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି । ୧୮,୭୮୮ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ, ପୁଲିସ ବାହିନୀରେ ଖାଲି ପଡ଼ିଥିବା ୧୬ହଜାର ପଦବୀ ପୂରଣ ସହ ଅତିରିକ୍ତ ୧୬,୦୫୯ଟି ପଦବୀ ସୃଷ୍ଟି, ସ୍ୱାସ୍ଥ୍ୟ ବିଭାଗରେ ୪ହଜାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନିଯୁକ୍ତି ଓ ଅନ୍ୟାନ୍ୟ ବିଭାଗର ଖାଲି ପଡ଼ିଥିବା ପଦବୀକୁ ପୂରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ସହ ନିୟମିତ ତଦାରଖ କରାଯାଉଥିବା ଜଣାପଡ଼ିଛି ।
ଯେବେଠୁ ଓଡ଼ିଶାରେ ବିଜେପି ସରକାର ଗଢ଼ିଲାଣି ସେବେଠୁ ସ୍ୱାସ୍ଥ୍ୟ ସେବାରେ ଆହୁରି ଉନ୍ନତି ହୋଇଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଏବେ ଘରେ ଘରେ ଉପଲବ୍ଧ । ଗରିବ ଲୋକେ କିପରି ସୁରୁଖୁରୁରେ ସ୍ୱାସ୍ଥ୍ୟ ସେବା ପାଇବେ ସେଥି ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲାରେ ୪ଟି ମେଡିକାଲ କଲେଜ ଏବଂ ଢ଼େଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ଆୟୁଷ ହସ୍ପିଟାଲ ସ୍ଥାପନ କରିବାକୁ ଘୋଷଣା କରିସାରିଛନ୍ତି ମୋହନ ସରକାର ।
ସେହିପରି ରାଜ୍ୟରେ ସହରାଞ୍ଚଳ ପରିବହନ ନେଟୱାର୍କକୁ ସମୃଦ୍ଧ କରିବା ପାଇଁ ଓ ଯାତ୍ରୀଙ୍କ ଯାତାୟାତକୁ ଆହୁରି ସୁରକ୍ଷିତ କରିବା ପାଇଁ ସହରରେ ‘ଆମ ବସ’ର ସୁବିଧା ଅଧିକରୁ ଅଧିକ ଗଡାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ଆଉ ଏହା ପରଠୁ ପ୍ରତ୍ୟେକ ସହରରେ ‘ଆମ ବସ’ର ସୁବିଧା ଉପଲବ୍ଧ ହେବା ସହ ଡ଼ିଜିଟାଲ ପାସର ମଧ୍ୟ ବ୍ୟବସ୍ଥା ହୋଇଛି । ଏବେ ଓଡିଶାରେ ୪ଶହରୁ ଅଧିକ ‘ଆମ ବସ’ର ସୁବିଧା ରହିଛି । ସେହିପରି ଆମ ବସ୍ ସେବାରେ ବର୍ତ୍ତମାନ 290ଟି ଇଲେକ୍ଟ୍ରିକ୍ ବସ୍ ଚାଲୁଛି, ଆଉ 600ଟି ଯୋଡିବାର ଯୋଜନା ରହିଛି । ଯାହା ମାଧ୍ୟମରେ ଲୋକେ ଆହୁରି ଖୁସି ବ୍ୟକ୍ତ କରିବା ସହ ସୁରୁଖୁରୁ ଓ ଶାନ୍ତିରେ ଯାତୟାତ କରୁଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
