ଢେଙ୍କାନାଳ ସହରରୁ ବାଜିଚୌକ୍ ଛକ ଦେଇ ଯୋରନ୍ଦା ଗାଦି ଓ କପିଳାସ ଗଲାବେଳେ ସାମ୍ନାରେ ଦେଖାଯାଏ ଛୋଟ ପାହାଡ ଉପରେ ରାଜତନ୍ତ୍ରର ମୁକସାକ୍ଷୀ, ଧ୍ବସ୍ତ ପ୍ରାୟ “ଯତନ ନଗର”। କେହି କେହି ତାକୁ ଯାତନା ନଗର ବୋଲି କହିଥାନ୍ତି। ସାରା ଦେଶରେ ଢେଙ୍କାନାଳ ରାଜ୍ୟର ରାଜପରିବାରର ଶୋଷଣ, ଅତ୍ୟାଚାର ଓ ଲୁଣ୍ଠନ ପାଇଁ କୁଖ୍ୟାତ ଓ ଯତନ ନଗର ତାର ମୁକ ସାକ୍ଷୀ । ବଡ଼ ବଡ଼ କୋଠରୀକୁ ନେଇ ୯୯ କୋଠରୀ ବିଶିଷ୍ଟ ବଙ୍ଗଳା । ତାହା ଆଜି ରୁଗ୍ନ ଓ ଜରାଜୀର୍ଣ୍ଣ । ସେ ବିଷୟରେ ସାଧାରଣରେ କୌଣସି ଆଲୋଚନା ହୁଏନା।
କିମ୍ବଦନ୍ତୀ ଅନୁସାରେ, ରାଜା ଶ୍ରୀ ଶଙ୍କର ପ୍ରତାପ ସିଂ ଦେଓ ମହିନ୍ଦ୍ରା ବାହାଦୁର ଇଂଲଣ୍ଡରେ ଥିବାବେଳେ ତାଙ୍କ ସାନ ଭାଇ ପଟ୍ଟାୟତ ନୃସିଂହ ପ୍ରତାପ ସିଂ ଦେଓ ଢେଙ୍କାନାଳ ଉପରେ ଶାସନ କରୁଥିଲେ ଏବଂ ଜତାନ ନଗର ପ୍ରାସାଦ ନିର୍ମାଣ କରିଥିଲେ।ସେ ସମୟରେ ପାହାଡ ଶୀର୍ଷରେ ଏତେ ବଡ ପ୍ରାସାଦର ନିର୍ମାଣ ବେଳେ ବେଳେ ଅସମ୍ଭବ ମନେ ହୁଏ। ରାଜା ଶଙ୍କର ପ୍ରତାପଙ୍କର ଦ୍ଵିତୀୟ ଭାଇ ପଟ୍ଟାୟତ ନୃସିଂହ ପ୍ରତାପ ନିଜର ସ୍ତ୍ରୀ ଯୋଧପୁରର ରାଜକନ୍ୟା ଯତନ କୁମାରୀଙ୍କ ନାମରେ ୧୯୩୨ ମସିହାରେ ଢ଼େଙ୍କାନାଳ ରାଜବାଟୀର ଉତ୍ତର ପାର୍ଶ୍ଵରେ ଥିବା ସିମିଳିଆ ପାହାଡ ଉପରେ ନଗର ନିର୍ମାଣ କରିଥିଲେ, ତାହା ପ୍ରଜାପୀଡନ, ଅତ୍ୟାଚାର ଓ ଶୋଷଣରେ ନିରବ ମୁକସାକ୍ଷୀ ।
ଘୋଡା ହାତୀ ସହିତ ଶ୍ରମିକ ଭାବରେ ପ୍ରଜା ମାନେ ହଜାର ହଜାର ସଂଖ୍ୟାରେ ପାଳିରେ ବେଠି ଖଟୁଥିଲେ । ଗାଁରୁ ଚୁଡ଼ା ଚାଉଳ ସାଙ୍ଗରେ ଧରି, ରାଜାଘର ବେଠି ପାଇଁ ମାସ ମାସ ଧରି ଖଟୁଥିଲେ ଓ ସାମାନ୍ୟ ଅବହେଳା ପାଇଁ ପଟାୟତ ଠାରୁ ଚାବୁକମାଡ଼ ଖାଇ ଲହୁ ଲୁହାଣ ହେଉଥିଲେ ତଥାପି ନିସ୍ତାର ନଥିଲା । ଅସୁସ୍ଥ ହେବା ମନା ଥିଲା, ହେଲେ ବି ଚିକିତ୍ସା କରିବ କିଏ ? ସାଙ୍ଘାତିକ ରୋଗୀଙ୍କୁ କୁକୁର ଲଗାଇ ହଟେଇ ଦିଆ ଯାଉଥିଲା । କାମର ତଦାରଖ କରୁଥିଲା ପ୍ରବଳ ପ୍ରତାପୀ ନନ୍ଦ ପେସ୍କାର ଓ ସଂଗେ ସଂଗେ ରୋଗୀର ବାପା କିମ୍ବା ଭାଇକୁ ବାଡ଼େଇ ବାଡ଼େଇ ଧରି ଆଣୁଥିଲା, ଗାଁରେ ଥିବା ଦଫାଦର୍ ।ହାତୀ, ଘୋଡାମାନଙ୍କ ଦ୍ଵାରା ବ୍ୟବହୃତ ବଡ଼ ବଡ଼ ମାଙ୍କଡ଼ା ପଥର ଖଣ୍ଡ ଉପରକୁ ଅଣା ଯାଇଥିଲା । ଦୁର୍ବଳ କିମ୍ବା ବୁଢା ହାତୀ ଘୋଡା ମାନଙ୍କୁ ଚାବୁକ ମାଡ଼ ମାରି ଗୋଡ଼ ବାନ୍ଧି ପାହାଡରୁ ତଳକୁ ଠେଲି ଦିଆ ଯାଉଥିଲା । ନିର୍ମାଣ ସାମଗ୍ରୀ ପାହାଡ଼ଶୀର୍ଷରେ ପହଞ୍ଚିବା ପାଇଁ ସମସ୍ତ ପ୍ରସ୍ତୁତି ଦେଖୁଥିଲା ପଟାୟତ।ବେଠି ଖଟୁଥିବା ଲୋକେ କାମ ନ କରି ପାରିଲେ ତିନି ଫୁଟିଆ ଛୋଟ କୋଠରୀ, ନା ବସି ପାରିବ ନା ଠିଆ ହୋଇ ପାରିବ, ମୁଣ୍ଡ ନୁଁଏଇ ବଙ୍କେଇ ରହିଥିବା ବେଳେ କାଳେ ମରିଚଗୁଣ୍ଡ ଧୂଆଁ ଦିଆ ହେଉଥିଲା l
ପ୍ରତ୍ୟେକ ଶ୍ରମିକଙ୍କୁ ବହୁତ ନିର୍ଯାତନା ଦିଆଯାଇଥିଲା ଏବଂ କୁହାଯାଏ ଯେ ସେମାନଙ୍କ ମଧ୍ଯରୁ ଅନେକ ନିର୍ମାଣ ସମୟରେ ମୃତ୍ୟୁବରଣ କରିଥିଲେ ଏବଂ ସେମାନଙ୍କ ଆତ୍ମା ରାଜପ୍ରାସାଦର କାନ୍ଥ ମଧ୍ଯରେ ବାସ କରନ୍ତି | ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯାଉଥିଲା ଏବଂ ଏହା ବ୍ଯତୀତ ରାଜାଙ୍କ ଆକାଉଣ୍ଟାଣ୍ଟ ମଧ୍ଯ ସାଧାରଣ ଲୋକଙ୍କଠାରୁ ଟଙ୍କା ଉଠାଇଥିଲେ ବୋଲି କୁହାଯାଉଥିଲା। ପରବର୍ତ୍ତୀ ସମୟରେ, କୋଠାଟି ଧ୍ୱଂସ ହୋଇଯାଇଥିଲା ଏବଂ ଭାରତର ସବୁଠାରୁ ଭୂତପ୍ରେତ ପ୍ରାସାଦ ମଧ୍ଯରୁ ଗୋଟିଏରେ ପରିଣତ ହୋଇଥିଲା | ଏହି ସମସ୍ତ ଘଟଣା ପରେ ରାଜା ଶ୍ରୀ ଶଙ୍କର ପ୍ରତାପ ବିଦେଶରୁ ଫେରି ତାଙ୍କ ସାନ ଭାଇଙ୍କଠାରୁ ପ୍ରଶାସନ ଦାଇତ୍ୱ ଗ୍ରହଣ କରିବା ପରେ ଲୋକମାନେ ସ୍ଥିତିରେ ଉନ୍ନତି ଆଶା କରିଥିଲେ। ଯଦିଓ ଏହି ପ୍ରାସାଦ ବିଷୟରେ ଅନେକ କାହାଣୀ ରହିଛି, କିନ୍ତୁ ଏହା କେତେ ସତ କେତେ କାଳ୍ପନିକ ତାର କୌଣସି ସତ୍ୟାସତ୍ୟ ଏପର୍ଯ୍ୟନ୍ତ ରହସ୍ୟାଘେରରେ |
ଢେଙ୍କାନାଳ ରାଜ ଅତ୍ୟାଚାର ବିରୋଧରେ ଅଭଯୋଗ ସେତେବେଳ ମହାତ୍ମା ଗାନ୍ଧୀଙ୍କ ପାଖରେ ପହଞ୍ଚିବାରୁ ଗାନ୍ଧିଜୀ ହରିଜନ ପତ୍ରିକାରେ ତାଙ୍କର ମତ ଉପସ୍ଥାପନ କରିଥିଲେ ।ରାଜପରିବାରର ବିଳାସର ପ୍ରତୀକ ରଙ୍ଗମହଲର ସ୍ବପ୍ନ, ଶୋଷିତ ପ୍ରଜାର ନିଃଶ୍ୱାସରେ ଧ୍ଵଂସ ହୋଇଯାଇଛି। ରାଜତନ୍ତ୍ରରେ ପ୍ରଜା ଶୋଷଣର କରୁଣ କାହାଣୀର ପ୍ରତୀକ, ଢେଙ୍କାନାଳ ଜନତାର ଲହୁଲୁହର ଅନନ୍ୟ ମୁକସାକ୍ଷୀ ଓ ଶୋଷଣର ଜ୍ୱଳନ୍ତ ଉଦାହରଣ ଏଇ ଯତନ ନଗର ରାଜପ୍ରାସାଦ ଆଜି ଧ୍ବସ୍ତପ୍ରାୟ। ଇତିହାସର ମୂକ ସାକ୍ଷୀ ଏହି କୀର୍ତ୍ତିରାଜର ପୁନରୁଦ୍ଧାର ନିଶ୍ଚୟ କରାଯିବା କଥା ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
