ବର୍ତ୍ତମାନ ସମୟରେ ଏକ ସୁରକ୍ଷିତ ଚାକିରି ବେଶ୍ କାଠିକର ପାଠ ପରି l ପ୍ରାୟତଃ ଯୁବବର୍ଗଙ୍କ ପାଇଁ ନିଯୁକ୍ତିର ଅନେକ ସୁଯୋଗ ରହିଥିବା ବେଳେ ମଧ୍ଯ ଓ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ପାଇଁ ଚାକିରିଟିଏ ପାଇବା ଖୁବ୍ କଷ୍ଟଦାୟକ l ସାରା ବିଶ୍ୱରେ ଏହି ବୟସ ବର୍ଗର ଲୋକଙ୍କ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଅଧା ବୟସରେ ଚାକିରି ହରାଇବା ଆର୍ଥିକ ସମସ୍ୟା ବ୍ୟକ୍ତିଗତ ଜୀବନରେ ଏକ ବିରାଟ ଅସ୍ଥିରତା ସୃଷ୍ଟି କରିଥାଏ । ଥରେ ଭାବନ୍ତୁ ତ ଯଦି ସେମାନଙ୍କର ପିଲାମାନେ କଲେଜ ଯାଉଥାଆନ୍ତି, କିପରି ଚାକିରିର ଚାପକୁ ସମ୍ମୁଖୀନ କରିବେ?
ସାମ୍ପ୍ରତିକ ପରିସ୍ଥିତି-
ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ଚାକିରି ସଙ୍କଟ ଆଦି ଦେଇ ଗତି କରୁଛି ଭାରତ । ଦିନକୁ ଦିନ ଦେଶରେ ବେରୋଜଗାର ସଂଖ୍ୟା ବଢ଼ିବା ସହ ନିଯୁକ୍ତିରେ ନାହିଁ ନଥିବା ସଙ୍କଟ ଦେଖାଦେଉଛି । ସମସ୍ତେ ପାଠ ପଢୁଛନ୍ତି ହେଲେ ସେହି ପାଠ ଅନୁସାରେ ଚାକିରି ମିଳୁନି । ପ୍ରତିଭାରେ ପରିପୂର୍ଣ୍ଣ ଭାରତର ଅର୍ଥନୀତି ଦ୍ରୁତ ଗତିରେ ଅଗ୍ରସର ହେଉଛି ସତ, ସେପରି ନିଯୁକ୍ତି ସୃଷ୍ଟି ହୋଇପାରୁନି । ଭାରତୀୟମାନେ ନିଜ ଜୀବନ ଜୀବିକାକୁ ନେଇ ସବୁବେଳେ ଚିନ୍ତିତ । ଏତେ ଜନସଂଖ୍ୟା ଥିବା ଦେଶରେ କେତେବେଳେ ଯେ କାହାର ଚାକିରି ଚାଲିଯିବ କିଏ କହିବ । କୌଣସି ବ୍ୟକ୍ତି ସହ ଏପରି ହେଲେ ସେ କ’ଣ କରିପାରିବ । କାରଣ ଆଜିକାଲି ଗୋଟିଏ ଛୋଟ ପଦବୀ ପାଇଁ ବଡ଼ ବଡ଼ ଡିଗ୍ରୀ ହାସଲ କରିଥିବା ପିଲାଙ୍କ ଲମ୍ବା ଧାଡ଼ି ଲମ୍ବୁଛି ।
କୃତିମ ବୁଦ୍ଧିମତାର ରାଜ୍-
ଏକବିଂଶ ଶତାବ୍ଦୀରେ ପ୍ରାୟ ସବୁ ଜାଗାରେ ଅଳ୍ପ ବହୁତ ବ୍ୟବହୃତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟାପକ ବ୍ୟବହାର ଏବଂ ପ୍ରଚାର ପ୍ରସାର ଯୋଗୁଁ ଭବିଷ୍ୟତରେ ଅନେକ ଲୋକଙ୍କ ଚାକିରି ଯାଇପାରେ ବୋଲି ବିଶେଷଜ୍ଞମାନେ ଭବିଷ୍ୟବାଣୀ କଲେଣି l ଥରେ ଚିନ୍ତା କରନ୍ତୁ ତ ମା’ବାପା, ପିଲାଛୁଆ, ମାସକୁ ମାସ ଇଏମଆଇ ଭରୁଥିବା ମଣିଷର ଅଧା ବୟସରେ ଚାକିରି ଚାଲିଗଲେ କ’ଣ ହେବ ସ୍ଥିତି ? ଘର ଚଳିବ କେମିତି, ପରିବାରର ବୋଝ ମୁଣ୍ଡାଇବ କିଏ ? ଥରେ ଚାକିରି ଗଲେ ପ୍ରତିଯୋଗିତା ହେଉ କି ସୁପାରିସ ଓ ଲାଞ୍ଚ ପାଇଁ ହେଉ ଚାକିରି ଖଣ୍ଡେ ଯୋଗାଡ଼ କରିବା ଭାରି ମୁସ୍କିଲ । ମଧ୍ୟବୟସ୍କ ଲୋକଙ୍କୁ ଛଟେଇ କରିବାର ଏକ ଚିନ୍ତାଜନକ ଧାରା ଉପରେ ଆଲୋକପାତ କରି ସେ କହିଛନ୍ତି , ଅଧିକ ଦରମା ସ୍ଲାବ ପାଇଁ ଏମାନଙ୍କ ଚାକିରି ସବୁବେଳେ ବିପଦରେ ଥାଏ ।
ପରିବାରର ଦାୟିତ୍ଵ-
୪୦ ବର୍ଷ ବୟସର ଅନେକ ଚାକିରିଆ ସେମାନଙ୍କ ପିଲାମାନଙ୍କ ପାଇଁ କଲେଜ ଖର୍ଚ୍ଚ, ବୃଦ୍ଧ ପିତାମାତାଙ୍କ ପାଇଁ ଆର୍ଥିକ ସହାୟତା ଏବଂ ପ୍ରାୟତଃ ସୀମିତ ସଞ୍ଚୟ ସହ କାମ କରୁଥାନ୍ତି । ପ୍ରଥମତଃ ଏହି ବୟସରେ ହିଁ ସେମାନଙ୍କୁ ମନ ମୁତାବକ ଦରମା ମିଳିବା ଆରମ୍ଭ ହୋଇଥାଏ । କାରଣ ଚାକିରି ଜୀବନର ପ୍ରଥମ. ସମୟରେ ଦରମା କେବଳ ଦୁଇ ଓଳି ବଞ୍ଚିବା ପାଇଁ l ଅନେକ ସଂଘର୍ଷ ପରେ ଦୀର୍ଘ ବର୍ଷ କାମ କରିବା ପରେ ଆଶା କରାଯାଇଥିବା ସୁବର୍ଣ୍ଣ ଦରମା ଅବଧି ସେମାନଙ୍କ ୪୦ ଦଶକର ଶେଷ କିମ୍ବା ୫୦ ଦଶକର ପ୍ରାରମ୍ଭରେ ଆସିଥାଏ। ହେଲେ ଏହି ସମୟରେ ଚାକିରିରୁ ବହିଷ୍କାର ହେବା ଏକ ଆର୍ଥିକ ଏବଂ ଭାବପ୍ରବଣ ବିପର୍ଯ୍ୟୟ ଏବଂ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କାମ କରିଥିବା ଲୋକଙ୍କ ଆଶାକୁ ଧୂଳିସାତ୍ କରିଦିଏ ।
କିପରି ଏହି ସମସ୍ୟାରୁ ବର୍ତ୍ତିବା?
ପ୍ରଥମ କଥା ମଧ୍ୟ ବର୍ଗର ଲୋକମାନେ ବିବିଧତା ଓ ନୂତନ ଜ୍ଞାନକୌଶଳ ଉପରେ ଧ୍ୟାନ ଦେବା ଉଚିତ । କାରଣ ଏହି ପାଇଁ ଅନେକ ଲୋକଙ୍କୁ ସଠିକ ବେତନ ମିଳିବାରେ ଅସୁବିଧା ହୋଇଥାଏ । ୪୦ ରୁ ୪୫ ବର୍ଷ ବୟସର ଲୋକମାନେ ସବୁଠାରୁ ଦୁର୍ବଳ ଏବଂ ସେମାନେ ପ୍ରଥମେ ଛଟେଇ ହୁଅନ୍ତି। ଏହି ଧାରା ବିଶେଷ ଭାବରେ ସତ ହୋଇଥାଏ, ଯେତେବେଳେ ଲୋକମାନେ ଅଧିକ ଦରମା ପାଇଁ ବଡ଼ କମ୍ପାନୀରୁ ଷ୍ଟାର୍ଟଅପକୁ ଯାଆନ୍ତି ।ଅନ୍ୟ ଜଣେ ବ୍ୟବହାରକାରୀ କହିଛନ୍ତି, ଯଦି ସେମାନଙ୍କୁ ୪୦ ବର୍ଷ ବୟସରେ ଛଟେଇ କରାଯାଏ, ତେବେ ସେମାନେ ସଠିକ ସମୟରେ ଇଏମଆଇ ବିଲ୍ ଦେବାକୁ ସକ୍ଷମ ହୋଇପାରିବେ ନାହିଁ । ଏଥି ଯୋଗୁଁ ବ୍ୟାଙ୍କ ଖିଲାପକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଏହା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇପାରେ । ଏଥିସହିତ କ୍ୟାରିୟର କାଉନସେଲିଂ, ଉନ୍ନତମାନର ଟ୍ରେନିଂ ପ୍ରଶିକ୍ଷଣ, ମନସ୍ତାତ୍ତ୍ୱିକ ସହାୟତା ଆଦି ଏହି ସମସ୍ୟାରୁ ବର୍ତିବା ପାଇଁ ସାହାଯ୍ଯ କରିବ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |