Explore

Search

March 13, 2025 3:15 am

Genres

ପ୍ରଗତିର ସ୍ରୋତରେ ପ୍ରତି ଗାଁକୁ ଯୋଡ଼ିବ “ବିକଶିତ ଗାଁ ବିକଶିତ ଓଡ଼ିଶା”

bikashita gaon bikashita odisha

 

ଗାଁ ଗୁଡ଼ିକର ହେବ ବିକାଶ, ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ହେବା ସହିତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ବିକଶିତ ଗାଁ ବିକଶିତ ଓଡ଼ିଶ’ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶାର ମାର୍ଗଦର୍ଶିକା ଜାରି ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟକୁ ଏହା ପଠାଯାଇଛି । ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ କରାଯିବ । ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ ।

୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ରାଜ୍ୟ ସରକାର ବଜେଟରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି । ସମସ୍ତ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଉକ୍ତ ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ । ଜିଲ୍ଲା ପରିଷଦକୁ ପାଣ୍ଠି ପ୍ରଦାନ କରାଯିବ ଏବଂ ପରବର୍ତ୍ତୀ ସମୟରେ ଏହି ବ୍ଲକ କିମ୍ବା ଗ୍ରା.ପକୁ ଜନସଂଖ୍ୟା ଆଧାରରେ ବଣ୍ଟନ କରାଯିବ ।

ନୂଆ ବ୍ୟବସ୍ଥା ଅନୁସାରେ ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ । ଏଥିପାଇଁ ମୋଟ ପାଣ୍ଠିର ୪୦ ପ୍ରତିଶତ ବା ୪୦୦ କୋଟି କେବଳ ଇଣ୍ଟିଗ୍ରେଟେଡ୍ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ଅଧୀନରେ ଥିବା ବ୍ଲକ୍‌ରେ ଖର୍ଚ୍ଚ ହେବ । ରାଜ୍ୟର ମୋଟ ୩୧୪ ବ୍ଳକ୍ ଭିତରୁ ୧୨୧ଟି ବ୍ଳକ୍ ଆଇଟିଡିଏ ଅଧୀନରେ ଆସୁଛି । ଏ ସବୁ ଅଞ୍ଚଳର ବିକାଶକୁ ସରକାର ଅଧିକ ଗୁରୁତ୍ଵ ଦେବେ ।

ସେହିପର ଅନ୍ୟ ୧୯୩ଟି ବ୍ଲକରେ ଥିବା ପଞ୍ଚାୟତକୁ ୬୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ ହେବ । ପଞ୍ଚାୟତକୁ ମିଳିଥିବା ମୋଟ ପାଣ୍ଠିର ୩୫ ପ୍ରତିଶତ କେବଳ ରାସ୍ତା ନିର୍ମାଣ ପାଇଁ ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ । ଗାଁରେ ବ୍ଲକ ଟପ୍ ରୋଡ୍, କଂକ୍ରିଟ୍ ରୋଡ଼, ବ୍ଲକ ରାସ୍ତା ଏବଂ ଡ୍ରେନ୍ ଆଦି ନିର୍ମାଣ କରାଯିବ । ମୋହନ ସରକାରରେ ସଂରକ୍ଷିତ ଜଙ୍ଗଲ ଓ ଜଙ୍ଗଲ ଅଞ୍ଚଳ ଭିତରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ମେଟାଲିଂ ମାନର ରାସ୍ତା ନିର୍ମାଣ କରାଯିବ ।

ଏତଦ୍ ବ୍ୟତୀତ ଏହି ଯୋଜନାରେ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପ୍ରତି ବ୍ଲକରେ ପଠନ ଗୃହ ରହିବା ସହିତ ପଢ଼ା ବହି ସାଙ୍ଗକୁ ଇଣ୍ଟରନେଟ୍ ସୁବିଧା ମିଳିବ । ଫଳରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଏଠାରେ ସ୍ୱଳ୍ପ ଦେୟରେ ପାଠ ପଢ଼ିପାରିବେ । ବିଦ୍ୟାଳୟର ଆଧୁନିକୀକରଣ, ପ୍ରତି ଗାଁରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ।

ସେହିଭଳି ପଞ୍ଚାୟତରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଙ୍ଗି ରୁମ୍, ମାର୍କେଟ୍ ସେଡ୍ ତିଆରି ପାଇଁ ଟଙ୍କା ମିଳିବ । ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ତିଆରି ହେବ । ସବୁ ଧାର୍ମିକ ପୀଠର ବିକାଶ ପାଇଁ ପାଣ୍ଠି ଖର୍ଚ୍ଚ ହେବ । ଧାର୍ମିକ ସ୍ଥଳ ପାଖରେ ଶୌଚାଳୟ ଓ ପିଇବା ପାଣି ସୁବିଧା କରାଯିବ। ପଞ୍ଚାୟତରେ ଥିବା ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବ୍ୟବସ୍ଥା ହେବ ।

ପୂର୍ବ ଯୋଜନାରେ ଆରମ୍ଭ ହୋଇ ଅଟକି ଯାଇଥିବା ପ୍ରକଳ୍ପଗୁଡ଼ିକରେ ଯେଉଁଥିରେ ସର୍ବନିମ୍ନ ୨୦ ପ୍ରତିଶତ ଟଙ୍କା ବ୍ୟୟ କରାଯାଇକି ତାହା ଏହି ଯୋଜନା ଅଧିନରେ ସମ୍ପୂର୍ଣ୍ଣ କରାଯିବ ।

ସବୁ ପଞ୍ଚାୟତରେ ଗ୍ରାମସଭା ଡାକି ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ପାଇଁ ପ୍ରକଳ୍ପ ଚୟନ କରିବେ । ଗ୍ରାମ ସଭାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରାଯିବ । ଫେବ୍ରୁଆରି ୧୪ ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପଞ୍ଚାୟତ ୧୫ ତାରିଖରେ ବ୍ଲକରେ ଏହି ପ୍ରକଳ୍ପ ତାଲିକା ଦାଖଲ କରିବେ । ୧୮ ତାରିଖ ସୁଦ୍ଧା ପଞ୍ଚାୟତ ସମିତିର ଟେକ୍ନିକାଲ କମିଟି ଏହାକୁ ଯାଞ୍ଚ ସରିବ । ୨୦ ତାରିଖ ସୁଦ୍ଧା ଏହାକୁ ଜିଲ୍ଲାପାଳଙ୍କ ପାଖକୁ ପଠାଯିବ । ଜିଲ୍ଲାପାଳ ପ୍ରକଳ୍ପର ଅନୁମୋଦନ ଦେବା ପରେ କାମ ଆଗେଇବ । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ବୁଧବାର ଶୁଭାରମ୍ଭ ହୋଇଛି । ଖୋର୍ଦ୍ଧା ଜଙ୍କିଆ ମିନି ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ପୂର୍ବେ ସ୍ୱାଧୀନତା ସଂଗ୍ରାମୀମାନେ ବିଦେଶୀ ଶକ୍ତି ବିରୋଧରେ ପାଇଁ ସଂଗ୍ରାମ କରୁଥିଲେ, ଆମର ସଂଗ୍ରାମ ହେଉଛି ଅନଗ୍ରସତା ବିରୋଧରେ । ଆମେ ଯେଉଁ ଯୋଜନା କରୁଛନ୍ତି ତାହା ହେବା ଦାରିଦ୍ର୍ୟ ଏବଂ ଅନଗ୍ରସତା ବିରୋଧରେ ଏକ ଜନ ଆନ୍ଦୋଳନ । ଏହି ଆନ୍ଦୋଳନ ଓଡ଼ିଶାରେ ସମୃଦ୍ଧି ଓ ବିକାଶ ଆଣିବ । ଆମ ଓଡ଼ିଶା ହେବ କାୟା କଳ୍ପ । ପ୍ରତି ଗାଁର ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ଗ୍ରାମ ଓ ସହରରେ ଉପଲବ୍ଧ ହେଉଥିବା ସେବା ଓ ସୁବିଧାର ଥିବା ଅନ୍ତରକୁ କମ୍ କରିବାକୁ ଏହି ଯୋଜନା ସାହାଯ୍ୟ କରିବ । ମହାତ୍ମା ଗାନ୍ଧୀ କହିଥିଲେ ଭାରତର ଆତ୍ମା ଗାଁରେ ବସବାସ କରେ । କିନ୍ତୁ ୧୦୦ ବର୍ଷ ଅତିକ୍ରାନ୍ତ କରିବା ପରେ ଦେଶରେ ସହରୀକରଣ ବୃଦ୍ଧି ପାଇଛି । ଦେଶରେ ଶତକଡ଼ା ୬୫ ଭାଗ ଗାଁରେ ବସବାସ କରୁଥିବାବେଳେ ଓଡ଼ିଶାରେ ଶତକଡ଼ା ୮୧ ଭାଗ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି । ଯଦି ଗ୍ରାମାଞ୍ଚଳର ବିକାଶ ହେବ ନାହିଁ ତେବେ ରାଜ୍ୟର ବିକାଶ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୫୩,୮୪୫ ଟି ରାଜସ୍ୱ ଗ୍ରାମରେ ବିକାଶର କିଭଳି ଗଙ୍ଗା ଭଳି ପ୍ରବାହିତ ହେବ ସେଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ” ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ବିଧାୟକ ପ୍ରଶାନ୍ତ ଜଗଦେବ, ବାବୁ ସିଂ, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ କୁମାରୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବିଭିନ୍ନ ଜିଲ୍ଲାରୁ ଅନ୍ୟ ମନ୍ତ୍ରୀ ଏବଂ ବିଧାୟକମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score