Explore

Search

January 2, 2025 10:26 pm

Genres

ଟାଟା ଯୁଗର ଅବସାନ: ଆରପାରିରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା

Ratan Tata

ଭାରତୀୟ ଶିଳ୍ପ ଜଗତର ଘଟିଛି ଅପୂରଣୀୟ କ୍ଷତି। ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବଦାନ୍ୟ ଶିଳ୍ପପତି ରତନ ଟାଟା। ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗି ମଙ୍ଗଳବାର ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ବୁଧବାର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍ କେୟାର ୟୁନିଟ୍‌ରେ ରଖାଯାଇଥିଲା। ଶତ ଚେଷ୍ଟା ସତ୍ତ୍ବେ ଟାଟାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରିନଥିଲେ। ଏଥି ସହିତ ଭାରତ ଏହାର ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା । ତାଙ୍କ ନେତୃତ୍ବରେ ‘ଟାଟା ସମୂହ’ର ବ୍ୟବସାୟିକ ନେଟଓ୍ବାର୍କ ପ୍ରାୟ ସମସ୍ତ କ୍ଷେତ୍ରରେ ପ୍ରବେଶ କରିଥିଲା। ଜଣେ ଶୀର୍ଷ ସଫଳ ଶିଳ୍ପପତି ବ୍ୟତୀତ ଟାଟାଙ୍କର ଅତ୍ୟନ୍ତ ସରଳ ଜୀବନଶୈଳୀ, ନମ୍ର-ଭଦ୍ର ସ୍ବଭାବ ଓ ଭାରତୀୟ ସମାଜର ଆର୍ଥନୈତିକ ଉନ୍ନତି ପାଇଁ ସମାଜସେବା କ୍ଷେତ୍ରରେ ଦାତବ୍ୟ କାର୍ଯ୍ୟ ତାଙ୍କୁ ଏକ ଭିନ୍ନ, ଲୋକପ୍ରିୟ ବ୍ୟକ୍ତିତ୍ବର ପରିଚୟ ଦେଇଥିଲା।

ରତନ ଟାଟାଙ୍କ ବିୟୋଗରେ କେବଳ ଭାରତରେ ନୁହେଁ, ବିଶ୍ବବ୍ୟାପୀ ମଧ୍ୟ ଶୋକ ପ୍ରକାଶ ପାଇଛି। ଟାଟାଙ୍କୁ ଭାରତ ସରକାର ପଦ୍ମଭୂଷଣ ଓ ପଦ୍ମବିଭୂଷଣରେ ସମ୍ମାନିତ କରିଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବହୁବିଶିଷ୍ଟ ବ୍ୟକ୍ତିବିଶେଷ ମୁମ୍ବାଇରେ ପହଞ୍ଚିବାରେ ଲାଗିଛନ୍ତି। ଆଜି ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ ।1937 ରେ ତତ୍କାଳୀନ ବମ୍ବେ ପ୍ରେସିଡେନ୍ସି ଟାଟା ପରିବାରରେ ଜନ୍ମଗ୍ରହଣ କରିଥିଲେ ରତନ ଟାଟା। ବାପା ଥିଲେ ନାଭାଲ ଟାଟା । ବିଦେଶରେ ଶିକ୍ଷା ଗ୍ରହଣ କରିବା ପରେ ସେ 1962ରେ ପାରିପାରିବ ବ୍ୟବସାୟିକ କମ୍ପାନୀ ସହ ଯୋଡି ହୋଇଥିଲେ । ରତନ ଟାଟାଙ୍କ ନେତୃତ୍ବରେ ଟାଟା ସମୂହ ଏକାଧିକ କ୍ଷେତ୍ରରେ ନିଜ ବ୍ୟବସାୟିକ ନେଟଓ୍ବାର୍ତ ସଫଳତାର ସହ ବୃଦ୍ଧି କରିଥିଲା । ଟାଟା ଷ୍ଟିଲ ଓ ଟାଟା ମୋଟର୍ସ ନୂଆ ଉଚ୍ଚତାକୁ ଛୁଇଁଥିଲା । ଟାଟା ଷ୍ଟିଲ ଡିଭିଜନରେ ସେ କାମ ଆରମ୍ଭ କରିଥିଲେ । ପରେ 1977 ରେ ତାଙ୍କୁ ନ୍ୟାସନାଲ ରେଡିଓ ଓ ଇଲୋକ୍ଟ୍ରୋନିକ୍ସ କମ୍ପାନୀର ଦାୟିତ୍ବ ମିଳିଥିଲା । 1991ରେ ଜେ.ଆର.ଡି ଟାଟା ‘ଟାଟା ସନ୍ସ’ର ମୁଖ୍ୟ ପଦରୁ ଅବ୍ୟାହତି ନେବା ସହ ରତନ ଟାଟାଙ୍କୁ ତାଙ୍କ ବ୍ୟବସାୟିକ ଉତ୍ତରାଧିକାରୀ ଘୋଷଣା କରିଥିଲେ।

ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି। ବ୍ୟବସାୟ ସହ ସମାଜର କିଭଳି ଦାୟିତ୍ବ ନିଆଯାଏ ତାହା ସେ ଶିଳ୍ପ ଜଗତକୁ ଶିଖାଇଥିଲେ। ପ୍ରକଳ୍ପର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ପ୍ରତି ସେ ଗୁରୁତ୍ବାରୋପ କରୁଥିଲେ। ଭାରତୀୟ ଉଦ୍ୟୋଗକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା।ଭାରତୀୟ ଅଟୋମୋବାଇଲ କ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ‘ଟାଟା-ଇଣ୍ଡିକା’ କାର ଥିଲା ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ । ଏହା ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିଲା। ପରେ ସେ ବିଶ୍ବର ସବୁଠାରୁ ଶସ୍ତା କାରା ‘ଟାଟା- ନାନୋ’ ମଧ୍ୟ ବଜାରକୁ ଆଣି ରେକର୍ଡ କରିଥିଲେ । ଟାଟା ଷ୍ଟିଲ୍‌, ଟାଟା କନସଲଟାନ୍ସି, ଟାଟା ମୋଟର୍ସ, ଟାଟା ପାଓ୍ବାର, ଟାଟା ସଲ୍ଟ ପରି କମ୍ପାନୀ ମାଧ୍ୟମରେ ବିଶାଳ ବ୍ୟବସାୟିକ ନେଟଓ୍ବାର୍କ ଛିଡା କରିବା ସହ ‘ଲ୍ୟାଣ୍ଡ-ରୋଭର’ ଓ ‘ଜାଗୁଆର’ ପରି ୟୁରୋପୀୟ ‘ଏସୟୁଭି’ କାର କମ୍ପାନୀକୁ ଅଧିଗ୍ରହଣ କରିଥିଲା ରତନ ଟାଟାଙ୍କ ‘ଟାଟା ସନ୍ସ’।

ଭାରତୀୟ ଶିଳ୍ପ ଜଗତରେ ଅତୂଳନୀୟ ଅବଦାନ ପାଇଁ ଟାଟାଙ୍କୁ ପ୍ରଥମେ 2000 ମସିହାରେ ‘ପଦ୍ମଭୂଷଣ’ ଓ ପରେ 2008 ମସିହାରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରିଥିଲେ ଭାରତ ସରକାର । ତାଙ୍କୁ ମହାରାଷ୍ଟ୍ର ସରକାର ମଧ୍ୟ ‘ମହାରାଷ୍ଟ୍ର ଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ । ଏହା ସହ ତାଙ୍କୁ ବିଭିନ୍ନ ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟଗୁଡିକ ମଧ୍ୟ ସମ୍ମାନଜନକ ଉପାଧି ଓ ଡିଗ୍ରୀରେ ସମ୍ମାନିତ କରିଛନ୍ତି ।

ତେବେ ଏହି ଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କ ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଛି । ନିଜର କର୍ମ, ଜୀବନଶୈଳୀ ଏବଂ ବିଜନେସ ଶୈଳୀ ପାଇଁ ସବୁ ଲୋକଙ୍କ ମନରେ ଏବେବି ସେ ଜୀବିତ । ରତନା ଟାଟାଙ୍କ ବିୟୋଗରେ ମହାରାଷ୍ଟ୍ରରେ ପାଳନ ହେଉଛି ଦିନିକିଆ ଶୋକ । ଏହି ଅବସରରେ ବସିଥିଲା କ୍ୟାବିନେଟ୍‌ ବୈଠକ । ବୈଠକରେ ରତନ ଟାଟାଙ୍କ ଦେହାନ୍ତକୁ ନେଇ ଶୋକ ବ୍ୟକ୍ତ କରାଯିବା ସହ ଏକ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା । ଏହା ପରେ ଭାରତ ରତ୍ନ ପୁରସ୍କାର ପାଇଁ ତାଙ୍କ ନାମ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score