Explore

Search

December 1, 2025 6:42 pm

ଆଜି ବିଶ୍ୱ ଏଡସ ଦିବସ, ସଚେତନତା ହିଁ ଏଡସରୁ ବର୍ତ୍ତିବାର ଉପାୟ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ଏଡସ ଦିବସ । ଏଡସ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଏହି ରୋଗରେ ପୀଡିତ ଲୋକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧ ତାରିଖ ଅର୍ଥାତ ଆଜିର ଦିନରେ ବିଶ୍ୱବ୍ୟାପୀ ପାଳିତ ହେଉଛି ‘ବିଶ୍ୱ ଏଡସ ଦିବସ୍’ । ଚଳିତ ବର୍ଷର ଥିମ ରହିଛି Overcoming disruption, transforming the AIDS response.” ତଥା ଦିବସ୍ ପାଇଁ ଥିବା ଲଜ୍ୟା ଭୟ ଓ ସାମାଜିକ ଦୂରତାକୁ ନାଶ କରିବା କେତେ ଜରୁରୀ ।

ବିଶ୍ୱରେ HIV ସଂକ୍ରମଣ ବା ଏଡସ ଏକ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା । ଏହି ରୋଗର ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟିକା ବାହାରି ପାରିନାହିଁ । ସାଧାରଣତଃ ଅସୁରକ୍ଷିତ ଯୌନ ସମ୍ପର୍କ, ଏଡସ ସଂକ୍ରମିତଙ୍କ ଠାରୁ ରକ୍ତ ଗ୍ରହଣ, ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ଛୁଞ୍ଚି ପୁନଃବ୍ୟବହାର କରିବା ଦ୍ୱାରା ବି ଏହା ଅନ୍ୟକୁ ସଂକ୍ରମିତ ହୋଇଥାଏ ।

ଯେକୌଣସି ବୟସର ଲୋକଙ୍କୁ ଏଡସ ହୋଇପାରେ । ଏଡସ ସଂକ୍ରମିତ କେବଳ ଶାରିରୀକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ ସାମାଜିକ ବିଭେଦର ମଧ୍ୟ ଶିକାର ହୋଇଥାନ୍ତି । ତେଣୁ ଏଡସ ବିଷୟରେ ଅଧିକ ଜନସଚେନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ‘ବିଶ୍ୱ ଏଡସ ଦିବସ’ ଭାବେ ପାଳନ କରାଯାଉଛି । ସାରା ବିଶ୍ୱରେ ଏଡସକୁ ନେଇ ଆଜି ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି ।

୨୦୨୨ ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ଏବେ ୨୪ ହଜାରରୁ ଅଧିକ ଏଡସ ସଂକ୍ରମିତ ରୋଗୀ ଅଛନ୍ତି । ସଂକ୍ରମିତଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏଡସକୁ ସମୂଳେ ନାଶ କରିବା ପାଇଁ ରାଜ୍ୟ ସରକାର ୨୦୩୦ ସୁଧା ୮୦ ପ୍ରତିଶତ ସଂକ୍ରମଣ କମେଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ୨୦୨୫ ସୁଦ୍ଧା ମା’ଠୁ ସଂକ୍ରମଣ ଯେମିତି ପିଲାକୁ ନ ବ୍ୟାପେ ସେନେଇ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ସ୍ଥିତିକୁ ନେଇ ଅନେକ ସମୟରେ ଚିନ୍ତା ପ୍ରକଟ କରଯାଇଥାଏ । ବର୍ତ୍ତମାନ ଜିଲ୍ଲାରେ ମୋଟ ୧୯ହଜାର ୪୦ଟି ଏଚଆଇଭି ପଜିଟିଭ ରହିଛି । ସେଥି ମଧ୍ୟରୁ ପୁରୁଷ ୧୦ହଜାର ୯୮୮ଜଣ ଏଚଆଇଭି ପଜିଟିଭ ରହିଥିବା ବେଳେ ୫ହଜାର ୮୧୯ଜଣ ମହିଳା, ୯୯୨ଜଣ ଶିଶୁ ଓ ୧୬୪ଜଣ କିନ୍ନର ରହିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରେ ଟେଷ୍ଟିଂ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇଥିବା ବେଳେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଯାହା ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟା ପାଇଁ ଆଶ୍ବସ୍ତ ଆଣିଛି ।
୨୦୨୦ ମସିହାରୁ ୨୦୨୫ ଅକ୍ଟୋବର ସୁଦ୍ଧା ଗଞ୍ଜାମରେ ୧୦ଲକ୍ଷ ୭ହଜାର ୭୯୫ଙ୍କର କାଉନସେଲିଂ କରାଯାଇଛି । ସେଥିମଧ୍ୟରୁ ୧୦ଲକ୍ଷ ୫ହଜାର ୯୨୧ ଜଣଙ୍କର ଏଚଆଇଭି ପରୀକ୍ଷା କରାଯାଇଛି । ସେଥିରୁ ୨ହଜାର ୮୫୭ ଜଣଙ୍କ ରକ୍ତ ନମୁନା ପରୀକ୍ଷାରେ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛି ।

ସେହିପର ୨୦୨୫ ନଭେମ୍ବର ସୁଦ୍ଧା ପୁରୀ ଜିଲ୍ଲାରେ ପଞ୍ଜିକୃତ ଏଡସ ରୋଗୀ ସଂଖ୍ୟା ୧୦୫୩ ରହିଛି । ମୋଟ ସଂକ୍ରମିତଙ୍କ ମଧ୍ୟରେ ୨୪ ଜଣ କିନ୍ନର ଥିବାବେଳେ ୨୮ ଶିଶୁ ରହିଛନ୍ତି । ଅନ୍ୟ ଜିଲ୍ଲାରୁ ୪୯ ଓ ଅନ୍ୟ ରାଜ୍ୟରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ପୁରୀରେ । ତେବେ ୧୦୫୩ ପଞ୍ଜିକୃତ ରୋଗୀଙ୍କ ମଧ୍ୟରେ ୬୮୯ ପୁରୁଷ ଓ ୩୧୨ ମହିଳା ଅଛନ୍ତି ।

ଭାରତରେ ପ୍ରଥମ ଥର ପାଇଁ ୧୯୮୬ ମସିହାରେ ଏଡସ ସଂକ୍ରମିତ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଲାଟେଷ୍ଟ ରିପୋର୍ଟ ଅନୁସାରେ ୨୦୨୪ ସୁଦ୍ଧା ସାରା ବିଶ୍ୱରେ ୪୦.୮ ମିଲିୟନ ଏଡସ ସଂକ୍ରମିତ ଅଛନ୍ତି । ୨୦୨୪ ଗୋଟିଏ ବର୍ଷରେ କେବଳ ସାରା ବିଶ୍ୱରେ ୧.୩ ମିଲିୟନ ଲୋକ HIV AIDS ସଂକ୍ରମିତ ହୋଇଛନ୍ତି । ଆଉ ଚିନ୍ତାଜନକ କଥା ହେଲା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୦୨୪ରେ କେବଳ ୬୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । HIV AIDS ର ମୂଳତ୍ପାଟନ ପାଇଁ ସାମୂହିକ ପ୍ରୟାସ, ସୁରକ୍ଷିତ ଯୌନ ସମ୍ପର୍କ, ଆବଶ୍ୟକ ଥିବାବେଳେ, ଜନସଚେତନା ଓ ସଠିକ ସ୍ୱାସ୍ଥ୍ୟସେବା ମଧ୍ୟ ଜରୁରୀ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score