କୃଷି ସମ୍ପନ୍ନ ରାଜ୍ଯ ଓଡିଶା l ଆଜି ପୁଷ୍ଟିଶଷ୍ଯ ଖାଦ୍ୟ ପାଇଁ ଆମ ରାଜ୍ଯ ଦେଶ ବିଦେଶରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଛି l ତେବେ ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବା ସେହି ବ୍ୟକ୍ତିତ୍ୱ ହେଉଛନ୍ତି କୋରାପୁଟ ଜିଲ୍ଲାର ରାଇମତୀ ଘିଉରିଆ l ଯିଏ ୨୦୨୩ ଡିସେମ୍ବରରେ ଆୟୋଜିତ “ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ମିଲେଟ”ରେ ଯୋଗଦେଇ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ l ନିକଟରେ ନିଜର ଉତ୍କର୍ଷତା ପାଇଁ ରାଇମତୀ ଘିଉରିଆଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଦୀର୍ଘ ଦିନ ହେବ ସେ ମାଣ୍ଡିଆକୁ ସଂରକ୍ଷଣ କରି ରଖିବା ସହ ଏହି ଚାଷକୁ ଗୁରୁତ୍ବ ଦେଉଛନ୍ତି। ବିଶ୍ବ ଦରବାରରେ ଓଡ଼ିଶାର ମାଣ୍ଡିଆକୁ ପହଞ୍ଚାଇବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି।
ରାଇମତୀ ଘିଉରିଆ ହେଉଛନ୍ତି କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକର ନୂଆଗୁଡା ଗାଁର ଜଣେ ଭୁମିଆ ସମ୍ପ୍ରଦାୟର ମହିଳା। ରାଇମତୀ ଖୁବ କମ ବୟସରୁ ହିଁ କୃଷି, ସାମାଜିକ ବ୍ୟବସ୍ଥା, ଜୀବନ ଜୀବିକାର ଉନ୍ନତି, ଜୈବ ବିବିଧତାର ସଂରକ୍ଷଣ, ମହିଳା ସଶକ୍ତିକରଣ ଆଦି ଅନେକ ପ୍ରଗତିମୂଳକ କାର୍ଯ୍ୟରେ ସାମିଲ ହୋଇ ଆସିଛନ୍ତି। ବର୍ତ୍ତମାନ ଯାଏଁ ସେ ୭୦ରୁ ଅଧିକ ପ୍ରକାରର ଧାନ ଏବଂ ୩୦୦ରୁ ଅଧିକ କିସମର ମାଣ୍ଡିଆ ଏବଂ ଅନ୍ୟ ଶସ୍ୟ ସଂରକ୍ଷଣ କରିବା ଦିଗରେ କାମ କରିସାରିଛନ୍ତି। ଓଡ଼ିଶାରେ ମିଲେଟ୍ ରାଣୀ କହିଲେ ରାଇମତୀ ଘିଉରିଆଙ୍କୁ ହିଁ ଜଣାଯାଏ। କୃଷି କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଅବଦାନ ରହିଛି। କୋରାପୁଟର ଏକ ଛୋଟିଆ ଗାଁରୁ ଆସିଥିବା ରାଇମତୀ କେବଳ ମାଣ୍ଡିଆକୁ ସଂରକ୍ଷଣ ନୁହେଁ ବରଂ ଅନେକ ମହିଳାଙ୍କୁ ଏହି ଚାଷ କରିବାର କଳା ମଧ୍ୟ ଶିଖାଇଛନ୍ତି। ସେ ସଂରକ୍ଷଣ କରିଥିବା ମାଣ୍ଡିଆ କିସମରେ ରହିଛି କୁନ୍ଦ୍ରା ବତି ମାଣ୍ଡିଆ, ଜସ୍ରା, ଜୁଆନା ଏବଂ ଜାମକୋଲି ଇତ୍ୟାଦି।
କୋରାପୁଟ ଜିଲ୍ଲାର ଏକ ଛୋଟ ଆଦିବାସୀ ଗାଁର ଏକ କୃଷି ପରିବାରରୁ ଆସିଥିବା ରାଇମତୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସ୍ୱର୍ଗତ କମଳା ପୂଜାରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। କମଳା ପୂଜାରୀ ତାଙ୍କୁ ପାରମ୍ପରିକ ଚାଷ ପ୍ରଣାଳୀ ଶିଖାଇଥିଲେ। ଶିକ୍ଷାଗତ ଯୋଗ୍ୟତା ମାତ୍ର ସପ୍ତମ । ଖୁବ କମ୍ ବୟସରେ ସେ ବିବାହ କରିଥିଲେ। ବିବାହ ବେଳକୁ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ମାତ୍ର ସେ ନିଜର ସ୍ୱପ୍ନ ପୂରଣ କରିବା ଦିଗରେ ସର୍ବଦା ଚେଷ୍ଟିତ ଥିଲେ। ଘର କାମରେ ସହ ବିଭିନ୍ନ କିସମର ମିଲେଟ ସଂଗ୍ରହ ଏବଂ ସଂରକ୍ଷଣ କରିବାର ସ୍ୱପ୍ନ ବି ଛାଡି ନଥିଲେ ।
ଗତ କିଛି ବର୍ଷ ମଧ୍ୟରେ ସେ ମାଣ୍ଡିଆ ଚାଷର ଅମଳ ଏବଂ ଗୁଣରେ ଉନ୍ନତି ଆଣିବା ପାଇଁ ଉନ୍ନତ ଜ୍ଞାନକ କୌଶଳ ଏବଂ ବୈଜ୍ଞାନିକ ଚାଷ ପ୍ରଣାଳୀ ଆପଣାଇଥିଲେ। ପରେ କମଳା ପୂଜାରୀଙ୍କ ସାହାଯ୍ୟରେ ସେ ଏମଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଆଧୁନିକ ସଂରକ୍ଷଣ କୌଶଳ ଶିକ୍ଷା କରି ଗ୍ରାମାଞ୍ଚଳରେ ଅଧିକ ମହିଳାଙ୍କୁ ଚାକିରି ଦେବାରେ ସାହାଯ୍ୟ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରାୟ ୨୫୦୦ ଚାଷୀଙ୍କୁ ମିଲେଟ ଚାଷ ପାଇଁ ତାଲିମ ଦେଇଛନ୍ତି। ତେବେ ଆଗକୁ ଆହୁରି ଅଧିକ କିସମ ବିହନ ସଂରକ୍ଷଣ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |