Explore

Search

January 19, 2025 9:14 pm

Genres

ଆରମ୍ଭ ହେଲା ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ, ଏକାଠି ହୋଇଛନ୍ତି ପ୍ରବାସୀ ଭାରତୀୟ

pravasi bharatiya divas 2025

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ପ୍ରବାସୀ ଭାରତୀୟ ସମ୍ମିଳନୀ l  ଜାନୁଆରୀ ୮ଠାରୁ ତିନିଦିନ ଯାଏ ଓଡ଼ିଶାରେ ଏକାଠି ହୋଇଛନ୍ତି ପ୍ରବାସୀ ଭାରତୀୟ । ବିକଶିତ ଭାରତ ପରିକଳ୍ପନାରେ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିବେ । ତେବେ ଏହି ୩ଦିନିଆ ସମ୍ମିଳନୀରେ ୫ଟି ସ୍ୱତନ୍ତ୍ର ବିଷୟକୁ ନେଇ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ ।

କାର୍ଯ୍ୟସୂଚୀ ଅନୁଯାୟୀ  ଆଜି ୮ ପ୍ରବାସୀ ଭାରତୀୟ ଦିବସର ପ୍ରଥମ ଦିବସରେ ଯୁବ ପ୍ରବାସୀ ଭାରତୀୟ ଦିବସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ କେନ୍ଦ୍ର ଯୁବ ଓ କ୍ରୀଡ଼ାମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଶୁଭାରମ୍ଭ କରିଛନ୍ତି । ଦିନ ୯.୩୦ରୁ ୧୦.୩୦ ମଧ୍ୟରେ ଉଦ୍‌ଘାଟନ ପରେ ଆରମ୍ଭ ହୋଇଥିଲା ପୂର୍ଣ୍ଣାଙ୍ଗ ଅଧିବେଶନ । ପ୍ରଥମ ଦିନ ‘ବିଶ୍ୱରେ ପ୍ରବାସୀ ଯୁବ ନେତୃତ୍ୱ’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ୧୦.୩୦ରୁ ୧୨ଟା ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ, ୧୨ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ, ୨ଟାରୁ ୩.୩୦ ଏବଂ ୩.୪୫ରୁ ୫.୧୫ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିବେଶନ ଆୟୋଜନ  ହୋଇଥିବା ବେଳେ ସନ୍ଧ୍ୟା ୭ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ଜାନୁଆରୀ ୯ରେ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍‌ କାର୍ଲ କାଙ୍ଗାଲୁ । ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟାଦଶ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ପୂର୍ବାହ୍ନ ୧୦ରୁ ୧୧.୩୦ ଯାଏଁ ଉଦ୍‌ଘାଟନ କାର୍ଯ୍ୟକ୍ରମ ଚାଲିବ । ଅପରାହ୍ନ ୨.୩୦ରୁ ୪ଟା ଓ ୪.୧୫ରୁ ୫.୪୫ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । 

ସେହିଭଳି ୧୦ରେ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦ୍‌ଯାପନୀ ଉତ୍ସବରେ ପ୍ରବାସୀ ଭାରତୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ । ଚଳିତ ଥର ୨୭ ଜଣ ବିଭୂତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସକାଳ ୯.୩୦ରୁ ୧୧ଟା ଓ ୧୧.୧୫ରୁ ୧୨.୪୫ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । ଅପରାହ୍ଣ ୩ଟାରୁ ୪.୪୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ତିନି ଦିନରେ ୫ଟି ବିଷୟରେ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି । ଦ୍ୱିତୀୟ ଅଧିବେଶନରେ ‘ପ୍ରବାସୀଙ୍କ ଦକ୍ଷତାର କାହାଣୀ’, ତୃତୀୟ ଅଧିବେଶନରେ ‘ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀଙ୍କ ଅବଦାନ’ ସମ୍ପର୍କରେ ଚର୍ଚ୍ଚା ହେବ । ସେହିଭଳି ଚତୁର୍ଥ ଅଧିବେଶନରେ ପ୍ରବାସୀ ଦିବସ: ମହିଳା ନେତୃତ୍ୱ ଓ ପ୍ରଭାବ-ନାରୀ ଶକ୍ତି ଏବଂ ଶେଷ ତଥା ୫ମ ଅଧିବେଶନରେ ‘ସଂସ୍କୃତି, ସଂଯୋଗ ଏବଂ ସମ୍ପୃକ୍ତିର କାହାଣୀ’ ବିଷୟରେ ଆଲୋଚନା ହେବ । 

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score