ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୋରରୁ ଦିଲ୍ଲୀରୁ ଆମେରିକା ଅଭିମୁଖେ ୩ ଦିନିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ସେପ୍ଟେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ମୋଦୀଙ୍କ ଆମେରିକା ଗସ୍ତକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଅଧିକାରିକ ଏଜେଣ୍ଡା ଅନୁଯାୟୀ ପ୍ରଧାନମନ୍ତ୍ରୀ ୨୧ ସେପ୍ଟେମ୍ବର ଆମେରିକାର ଡେଲୱେୟର ୱିଲମିଙ୍ଗଟନ୍ରେ ୪ର୍ଥ ସ୍କ୍ୱାଡ୍ ସମ୍ମିଳନୀରେ ଭାଗ ନେବେ। ସେପ୍ଟେମ୍ବର ୨୨କୁ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟ ଲୋକଙ୍କୁ ସମ୍ବୋଧିତ କରିବେ। କହି ରଖୁଛୁ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରବାସୀ ଭାରତୀୟମାନେ ବେଶ ଉତ୍ସାହିତ ଅଛନ୍ତି ଏବଂ ତାଙ୍କ ସ୍ୱାଗତ ପାଇଁ ବିଶେଷ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସେହିପରି ସେପ୍ଟେମ୍ବର ୨୩ରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ଜାତିସଂଘର ସାଧାରଣ ସଭାରେ ‘Summit Of the Future 2024’ କୁ ସମ୍ବୋଧିତ କରିବେ। ଏହି ସମୟରେ ସେ ଅନେକ ପ୍ରସଙ୍ଗ ଉପରେ ନିଜର ମତ ପ୍ରକାଶ କରିପାରନ୍ତି। କୁହାଯାଉଛି ବିଶ୍ୱ ସମେତ ଭାରତ ସମ୍ମୁଖରେ ଥିବା ବିଭିନ୍ନ ଚ୍ୟାଲେଞ୍ଜ୍ ଏବଂ ଏହାର ସମାଧାନକୁ ନେଇ ଚର୍ଚ୍ଚା ହୋଇପାରେ। ପ୍ରଧାନମନ୍ତ୍ରୀ ନିଜ ଗସ୍ତ ସମୟରେ ନ୍ୟୁୟର୍କର ଅଗ୍ରଣୀ ଆମେରିକୀୟ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟାକାରୀ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବେ। ଏହା ଦ୍ୱାରା ଏଆଇ, ବାୟୋଟେକ୍ନୋଲୋଜି ଏବଂ ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ପାର୍ଟନରସିପ୍ ମଜବୁତ ହୋଇପାରିବ।ଉଲ୍ଲେଖଯୋଗ୍ୟ ଆମେରିକୀୟ ପକ୍ଷର ଅନୁରୋଧ ପରେ ଚଳିତ ବର୍ଷ କ୍ୱାଡ୍ ଶିଖର ସମ୍ମିଳନୀର ଆୟୋଜକ ଦାୟିତ୍ୱ ଆମେରିକାକୁ ହସ୍ତାନ୍ତର କରାଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |