Explore

Search

December 1, 2025 6:40 pm

ଦୁଃଖ ଶୁଣିଲେ ମୋହନ ସରକାର ; ୨୮ ବର୍ଷ ପରେ ଗାଁରେ ଜଳିଲା ଆଲୁଅ

ଭଞ୍ଜନଗର : ପୂରଣ ହେଲା ଗ୍ରାମବାସୀଙ୍କ ଦାବି । ଶେଷରେ ଆଲୁଅ ଆସିଲା । ଅନ୍ଧାର ଗାଁରେ ବିଜୁଳି ଜଳିଲା । ଦୀର୍ଘ ୨୮ ବର୍ଷ ପରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଝାଡ଼ବନ୍ଧ ପଞ୍ଚାୟତର ସୁବର୍ଣ୍ଣପୁର ଗାଁରେ ଆଲୁଅ ଜଳିଛି । ଏବେ ପିଲାମାନେ ଡିବିରି, ଲଣ୍ଠନ ଆଲୁଅ ବଦଳରେ ବିଦ୍ୟୁତ୍‌ ବଲବ ଲାଇଟରେ ପାଠ ପଢୁଛନ୍ତି। ଆଉ ଆଲୋକିତ ହୋଇଛି ଘର ଠୁ ଦାଣ୍ଡ । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହେଲା ପରେ ସୁବର୍ଣ୍ଣପୁର ଗ୍ରାମରେ ଖୁସିର ଲହରୀ ଦେଖାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି କୀର୍ତ୍ତିଭାସନ ବିଜୁଳି ଆଲୁଅର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା, ବିଡିଓ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ଜେନା, ଏବିଡିଓ ଶ୍ରୀଯୁକ୍ତ ସୁଶୀଲ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରତାପ ସ୍ୱାଇଁ, ସରପଞ୍ଚ ଶ୍ରୀଯୁକ୍ତ ଯୋଗେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାସହ ବିଦ୍ୟୁତ ବିଭାଗର ସମସ୍ତ ପଦାଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ ।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଝାଡ଼ବନ୍ଧ ପଞ୍ଚାୟତର ଉପାନ୍ତ ଗ୍ରାମ ସୁବର୍ଣ୍ଣପୁର। ଏହି ଗ୍ରାମରେ ବସବାସ କରୁଥିବା ୩୦ଟି ପରିବାର ମୌଳିକ ସୁବିଧାରୁ ବଞ୍ଚିତ ଥିଲେ । ଗ୍ରାମବାସୀ ବିଜୁଳି ଆଲୁଅ ଅଭାବରୁ ଦୁର୍ବିସହ ଜୀବନ ବିତାଉ ଥିଲେ । ରାତିରେ ମହମବତୀ, ଲଣ୍ଠନ ଓ ଡିବିରି ଆଲୁଅ ମାଧ୍ୟମରେ ପିଲାମାନେ ପାଠ ପଢୁଥିଲେ । ଘରେ ଚଳିବା ବି ବହୁତ କଷ୍ଟ ହେଉଥିଲା । ତେବେ ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଦୀର୍ଘ ୨୮ ବର୍ଷ ଧରି ଗ୍ରାମବାସୀ ଅନେକ ଅଭିଯୋଗ କରିଛନ୍ତି ଅନେକ ଗୁହାରି କରିଛନ୍ତି । ଶେଷରେ ମୋହନ ସରକାର ସେମାନଙ୍କ ସମସ୍ୟାକୁ ଗୁରୁତର ସହ ନେଇଥିଲେ । ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଗାଁର ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କୁ ଗାଁରେ ତୁରନ୍ତ ବିଦ୍ୟୁତ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଜିଲ୍ଲାପାଳ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୁବନେଶ୍ବରରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ନିର୍ଦ୍ଦେଶ ଜାରି କରିଥିଲେ। ପରେ ପ୍ରଶାସନିକକଳର ବହୁ ଅଧିକାରୀ ଉକ୍ତ ଗ୍ରାମରେ ପହଞ୍ଚି ସମସ୍ୟା ସମାଧାନ ଦିଗରେ ସ୍ଥିତି ଅନୁଧ୍ୟାନ କରିବା ସହ ରୂପରେଖ ପ୍ରସ୍ତୁତ କରିଥିଲେ। ଏହାପରେ ବିଦ୍ୟୁତ ବିଭାଗ ଯୁଦ୍ଧକାଳୀନ ଭାବରେ କାମ ଆରମ୍ଭ କରି ୧୦ଦିନ ମଧ୍ୟରେ ଗାଁକୁ ବିଦ୍ୟୁତ ଯୋଗାଇଛନ୍ତି । ଆଉ ବିଜୁଳି ଆଲୁଅ ଆସିବା ପରେ ସ୍ଥାନୀୟ ଇଲାକାରେ ଖୁସିର ଲହରୀ ଖେଳି ଯାଇଛି।

ପ୍ରକାଶ ଥାଉକି,ଏହି ଗ୍ରାମର ୩୦ଜଣ ଛାତ୍ରଛାତ୍ରୀ ନିକଟ ସିଙ୍ଗିପୁର ଗାଁ ବିଦ୍ୟାଳୟକୁ ପଢ଼ିବାକୁ ଯାଉଛନ୍ତି । କିନ୍ତୁ ବର୍ଷ ବର୍ଷ ଧରି ଗ୍ରାମବାସୀ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ରହିଥିଲେ । ସନ୍ଧ୍ୟା ହେଲେ ପ୍ରତି ଘରେ ଡିବିରି ଜଳୁଥିବା ବେଳେ କିରାସିନି ନମିଳିବାରୁ ମହମବତି ସେମାନଙ୍କ ପାଇଁ ଭରସା ପାଲଟିଥିଲା । ବିଶେଷକରି ଛାତ୍ରଛାତ୍ରୀ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏପରିକି ସନ୍ଧ୍ୟା ହେବା ମାତ୍ରେ ଗାଁଟି ଅନ୍ଧାର ରହୁଥିବାରୁ ହିଂସ୍ରଜନ୍ତୁଙ୍କ ଭୟ ଲାଗି ରହୁଥିଲା । ତେଣୁ ଗାଁରେ ବିଦ୍ୟୁତିକରଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆଗଲା ନାହିଁ । ପୂର୍ବରୁ ବିଜେଡି ସରକାର ଥିବା ସମୟରେ ମଧ୍ୟ ଅନେକ ଗୁହାରି କରିଥିଲେ । ହେଲେ କିଛି ସମାଧାନ ହେଲାନି । ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଗ୍ରାମବାସୀଙ୍କ ଦୁଃଖ ଦୂର କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score