ଗତକାଲି ବିଧାନ ସଭାରେ ପ୍ରସ୍ତାବିତ ହୋଇସାରିଛି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍, ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆଗତ କରିଛନ୍ତି ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି ଯାହାକି ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୧୫% ଅଧିକ ରହିଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ବଜେଟ୍ ଅବିଭାଷଣରେ କହିଛନ୍ତି ଯେ, ଆମ ପ୍ରଧାନମନ୍ତ୍ରୀ ୪ଟି ବର୍ଗକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି I ଗରିବ, ମହିଳା, ଯୁବବର୍ଗ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ପ୍ରଥମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ ୨୦୦ କୋଟିର ଫଣ୍ଡ ଘୋଷଣା କରି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରିବା ଅସମ୍ଭବ। କୃଷି ଓ କୃଷିକ୍ଷେତ୍ର ପାଇଁ ୩୩ ହଜାର ୯୧୯ କୋଟି ଟଙ୍କାର ପ୍ରସ୍ତାବ ଆଗତ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ବଜେଟ୍ ର ପରିମାଣ ୨୪ ହଜାର ୮୨୯ କୋଟି ଥିଲା। ଯାହା କି ଚଳିତ ବର୍ଷ ବଜେଟ୍ ତୁଳନାରେ ୧୫% କମ ରହିଛି | ଅନ୍ୟ ପକ୍ଷରେ କାଳିଆ ଯୋଜନାର ନାଁ ପରିବର୍ତ୍ତେ ସିଏମ କିଷାନ ଯୋଜନା ରଖାଯାଇଛି ଏବଂ ଏଥିପାଇଁ ୧୯୩୫ କୋଟି ର ବଜେଟ୍ ନିର୍ଧାରିତ କରାଯାଇଛି | ସେହିପରି ସମୃଦ୍ଧ କୃଷକ ଯୋଜନା ବାବଦକୁ ୫ ହଜାର କୋଟି ଏବଂ ଶ୍ରୀଅନ୍ନ ଯୋଜନା ପାଇଁ ୬୪୯ କୋଟି ଟଙ୍କା ଘୋଷଣା କରାଯାଇଛି।
ସୁଭଦ୍ରା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ବଜେଟ୍ ରେ ୧୦ ହଜାର କୋଟିର ବ୍ୟୟବରାଦ କରିଥିବାବେଳେ ମହାନଦୀ ନବୀକରଣ ସହ ଡ୍ୟାମ ସୁରକ୍ଷା ଉନ୍ନତୀକରଣ ଯୋଜନା ପାଇଁ ୨ ଶହ କୋଟି ଟଙ୍କା ବ୍ୟବସ୍ଥା ରଖାଯାଇଛି। ମହିଳା ଓ ଶିଶୁ ବିକାଶ ପାଇଁ ୧୭ ହଜାର ୯୪୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ‘ଯଶୋଦା’ ଯୋଜନାରେ ୮୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
ବଜେଟ୍ ରେ ‘ମୋ ସ୍କୁଲ’ ନାଁ ବଦଳିଛି। ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ରଖାଯାଇଛି ଏବଂ ଏଥିପାଇଁ ୩୨୨ କୋଟି ଟଙ୍କା ର ବଜେଟ୍ ରଖାଯାଇଛି | ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ବଜେଟ୍ ରେ ୨୪୬୨ କୋଟି, କଟକ ଏସ୍ସିବି ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି।
ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପାଇଁ ସହାୟତା ଦିଆଯିବା ବିଷୟ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ୧ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ଦେବ ୩୦ ହଜାର ରିହାତି, ୨ କିଲୋୱାଟ ପାଇଁ ୬୦ ହଜାର ଓ ୩ କିଲୋୱାଟ ପାଇଁ ୭୮ ହଜାର ରିହାତି ମିଳିବ।
ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ମୋଟ ୫୮ ହଜାର ୧୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଗାମୀ ୫ ବର୍ଷରେ ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ । ରାଜ୍ୟର ଦୁର୍ଗମ ଓ ଅପହଞ୍ଚ ଅଂଚଳକୁ ସଡ଼କ ନିର୍ମାଣ କରାଯିବ ଓ ନଦୀ ଓ ଜଳାଶୟ ଉପରେ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସଡ଼କ ଓ ସେତୁ ନିର୍ମାଣ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୧୫୮୬୫ କୋଟିର ବ୍ୟୟବରାଦ କରାଯାଇଛି ।
ଚଳିତ ବର୍ଷ ଆର୍ଥିକ ବଜେଟ୍ ରେ ମେଟ୍ରୋ ପ୍ରକଳ୍ପ କୁ ନେଇ ମଧ୍ୟ ଆଲୋଚନା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଯାଏ ଚାଲିବ ବୋଲି ସେ ଦର୍ଶାଇଛନ୍ତି । ଏହି ପ୍ରକଳ୍ପ ପାଇଁ ୬ ହଜାର ୨୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଚଳିତ ବଜେଟରେ ୧ ହଜାର କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି। ଏହା ସହ ରାଜଧାନୀ ଭୁବନେଶ୍ୱର ରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ୯୫୨ କୋଟି ଟଙ୍କାର ଅନୁମୋଦନ ମିଳିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |