Explore

Search

January 15, 2026 10:50 pm

IIFA 2024 ଆୱାର୍ଡ :ଶାହରୁଖ୍ , ରାଣୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀ ,ଆନିମଲ୍’ ଶ୍ରେଷ୍ଠ ଚଳଚ୍ଚିତ୍ର

iifa 2024

ଭାରତୀୟ ଚଳଚିତ୍ର ର ସର୍ବୋତ୍ତମ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ପାଇଁ ଗତ ଶନିବାର ରାତିରେ ଆବୁଧାବିର ୟସ୍‌ ଆଇଲାଣ୍ଡରେ ଇଣ୍ଟରନ୍ୟାଶ୍‌ନାଲ୍‌ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ(ଆଇଆଇଏଫ୍‌ଏ) ୨୦୨୪ ଆୟୋଜିତ ହୋଇଯାଇଛି। ଏହି ପୁରସ୍କାର ବିତରଣ ଉତ୍ସବରେ ବିଭିନ୍ନ ବର୍ଗରେ ଅଭିନେତ୍ରୀ ଏବଂ ଅଭିନେତାମାନଙ୍କ ସହ ଶ୍ରେଷ୍ଠ ବଲିଉଡ ଚଳଚ୍ଚିତ୍ରକୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ବଲିଉଡ ଇଣ୍ଡଷ୍ଟ୍ରି ର ସମସ୍ତ କଳାକାରମାନଙ୍କ ସହ ଚଳଚିତ୍ର ଜଗତସହ ଯୋଡି ହୋଇ ରହିଥିବା ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମାନେ ମଧ୍ୟ ଯୋଗଦାନ କରିଥିଲେ।

ତେବେ ଏହି ସମାରୋହରେ ଶାହରୁଖ୍‌ ଏବଂ ରାଣୀ ମୁଖାର୍ଜୀଙ୍କୁ ବାଜିମାତ କରିଥିବା ଦେଖିବାକୁ ମିଳିଛି। ଗତ ବର୍ଷ ଶାହରୁଖ ଖାନଙ୍କ ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ତାଙ୍କର ଦମଦାର୍ ଅଭିନୟ ପାଇଁ ତାଙ୍କୁ ଗତ ବର୍ଷ ମୁକ୍ତିଲାଭ କରିଥିବା ‘ଜବାନ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି ସେହିପରି ରାନୀ ମୁଖାର୍ଜୀ ତାଙ୍କ ଚଳଚ୍ଚିତ୍ର ‘ମିସେଜ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ସନ୍ଦୀପ ରେଡ୍ଡୀ ବଙ୍ଗାଙ୍କ ଫିଲ୍ମ ‘ଆନିମଲ୍‌’କୁ ଏହି ସମାରୋହରେ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନିତ କରାଯାଇଛି। ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବଙ୍ଗା ଓ ପ୍ରଯୋଜକ ଭୂଷଣ କୁମାର ଏହି ସମ୍ମାନ ଗ୍ରହଣ କରିଛନ୍ତି। ସେହିପରି ‘ଆନିମଲ୍‌’ ଫିଲ୍ମ ପାଇଁ ଅଭିନେତା ଅନିଲ କପୁର ଓ ବବି ଦେଓଲଙ୍କୁ ଯଥାକ୍ରମେ ଶ୍ରେଷ୍ଠ ସହାୟକ ଅଭିନେତା ଓ ଶ୍ରେଷ୍ଠ ଖଳନାୟକ ଭାବେ ପୁରସ୍କୃତ କରାଯାଇଛି।

ଅଭିନେତା ବବି ପୁରସ୍କାର ଗ୍ରହଣ କରିବା ପରେ ଫିଲ୍ମର ପ୍ରସିଦ୍ଧ ‘ଜମାଲ କୁଡୁ’ ଗୀତର ଲୋକପ୍ରିୟ ଷ୍ଟେପ୍‌କୁ ନିର୍ଦ୍ଦେଶିତ ବଙ୍ଗାଙ୍କ ସହ କରି ଉପସ୍ଥିତ ଅତିଥି ତଥା ଦର୍ଶକଙ୍କର ମନୋରଞ୍ଜନ କରିଥିଲେ। ସେହିପରି ‘ଆନିମଲ୍‌’ ଫିଲ୍ମର ‘ଅର୍ଜନ ଭେଲି’ ଗୀତ ପାଇଁ ସଙ୍ଗୀତଜ୍ଞ ଭୂପିନ୍ଦର ବବ୍ବଲଙ୍କୁ ଶ୍ରେଷ୍ଠ ପ୍ଲେ ବ୍ୟାକ୍‌ ସିଙ୍ଗର(ପୁରୁଷ) ପୁରସ୍କାର ମିଳିଛି। ତେବେ ସୂଚନା ଥାଉକି ପରିବାର ସହ ଜନ୍ମଦିନ ପାଳନ କରୁଥିବାରୁ ‘ଆନିମଲ୍‌’ ଫିଲ୍ମର ମୁଖ୍ୟ ଅଭିନେତା ରଣବୀର କପୁର ଏହି ଆଓ୍ବାର୍ଡ ସେରିମୋନିରେ ଯୋଗ ଦେଇ ପାରି ନାହାନ୍ତି। ଅନ୍ୟପକ୍ଷରେ ‘ଟୁଏଲ୍‌ଭଥ୍‌ ଫେଲ୍‌’ ଫିଲ୍ମ ପାଇଁ ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଛି। ଫିଲ୍ମ ‘ରକି ଔର ରାନିକି ପ୍ରେମ୍‌ କାହାନୀ’ରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଜେଜେ ମା’ ଚରିତ୍ରରେ ଅଭିନୟ କରିଥିବା ଭେଟେରାନ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ପୁରସ୍କାର ମିଳିଛି।ସେହିପରି ଭେଟେରାନ ଅଭିନେତ୍ରୀ ତଥା ଏମ୍‌ପି ହେମାମାଳିନୀଙ୍କୁ ‘ଆଉଟଷ୍ଟାଣ୍ଡିଂ ଆଚିଭ୍‌ମେଣ୍ଟ ଇନ୍‌ ଇଣ୍ଡିଆନ୍‌ ସିନେମା ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ‘ଜଓ୍ବାନ’ ଫିଲ୍ମର ‘ଚଲେୟା’ ଗୀତ ପାଇଁ ସଙ୍ଗୀତଜ୍ଞ ଶିଳ୍ପା ରାଓଙ୍କୁ ଶ୍ରେଷ୍ଠ ପ୍ଲେ ବ୍ୟାକ୍‌ ସିଙ୍ଗର (ମହିଳା) ପୁରସ୍କାର ମିଳିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score