Explore

Search

January 28, 2026 4:36 am

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ

ICC T20 ବିଶ୍ୱକପ-୨୦୨୬କୁ କେନ୍ଦ୍ର କରି ବିବାଦ ଶାନ୍ତ ହେବାର ନାଁ ନେଉନି। ପ୍ରଥମେ ଟୁର୍ଣ୍ଣାମେଣ୍ଟରୁ ବାଂଲାଦେଶକୁ ବାଦ ଦେଇ ସ୍କଟଲାଣ୍ଡକୁ ସୁଯୋଗ ଦିଆଯିବା ନିଷ୍ପତ୍ତି ନେଇ ବ୍ୟାପକ ଆଲୋଚନା ଆରମ୍ଭ ହୋଇଥିଲା। ଏହି ଖବର ବାଂଲାଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ICC ଉପରେ ପ୍ରଶ୍ନ ଉଠିଥିଲା।

ଏହି ମଧ୍ୟରେ ଆଉ ଏକ ନୂଆ ବିବାଦ ଜନ୍ମ ନେଇଛି। ରିପୋର୍ଟ ଅନୁଯାୟୀ, ICC ୧୦୦ରୁ ଅଧିକ ବାଂଲାଦେଶୀ ସାମ୍ବାଦିକଙ୍କର ବିଶ୍ୱକପ କଭରେଜ ପାଇଁ ଦାଖଲ ହୋଇଥିବା ଏକ୍ରିଡିଟେସନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି । ICCର ଏହି ନିଷ୍ପତ୍ତିକୁ ନେଇ ବାଂଲାଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ଏବଂ କ୍ରିକେଟ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।

ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମିଡିଆ କମିଟିର ଅଧ୍ୟକ୍ଷ ଅମଜାଦ ହୁସେନ ଏହି ତଥ୍ୟକୁ ସର୍ବସାଧାରଣରେ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ICC T20 ବିଶ୍ୱକପ-୨୦୨୬ର କଭରେଜ ପାଇଁ ପ୍ରାୟ ୧୩୦ରୁ ୧୫୦ ଜଣ ବାଂଲାଦେଶୀ ସାମ୍ବାଦିକ ଏକ୍ରିଡିଟେସନ ପାଇଁ ଆବେଦନ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ICC କାହାକୁ ମଧ୍ୟ ସ୍ବୀକୃତି ପ୍ରଦାନ କରିନାହିଁ।

ଅମଜାଦ ହୁସେନଙ୍କ କଥା ଅନୁଯାୟୀ, ସମସ୍ତ ବାଂଲାଦେଶୀ ସାମ୍ବାଦିକଙ୍କ ଆବେଦନକୁ ICC ପକ୍ଷରୁ ସର୍ବସ୍ୱ ପ୍ରତ୍ୟାଖ୍ୟାନ କରାଯାଇଛି, ଯାହାକୁ ନେଇ ଦେଶର ଗଣମାଧ୍ୟମ ମହଲରେ ଗଭୀର ଅସନ୍ତୋଷ ଦେଖାଦେଇଛି । କିଛି ଫଟୋ ସାମ୍ବାଦିକଙ୍କୁ ପ୍ରଥମେ ICC ପକ୍ଷରୁ ଅନୁମୋଦନ ମିଳିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କର ସ୍ବୀକୃତି ପ୍ରତ୍ୟାହାର କରାଯାଇଥିବା ଅଭିଯୋଗ ଆସିଛି । ଏହାକୁ ନେଇ ଆଉ ଏକ ନୂଆ ବିବାଦ ଜନ୍ମ ନେଇଛି ।

ବାଂଲାଦେଶୀ ସାମ୍ବାଦିକ ମୀର ଫରିଦ ଏହି ଘଟଣାକୁ ଉଦାହରଣ ସ୍ୱରୂପ ଉଲ୍ଲେଖ କରି କହିଛନ୍ତି ଯେ, ଜାନୁଆରୀ ୨୦ ତାରିଖରେ ତାଙ୍କୁ ICC ମିଡିଆ ବିଭାଗରୁ ଏକ ଅନୁମୋଦନ ଇମେଲ ସହ ଭିସା ସମର୍ଥନ ପତ୍ର ପଠାଯାଇଥିଲା। କିନ୍ତୁ କେବଳ କିଛି ଦିନ ପରେ ତାଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ଜଣାଇ ଆଉ ଏକ ଇମେଲ ପଠା ଯାଇଥିଲା ।

ଏପରି ବିରୋଧାଭାସୀ ନିଷ୍ପତ୍ତି ICC ର ମିଡିଆ ନୀତିକୁ ନେଇ ପ୍ରଶ୍ନ ଉଠାଇଛି ଏବଂ ବାଂଲାଦେଶର ଗଣମାଧ୍ୟମ ମହଲରେ ଅସନ୍ତୋଷ ଦେଖାଦେଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score