Explore

Search

November 21, 2025 3:24 am

କେମୋମାଇଲ ଫୁଲରେ ରହିଛି ଔଷଧୀୟ ଗୁଣ

କୋରାପୁଟ : ଜଙ୍ଗଲ ବନାନୀ ପାହାଡ଼ ଘେରା କୋରାପୁଟ ଜିଲ୍ଲାରେ ଆଶାର ଆଲୋକ । କେତେବେଳେ ଏଠି ସୀମା ବିବାଦ ତ ପୁଣି କେତେବେଳେ ଅପହଞ୍ଚ ବିକାଶ । ତଥାପି ରାତି ପାହିଲେ ଏଠି ଚାଷକୁ ଦେଖି ଖୁସି ହୁଏ ଚାଷୀ । ଏଇ ମାଟିରେ ଚାଷ ହୋଇଛି ପୋଦିନା ବା ମିଣ୍ଟ ତେଲ । ପୁଣି ଏଇ ମାଟିରେ ଉତ୍ପାଦିତ ହୋଇଛି ହଳଦୀ ପତ୍ର ତେଲ । ତାହା ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଅଞ୍ଚଳ । କଫି, ହଳଦୀ, ଅଦା, କଳା ଚାଉଳ ଓ ମାଣ୍ଡିଆ ପରେ ଏବେ କୋରାପୁଟ ପାଇଁ ଗର୍ବ ଆଣିଦେବ କେମୋମାଇଲ । କୋରାପୁଟରେ ଚାଷ ହେଉଛି ଏବେ ଇଉରୋପୀୟ ଫୁଲ କେମୋମାଇଲ । କୋଟିଆର ଆଦିବାସୀ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏଠାରେ ଫୁଟିଛି କେମୋମାଇଲ । କୋଟିଆ ଉପତ୍ୟକାର ଦୁଇ ଏକର ଜମିରେ କେମୋମାଇଲ ଫୁଲ ଚାଷ କରୁଛନ୍ତି ଆଦିବାସୀ ମହିଳା ଚାଷୀ ।

ସକାଳୁ ଉଠି ଫୁଲ ସଂଗ୍ରହ କରି କିଛି ପାତ୍ରରେ ରଖୁଛନ୍ତି । ଏହାପରେ ଫୁଲକୁ ଶୁଖାଇ କୁଲାରେ ବାଛି ଉତ୍ପାଦନ କାମରେ ଲାଗିପଡନ୍ତି ମହିଳା ଚାଷୀ । ଜିଲ୍ଲା ଖଣିଜ ପାଣ୍ଠି (DMF) ସହାୟତାରେ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ORMAS) କେମୋମାଇଲ ଉତ୍ପାଦନର ଦାୟିତ୍ବ ନେଇଛି । କୋରାପୁଟ ପଟ୍ଟାଙ୍ଗୀ ବ୍ଲକର ୨୧ଟି ଗାଁରେ ଏକ କ୍ଲଷ୍ଟର କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦୀର୍ଘକାଳୀନ ସୀମା ବିବାଦ ପ୍ରାୟତଃ ଦୁଇ ରାଜ୍ୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି । ଉଭୟ ରାଜ୍ୟ ଏହି ଅଞ୍ଚଳର ମାଲିକାନା ଦାବି କରୁଥିବାରୁ ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି । ତଥାପି ଚାଲିଥିବା ଏହି ବିବାଦ ମଧ୍ୟରେ, କୋଟିଆ ଏବେ କେମୋମାଇଲ ଉତ୍ପାଦନ ପାଇଁ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି ।
ସାଧାରଣତଃ ନଭେମ୍ବର ମାସରେ କେମୋମାଇଲ ଚାଷ ଆରମ୍ଭ ହୋଇଥାଏ । ଏହି ଫସଲ ଉତ୍ପାଦନ ହେବାକୁ ତିନି ମାସ ସମୟ ଲାଗିଥାଏ । କୋଟିଆର ୨ ଏକର ଜମିରେ ପ୍ରଥମେ କେମୋମାଇଲ ଚାଷ ଆରମ୍ଭ ହୋଇଛି । ଦୁଇଟି ପ୍ରକ୍ରିୟାରେ କେମୋମାଇଲ ବିକ୍ରି କରାଯିବ । ଗୋଟିଏ ପାଉଡର ଭାବେ ଓ ଅନ୍ୟଟି ତେଲ ହିସାବରେ ବିକ୍ରି କରିବାର ଯୋଜନା ରହିଛି । ଏ ଫୁଲକୁ ତୋଳି ଶୁଖାଇକି ଗୁଣ୍ଡ କରିବା ପରେ ଓରମାସ ଦ୍ବାରା ବିକ୍ରି କରାଯିବ । ପୂର୍ବରୁ ଏଠାକାର ଚାଷୀ ମିଣ୍ଟ ତେଲ ଓ ହଳଦୀ ପତ୍ର ତେଲ ଉତ୍ପାଦନ କରି ଦେଶ ବିଦେଶରେ ପ୍ରଶଂସିତ ହୋଇଛନ୍ତି । ସାଧାରଣତଃ ଧାନ ଚାଷ କରି ଗୁଜୁରାଟ ମେଣ୍ଟାଉଥିବା ଏହି ଚାଷୀ କେମୋମାଇଲରେ ଏବେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କେମୋମାଇଲ ଫୁଲ ଅମଳ କରିବା ପାଇଁ ପୂର୍ବ ଘାଟର ପାହାଡ଼ ଏବଂ ଉପତ୍ୟକାର କୋଟିଆ ଅଞ୍ଚଳର ଜଳବାୟୁ ଅନୁକୂଳ ରହିଥାଏ । ଏହାର ଫୁଲକୁ ଖାଦ୍ୟ ଏବଂ ପାନୀୟରେ ବ୍ୟବହାର କରାଯାଇଥାଏ । ମାଉଥ ୱାଶ୍, ସାବୁନ ଏବଂ ପ୍ରସାଧନ ସାମଗ୍ରୀରେ ଏକ ମୌଳିକ ଉପାଦାନ ଭାବରେ ବ୍ୟବହାର କରିବାକୁ ଏହା ସ୍ବୀକୃତି ପାଇଛି । ଗରମ ପାଣିରେ ଶୁଖିଲା ଫୁଲ ମିଶାଇ ତିଆରି ହୋଇଥିବା କେମୋମାଇଲ ଚା’ ନିଦ୍ରା ଗୁଣବତ୍ତା ଉନ୍ନତ କରିବା, ଚାପ ହ୍ରାସ କରିବା ଏବଂ ଚିନ୍ତା ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହା ସହ କେମୋମାଇଲ ତେଲ ଚର୍ମ-ନିରାକରଣ ଏବଂ ମାଂସପେଶୀ ପାଇଁ ଆରାମ ଦାୟକ ହୋଇଥାଏ । ଏହାକୁ ତ୍ୱଚା ଚିକିତ୍ସାରେ ମଧ୍ୟ ଏକ ମୂଲ୍ୟବାନ ଉପାଦାନ ଭାବେ ବ୍ୟବହାର କରିହୁଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score