Explore

Search

November 21, 2025 11:20 am

ଓଡିଶାର ଗର୍ବ ଦୌଡରାଣୀ ଦୂତୀ ଚାନ୍ଦ

ଭୁବନେଶ୍ୱର : ଓଡ଼ିଶାରେ ସିନା ଜନ୍ମ ହୋଇଛନ୍ତି ହେଲେ ଦେଶ ବିଦେଶରେ ବେଶ ସୁନାମ ଅର୍ଜନ କରିଛନ୍ତି । ଦାରିଦ୍ର୍ୟ ଓ ଅନେକ ଅସୁବିଧା ସତ୍ତ୍ୱେ ବି ସେ କେବେ ହାର ମାନି ନାହାଁନ୍ତି । ନିଜ ସ୍ବପ୍ନକୁ ସାକାର କରିବା ପାଇଁ ଓ ପରିବାରର ଅଭାବକୁ ଦୂର କରିବା ପାଇଁ ସେ ରାତି ରାତି ଅନେକ ପରିଶ୍ରମ କରିଛନ୍ତି । ଅନେକ ନିନ୍ଦା ସହିଛନ୍ତି ଅନେକ ବିବାଦ ଘେରକୁ ବି ଆସିଛନ୍ତି । ତଥାପି ମନୋବଳ ଦୃଢ ରଖିଛନ୍ତି । କେବଳ ରାଜ୍ୟରେ ସେ ପୁରସ୍କୃତ ହେଇ ନାହାଁନ୍ତି ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ୍ ମେଡାଲ୍ ହାତେଇ ରାଜ୍ୟ ପାଇଁ ଗୌରବ ସାଜିଛନ୍ତି । ସେ ହେଉଛନ୍ତି ଓଡ଼ିଶାର ଗର୍ବ ଦୌଡରାଣୀ ଦୂତି ଚାନ୍ଦ ।

ଓଡ଼ିଶାରେ ଜନ୍ମ ହୋଇ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଆଥଲେଟ୍ ଦୂତୀ ଚାନ୍ଦ ଯାଜପୁର ଜିଲ୍ଲାର ଏକ ଗରିବ ବୁଣାକାର ପରିବାରରେ ଫେବୃଆରୀ ୩, ୧୯୯୬ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ ଚକ୍ରଧର ଚାନ୍ଦ ଓ ମା’ଙ୍କ ନାଁ ଅଖୁଜୀ ଚାନ୍ଦ । ନିଜକୁ ଆଥଲେଟ୍ ବନେଇବା ପାଇଁ ସେ ଭୀଷଣ ସଙ୍ଘର୍ଷ କରିଥିଲେ । ଦାରିଦ୍ର ଓ ଅନେକ ଅସୁବିଧା ସତ୍ତ୍ୱେ ୨୦୧୩ ମସିହାରେ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ୍ ମେଡାଲ୍ ଜିତି ଦୂତୀ ଇତିହାସ ରଚନା କରିଥିଲେ । ସେହି ବର୍ଷ ବିଶ୍ୱ ଯୁବ ଚାମ୍ପିଅନସିପର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରି ଅନ୍ତରାଷ୍ଟ୍ରୀୟ ଆଥଲେଟିକ୍ ଚ୍ୟାମ୍ପିଅନସିପର ଫାଇନାଲରେ ପହଞ୍ଚିଥି ଥିଲେ । ସେହି ବର୍ଷ ଉଭୟ ୧୦୦ ମିଟର୍ ଓ ୨୦୦ ମିଟର୍ ଦୌଡ଼ରେ ସେ ଜାତୀୟ ଚ୍ୟାମ୍ପିଅନ୍ ହୋଇଥିଲେ ।

୨୦୧୪ରେ ଦୂତୀ ଚାନ୍ଦଙ୍କୁ କମନୱେଲଥ୍ ଗେମ୍ସ ଦଳରୁ ଓ ଏସିଆନ୍ ଗେମ୍ସ ଦଳରୁ ବାହାର କରି ଦିଆଯାଇଥିଲା । ଆଥଲେଟିକ୍ସରେ ତାଙ୍କର ବଡ଼ ସଫଳତା ପରେ ସେ ଜଣେ ମହିଳା ହୋଇଥିବା ଉପରେ ସନ୍ଦେହ କରାଯାଇଥିଲା । ସେ ହାଇପର୍-ଆଣ୍ଡ୍ରୋଜେନିଜିମର ଶିକାର ବୋଲି ଦର୍ଶାଇ ତାଙ୍କୁ ମହିଳା ଆଥଲେଟ୍ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ହେଲେ ସେଥିରେ ହାରି ନଥିଲେ ଦୂତୀ । ୨୦୧୬ରେ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପରେ ମାତ୍ର ୭.୨୮ ସେକେଣ୍ଡରେ ୬୦ ମିଟର୍ ଦୌଡ଼ି ସେ ଜାତୀୟ ରେକର୍ଡ଼ ସ୍ଥାପନ କରିଥିଲେ ଓ ଫାଇନାଲରେ ବ୍ରୋଞ୍ଜ୍ ମେଡାଲ୍ ଜିତିଥିଲେ । ସେହି ବର୍ଷ ଅଲିମ୍ପିକ୍ସର ୧୦୦ ମିଟର୍ ଦୌଡ଼ ଇଭେଣ୍ଟରେ ଭାଗ ନେଇ ତାହା କରିଥିବା ତୃତୀୟ ଭାରତୀୟ ମହିଳା ହୋଇଥିଲେ ଦୂତୀ । ୨୦୧୮ ଏସିଆନ୍ ଗେମ୍ସର ୧୦୦ ମିଟର ଦୌଡ଼ ଇଭେଣ୍ଟରେ ଦୂତୀ ଜିତିଥିବା ରୌପ୍ୟ ପଦକ ଭାରତ ପାଇଁ ପ୍ରଥମ ପଦକ ଥିଲା । ସେହି ବର୍ଷର ସେହି ସମାନ ପ୍ରତିଯୋଗିତାରେ ଦୂତୀ ୨୦୦ ମିଟର ଦୌଡ଼ରେ ବି ରୌପ୍ୟ ପଦକ ଜିତିଥିଲେ । ୨୦୦୨ରେ ସରସ୍ୱତୀ ସାହା ସ୍ୱର୍ଣ୍ଣ ପଦକ ଜିତିବା ପରେ ଦୂତୀ ଆଉ ଏକ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ । ୟୁନିଭରସିଏଡ଼ରେ ସ୍ୱର୍ଣ୍ଣ ପଦକ ଜିତି ଏହି ଗୌରବ ପାଇଥିବା ପ୍ରଥମ ଭାରତୀୟ ମହିଳା ଦୌଡାଳୀ ହୋଇଥିଲେ ଦୂତୀ । ନାପୋଲିରେ ଆୟୋଜିତ ୨୦୧୯ ଗ୍ରୀଷ୍ମ ୟୁନିଭର୍ସିଏଡ୍ ପ୍ରତିଯୋଗିତାରେ ଦୂତୀ ମାତ୍ର ୧୧.୩୨ ସେକେଣ୍ଡରେ ୧୦୦ ମିଟର ଦୌଡ଼ିଥିଲେ ।
ଆଉ ଏହି ଦୌଡ ପ୍ରତିଯୋଗିତା ଭିତରେ ତାଙ୍କ ଜୀବନରେ ନୂଆ ମୋଡ ଆସେ । ଦୀର୍ଘ ବର୍ଷ ଧରି ସମ୍ପର୍କରେ ଥିବା ଦୂତୀ ୨୦୧୯ରେ ନିଜ ସମଲିଙ୍ଗୀ ସମ୍ପର୍କ ବିଷୟରେ ସର୍ବସାଧାରଣରେ ପ୍ରକାଶ କରିବା ପରେ ଦୂତୀ ଭାରତର ପ୍ରଥମ ସମଲିଙ୍ଗୀ ଆଥଲେଟ୍ ହୋଇଥିଲେ । ୨୦୧୯ରେ ନିଜ ସମଲିଙ୍ଗୀ ସମ୍ପର୍କ ବିଷୟରେ ସର୍ବସାଧାରଣରେ ପ୍ରକାଶ କରିବା ପରେ ଦୂତୀ ଭାରତର ପ୍ରଥମ ସମଲିଙ୍ଗୀ ଆଥଲେଟ୍ ହୋଇଥିଲେ । ମେ’ ୨୦୧୯ରେ ନିଜ ଜୀବନ ସଙ୍ଗୀନୀଙ୍କ ସହ ସୋସିଆଲ୍ ମିଡ଼ିଆରେ କେତେକ ଫଟୋ ପୋଷ୍ଟ କରି ଦୂତୀ ଲେଖିଥିଲେ: ‘‘ସେ ମୋ’ ସାବିତ୍ରୀ, ମୁଁ ତା’ ସତ୍ୟବାନ।’’ ତେବେ ଦୂତୀଙ୍କର ଏଭଳି ପୋଷ୍ଟ ପରେ ସେ ଆହୁରି ଚର୍ଚ୍ଚାକୁ ଆସିଥିଲେ । ଦୂତୀ ଚାନ୍ଦ ନିଜ କ୍ରୀଡ଼ା କ୍ୟାରିୟରରେ ବେଶ ସଫଳତା ହାତେଇଛନ୍ତି । କ୍ରୀଡ଼ା ପ୍ରଦର୍ଶନ ପାଇଁ ଦୂତୀଙ୍କୁ ୨୦୨୦ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ବିଭିନ୍ନ ଜାତୀୟ ଓ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ମେଡାଲ ହାସଲ କରିଛନ୍ତି। ୨୦୨୦ରେ ଟୋକିଓ ଅଲିମ୍ପିକ୍ସ ଖେଳିଛନ୍ତି। ଦୁଇ ଦୁଇଥର ଅଲିମ୍ପିକ୍ସ ଖେଳି ଦୂତୀ ଗୌରବ ଆଣିଛନ୍ତି । ଦୂତୀ ଯେତେବେଳେ ସ୍କୁଲ ଯାଉଥିଲେ ସେତେବେଳ ଠୁ ଦୂତୀଙ୍କର ଖେଳ ପ୍ରତି ଖୁବ ଆଗ୍ରହ ଥିଲା । ଆଉ ବେଶୀ ଆଗ୍ରହ ଥିଲା ତାଙ୍କର ଦୌଡ ପ୍ରତିଯୋଗିତାରେ । ଆଉ ସବୁ ବେଳେ ଗୋଟେ ଲକ୍ଷ ରଖିଥିଲେ ଯେ ସେ ବଡ ହୋଇ ଜଣେ ଭଲ କ୍ରୀଡ଼ାବିତ ହେବେ ।

ଆଉ ଆଜି ସେ କେବଳ ରାଜ୍ୟ ନୁହେଁ ବିଦେଶରେ ବି ଜଣେ ଭଲ କ୍ରୀଡ଼ାବିତ । ପ୍ରଥମ ଶ୍ରେଣୀରେ ପଢିବା ସମୟରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବରେ ୫୦ ମିଟର ଏବଂ ୧୦୦ ମିଟରରେ ଭାଗ ନେଇ ସଫଳତା ହାସଲ କରିଥିଲେ ।ସେତେବେଳେ ତାଙ୍କୁ ଉପହାରରେ ଗୋଟିଏ ସ୍ଲେଟ ଆଉ ଗୋଟିଏ ଚକଖଡ଼ି ମିଳିଥିଲା ଯାହା ତାଙ୍କୁ କ୍ରୀଡା କ୍ଷେତ୍ରରେ ଆଗକୁ ବଢେଇବାର ଇଚ୍ଛା ଶକ୍ତି ବଢାଇଦେଇଥିଲା। ଆଉ ସେଇଠୁ ଆରମ୍ଭ ହୋଇଥିଲା ଦୂତୀଙ୍କ ଦୌଡ଼ ଯାତ୍ରା । ଯେତେବେଳେ ଦୂତୀ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ସେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲରେ ରହିଲେ । କମ ବୟସରୁ ବାହାରେ ଆସି ରହି ଅନେକ ସଂଘର୍ଷ କରିଥିଲେ ଦୂତୀ । ଏହାପରେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲରେ ରହି ଇଣ୍ଟରଭ୍ୟୁ ଦେଇ ପାସ୍‌ କରିଥିଲେ ।

ତାଙ୍କର ସଂଘର୍ଷମୟ ପରିଶ୍ରମ ଆଜି ତାଙ୍କୁ ସବୁଠି ସମ୍ମାନର ସହ ଏକ ବଡ ପରିଚୟ ଦେଇଛି । ଗତ କିଛି ବର୍ଷ ତଳେ ଦୌଡ ରାଣୀ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଯେତିକି ଚର୍ଚ୍ଚାକୁ ଆସିଥିଲେ ଇଂରାଜୀ ପତ୍ରିକାକୁ ଦେଇଥିବା ସାକ୍ଷାତକାର ପାଇଁ ଚର୍ଚ୍ଚାର କେନ୍ଦ୍ର ସାଜିଥିଲେ । ଦୌଡରାଣୀ ଦୂତୀ ଚାନ୍ଦ ନିଜ ବାନ୍ଧବୀଙ୍କୁ ସିନ୍ଦୁର ଦେଉଥିବା ଫଟୋ ଏକ ଜାତୀୟ ଗଣମାଧ୍ୟମର କଭର ପେଜରେ ପ୍ରକାଶ ପାଇଥିଲା । ଯାହା ବେଶ ଚର୍ଚ୍ଚା ପାଲଟିଥିଲା । ସେ ଯାହା ହେଉନା କାହିଁକି ଲକ୍ଷ ଓ ମନୋବଳ ଦୃଢ ଥିଲେ ସବୁ ସମ୍ଭବ ହୋଇ ପାରିବ ବୋଲି ଦୂତୀଙ୍କ ବିଶ୍ୱାସ ଓ ଭରସା ଥିଲା । ଯାହା ତାଙ୍କୁ ଆଗକୁ ନେବାକୁ ଆହୁରି ସାହାଯ୍ୟ ମିଳିଥିଲା। ଅନ୍ୟପକ୍ଷରେ ଗୁଜରାଟ ନର୍ମଦା ଜିଲ୍ଲାର ଆୟୋଜିତ ଜନଜାତୀୟ ଗୌରବ ଦିବସରେ ମଧ୍ୟ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଓଡିଆ ଆଦିବାସୀ ଆଥଲେଟ ଦୂତୀଙ୍କୁ ପ୍ରଶଂସା ବି କରିଥିଲେ । ଦୂତୀଙ୍କ ସଫଳତାର କାହାଣୀ ଦେଶବାସୀଙ୍କ ଆଗରେ ପ୍ରକାଶ କରିଥିଲେ ମୋଦି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score