Explore

Search

November 20, 2025 12:45 pm

ଦୁଲକୁଛି ଗୋପାଳପୁର ବେଳାଭୂମି: ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଗୋପାଳପୁର: ଦୁଲକୁଛି ଗୋପାଳପୁର ବେଳାଭୂମି । ଶଙ୍ଖ ହୁଳହୁଳିରୁ ଆରମ୍ଭ ହୋଇଛି ଗୋପାଳପୁରରେ ବୋଇତ ବନ୍ଦାଣ ମହୋତ୍ସବ । ରାଜ୍ୟର ପୁରାତନ ନୌବାଣିଜ୍ୟ କେନ୍ଦ୍ରସ୍ଥଳୀ ଗୋପାଳପୁରରେ ନଭେମ୍ବର ୫ ତାରିଖରେ ଆୟୋଜିତ ହୋଇଯାଇଛି ବୋଇତ ବନ୍ଦାଣ ମହୋତ୍ସବ । କାର୍ତ୍ତିକ ପୂର୍ଣ୍ଣମା ଅବସରରେ ବୁଧବାର ଭୋର ସମୟରୁ ପାରମ୍ପରିକ ରୀତିନୀତିରେ ଗୋପାଳପୁର ସମୁଦ୍ର ଉପକୂଳରେ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁମାନେ । ଏହା ସହିତ କଦଳୀ ପଟୁକା ଡ଼ଙ୍ଗା ସହିତ ରଙ୍ଗୀନ ବୋଇତକୁ ବନ୍ଦାଣ କରି ବଙ୍ଗୋପସାଗର ଜଳରାଶିରେ ଏହାକୁ ଭସାଇବା ସହିତ ଓଡିଆ ପୁଅର ଗୌରବ ଗାଥାକୁ ମନେ ପକାଇଥିଲେ । ଉଦୟମାନ ସୂର୍ଯ୍ୟଙ୍କୁ ଦର୍ଶନ କରିବା ସହିତ ବାଣ ଫୁଟାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି ଗୋପାଳପୁର ବାସିନ୍ଦା ।

ଅତୀତର କୀର୍ତ୍ତିରାଜିକୁ ଜୀବିତ ରଖିବା ପାଇଁ ଓଡ଼ିଅଘରର ବୋହୂମାନେ ଏହି ବୋଇତ ବନ୍ଦାଣ ମହୋତ୍ସବକୁ ପାଳନ କରି ଆସୁଛନ୍ତି । କଦଳୀଗଛର ବାହୁଙ୍ଗାରେ ବା ସୋଲ କାଗଜ ଡଙ୍ଗାରେ ଖଡ଼ିକାର ଅଗ୍ରଭାଗରେ ତୁଳା ସହିତ ଘିଅ କର୍ପୁର, ଧୂପ ଜଳାଇ ସେଥିରେ ପାନ,ଗୁଆ, ସୋରିଷ ଓ ଯଅ ଥୋଇ ହୁଳହୁଳି ହରିବୋଲ ପକାଇ ଡଙ୍ଗାକୁ ବିଭିନ୍ନ ଜଳାଶୟରେ ଭସାଇ ବନ୍ଦାପନା ପୂର୍ବକ ମେଲାଣି ଦେଇଥାନ୍ତି । ବୋଇତ ବନ୍ଦାଣ ଉତ୍ସବଟି ଉତ୍କଳର ଏକ ପାରମ୍ପରିକ ପର୍ବ ଭାବେ ସ୍ୱୀକୃତି ଲାଭ କରିବାସହ ପ୍ରାଚୀନ ଉତ୍କଳର ନୌବାଣିଜ୍ୟର ହଜିଲା ସ୍ମୃତିକୁ ଜନମାନସରେ ଜାଗ୍ରତ କରାଇଥାଏ ।
ତେଣୁ ପ୍ରତିବର୍ଷ ସାଧବ ଘରର କୁଳବଧୁମାନେ କାର୍ତ୍ତିକ ମାସର ପୂର୍ଣିମା ତିଥିରେ ସମୁଦ୍ରକୂଳରେ ଥିବା ବନ୍ଦର ମାନଙ୍କରେ ବୋଇତ ଗୁଡିକୁ ବୈଦିକ ରୀତିରେ ଶୁଭ ହୁଳହୁଳିରେ ବନ୍ଦାପନା କରିଥାନ୍ତି । ବହୁ ଆବାହମାନକାଳରୁ ମାନବ ସମାଜ ବିଭନ୍ନ ପୌରାଣିକ ଓ ବିଭିନ୍ନ ଘଟଣାବଳୀକୁ ମନେ ରଖିବା ପାଇଁ ପାରମ୍ପରିକ କ୍ରମରେ ଓଷା ବ୍ରତ,ପର୍ବପର୍ବାଣି,ମେଳା ମହୋତ୍ସବ ପାଳନ କରିଆସୁଛନ୍ତି ।

ଏହି ଅବସରରେ ବେଳାଭୂମିରେ ହଜାର ହଜାର ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଭୋର ସମୟରୁ ସାଧବ ସାଂସ୍କୃତିକ ସମାରୋହ, ମା ମଙ୍ଗଳା ଆରତୀ, ସାଧବ ସାଧବାଣୀଙ୍କ ବୋଇତ ବନ୍ଦାଣ ସହ ଆରମ୍ଭ ହୋଇଥିଲା ୩ ଦିନିଆ ବୋଇତ ବନ୍ଦାଣ ମହୋତ୍ସବ ।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମୁଖ୍ୟଅତିଥି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜର ଲେଫ୍ଟନାଣ୍ଟ ଜେନେରାଲ ଆର.ସି.ଶ୍ରୀକାନ୍ତ । ଏହାସହ କାର୍ଯ୍ୟକ୍ରମକୁ ପ୍ରଂଶସା କରିଥିଲେ । ଉତ୍କଳର ନୌବାଣିଜ୍ୟ ପରମ୍ପରା ସାମୁଦ୍ରିକ କାରବାର ଉତ୍କର୍ଷତାକୁ ପ୍ରତିପାଦ କରେ ଯାହା ଓଡ଼ିଆଙ୍କ ଜନ ଜୀବନ ଓ ବ୍ୟବସାୟୀକୁ ପ୍ରତିଫଳିତ କରେ ।

ଏହି ‘ବୋଇତ ବନ୍ଦାଣ ଉତ୍ସବ’ ଚଳିତ ମାସ ୭ ତାରିଖରେ ଶେଷ ହେବ। ଉପକୂଳ ଓଡ଼ିଶାରେ ବାଲି ଯାତ୍ରା ଭାବରେ ପାଳିତ ବୋଇତ ବନ୍ଦାଣ ଉତ୍ସବ, ପାରମ୍ପରିକ ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରୁ ପାଳିତ ହୁଏ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଘରର ପିଠାପଣା ପ୍ରତିଯୋଗିତା, ପ୍ରଲାହଦ ନାଟକ ଓ ଆଞ୍ଚଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ସନ୍ଧ୍ୟାରେ ଗାୟିକା ଗାୟକ କୁଲଦୀପ ପଟ୍ଟନାୟକ, ଶୀତଲ,ପ୍ରିୟଙ୍କା ସ୍ୱାଇଁ ,ଆଲୋକ କୁଣ୍ଡୁ ଓ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆହୁରି ରଙ୍ଗାରଙ୍ଗ କରିଥିଲେ । ତେବେ ଭିଡକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ ପୋଲିସ ମୁତୟନ ରହି ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score