ବ୍ରହ୍ମପୁର : ନିର୍ମଳ ବେଳାଭୂମି ସାଙ୍ଗକୁ ସୁନ୍ଦର ପରିବେଶ । ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ସମୁଦ୍ର ତଟରେ ଏବେ ଠୁ ଜମିଲାଣି ପର୍ଯ୍ୟଟକଙ୍କ ଭିଡ । ଦେଶ-ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ମାସରେ ଓଡିଶାର ବଛାବଛା ସ୍ଥାନ ମାନଙ୍କରେ ଇକୋ ରିଟ୍ରିଟ୍ ଆୟୋଜିତ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସମୁଦ୍ରର ମନୋରମ ଦୃଶ୍ୟ ଭିତରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିରେ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିବା ନିମନ୍ତେ ଆରମ୍ଭ ହେବାକୁ ଯାଉଛି ସୁନାପୁର ବେଳାଭୂମି ଇକୋ ରିଟ୍ରିଟ୍ ସେଣ୍ଟର । ଗତ 4 ବର୍ଷ ହେଲା ଏହି ସୁନାପୁର ବେଳାଭୂମିରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ହୋଇଆସୁଛି । ତେବେ ଏଥର ପୁଣିଥରେ ବେଶ ଆକର୍ଷଣୀୟ ଭାବେ ଆରମ୍ଭ ହେବାକୁ ଯାଉଛି ସୁନାପୁର ବେଳାଭୂମି ଇକୋ ରିଟ୍ରିଟ୍ । ଏହି ଇକୋ ରିଟ୍ରିଟ୍ରେ ପର୍ଯ୍ୟଟକ ପାଇବେ ବେଳାଭୂମିର ଭରପୁର ମଜା ।
ବ୍ରହ୍ମପୁର ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ଏହି ସୁନାପୁର ବେଳାଭୂମି। ଶାନ୍ତ ଓ ସ୍ଵଛ ପରିବେଶରେ ଆୟୋଜିତ ହେବାକୁଥିବା ସୁନାପୁର ବେଳାଭୂମି ଇକୋ ରିଟ୍ରିଟ୍ରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗର ଆୟୋଜନ କରାଯାଉଛି । ପର୍ଯ୍ୟଟକଙ୍କ ପାଇଁ ୨୫ରୁ ଅଧିକ କଟେଜ୍ର ବ୍ୟବସ୍ଥା କରାଯାଉଛି । ଏହାରି ଭିତରେ ପର୍ଯ୍ୟଟକ ପାଇବେ ଡିଲକ୍ସ ଓ ପ୍ରିମିୟମର ସୁବିଧା । ଗୋଟିଏ ଦିନର ରହଣୀ ପାଇଁ ପର୍ଯ୍ୟଟକଙ୍କୁ ଡିଲକ୍ସ ରୁମ ପାଇଁ ପାଖାପାଖି ୪ହଜାର ଟଙ୍କା ମୂଲ୍ୟ ଧାର୍ଯ୍ୟ କରିବାକୁ ଥିବା ବେଳେ ପ୍ରିମିୟମ ରୁମ ପାଇଁ ପାଖାପାଖି ୫ ହଜାର ଟଙ୍କା ରହିଛି । ଏହି ଇକୋ ରିଟ୍ରିଟ୍ରେ ମାଗଣା ଖାଇବା ଓ ପାନୀୟର ସୁବିଧା ରହିଥିବା ସୂଚନାରୁ ପ୍ରକାଶ । ଏହାସହ ଛୋଟ ପିଲାଙ୍କ ପାଇଁ ଖେଳଣା ଓ ୱାଟର ସ୍ପୋର୍ଟ୍ସର ମଜା ଉଠାଇପାରିବେ ପର୍ଯ୍ୟଟକ ବୋଲି ସୂଚନାରୁ ପ୍ରକାଶ । ଅନ୍ୟପକ୍ଷରେ ଏହି ଇକୋ ରିଟ୍ରିଟ୍ ପାଇଁ ଅନଲାଇନ ଓ ଅଫଲାଇନରେ କଟେଜ ବୁକ କରିବାର ସୁବିଧା ହୋଇଥିବା ବିଶେଷ ସୂତ୍ରରୁ ପ୍ରକାଶ । ଇକୋ ରିଟ୍ରିଟ୍ ସେଣ୍ଟର ହେବା ଦ୍ୱାରା ପର୍ଯ୍ୟଟକଙ୍କ ସମାଗମ ବଢିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସାମାଜିକ ଓ ଅର୍ଥନୈତିକ ବୃଦ୍ଧି ପାଇବ ।
ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଭଳି ନୂଆ ପଦକ୍ଷେପ ନେଇଛନ୍ତି । ଜିଲ୍ଲାର ଚିକିଟି ବ୍ଳକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ସୁନାପୁର ଇକୋ ରିଟ୍ରିଟ୍ ସେଣ୍ଟର । ଏହି ଇକୋ ରିଟ୍ରିଟ୍ ସେଣ୍ଟରରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଶୋଇବା, ଖାଇବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି। ତେବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏଭଳି ଆୟୋଜନ ନିମନ୍ତେ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଜିଲ୍ଲାର ଚିକିଟି ବ୍ଳକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ଖୋଲିବାକୁ ଯାଉଛି ଇକୋ ରିଟ୍ରିଟ୍ ସେଣ୍ଟର । ପୂର୍ବରୁ ଏଠାରେ ପର୍ଯ୍ୟଟକମାନଙ୍କ ନିମନ୍ତେ ସେଭଳି କୌଣସି ସୁବିଧା ନଥିବା ବେଳେ ଏବେ ଇକୋ ରିଟ୍ରିଟରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପାଇପାରିବେ ପର୍ଯ୍ୟଟକ । ସେହିପରି ପର୍ଯ୍ୟଟକମାନଙ୍କ ନିମନ୍ତେ ବୋଟିଂର ବ୍ୟବସ୍ଥା ମଧ୍ୟ ରହିଛି । ଯାହାଫଳରେ ପର୍ଯ୍ୟଟକମାନେ ସମୁଦ୍ରରେ ବୋଟିଂ କରି ମଜା ଉଠାଇପାରିବେ। ବିଶେଷ କରି ଛୁଟି କାଟିବା ନିମନ୍ତେ ବାହାର ରାଜ୍ୟ ଓ ଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଏହି ଇକୋ ରିଟ୍ରିଟ୍ ସେଣ୍ଟରରେ ରହି ସୌନ୍ଦଯ୍ୟ ପରିବେଶ ଉପଭୋଗ କରିପାରିବେ ।
ସୁନାପୁର ବେଳାଭୂମି ନିକଟରେ ଚିକିଟି ନିର୍ବାଚନ ମଣ୍ଡଳୀ ସହିତ ୪ଟି ବ୍ଳକ ରହିଥିବା ବେଳେ ଏଠିକାର ଲୋକେ ସୁନାପୁର ବେଳାଭୂମିକୁ ନିୟମିତ ଭାବେ ଆସିଥାନ୍ତି । ପୂର୍ବରୁ ସେମାନେ କେବଳ ସମୁଦ୍ର ବେଳାଭୂମିକୁ ଆସି ବୁଲାବୁଲି କରି ଫେରିଯାଉଥିଲେ । କିନ୍ତୁ ବର୍ତ୍ତମାନ କେବଳ ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏହି ଇକୋ ରିଟ୍ରିଟ୍ ସେଣ୍ଟରରେ ରହି ସମୁଦ୍ର ବେଳାଭୂମିର ମଜା ଉଠାଇପାରିବେ। ସୁନାପୁର ବେଳାଭୂମିକର ବିକାଶ ନିମନ୍ତେ ପୂର୍ବରୁ ବିଚ୍ ଫେଷ୍ଟିଭାଲ ହେଉଥିବା ବେଳେ ଏହି ଇକୋ ରିଟ୍ରିଟ୍ ପର୍ଯ୍ୟଟକମାନଙ୍କୁ ଆହୁରି ଆକୃଷ୍ଟ କରିପାରିବ ।
ଇକୋ ରିଟ୍ରିଟ୍ ସେଣ୍ଟରରେ ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକେ କିଭଳି ଭାବେ ଏହାକୁ ଗ୍ରହଣ କରୁଛନ୍ତି ତାହାକୁ ଦେଖାଯିବ। ଏହାପରେ ପରବର୍ତ୍ତୀ ସମୟରେ କଟେଜର ସଂଖ୍ୟାକୁ ବୃଦ୍ଧି କରାଯିବ ବୋଲି ପ୍ରଶାସନ କହିଥିବା ସୂଚନାରୁ ପ୍ରକାଶ। ସୁନାପୁର ବେଳାଭୂମିରେ ଇକୋ ରିଟ୍ରିଟ୍ ସେଣ୍ଟରକୁ ନେଇ ଜିଲ୍ଲା ଓ ଜିଲ୍ଲା ବାହାରେ ପ୍ରଚାର ପ୍ରସାର କାର୍ଯ୍ୟ ଚାଲୁ ରହିଛି। ଯାହାଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବେଳାଭୂମିରେ ବୃଦ୍ଧି ହେବା ସହିତ ଇକୋ ରିଟ୍ରିଟ୍ ସେଣ୍ଟରର ମଧ୍ୟ ମଜା ନେଇପାରିବେ ସମସ୍ତେ। ଏହଛଡ଼ା ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି ।
ସୁନାପୁର ବେଳାଭୂମି ଆନ୍ଧ୍ରକୁ ଲାଗି ରହିଥିବା ଯୋଗୁଁ ଗଞ୍ଜାମ ଅପେକ୍ଷା ଏଠାରେ ଆନ୍ଧ୍ର ପର୍ଯ୍ୟଟକମାନଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଥାଏ । ଯାହା ଦ୍ବାରା ଆନ୍ଧ୍ର ପର୍ଯ୍ୟଟକମାନଙ୍କୁ ଏହା ବେଶ ଅଧିକ ମାତ୍ରାରେ ଆକର୍ଷିତ କରିପାରେ । ଜିଲ୍ଲାରେ ସୁନ୍ଦର ସୁନ୍ଦର ବେଳାଭୂମି ରହିଥିବା ସୁଦ୍ଧା ଜିଲ୍ଲାବାସୀ ବାହାର ଜିଲ୍ଲା ଓ ରାଜ୍ୟକୁ ଯାଇ ସମୁଦ୍ର ବେଳାଭୂମିର ମଜା ନେଉଛନ୍ତି । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏହି ଇକୋ ରିଟ୍ରିଟ୍ ସେଣ୍ଟର କରାଯାଇଛି । ଏଥିଯୋଗୁଁ ଦେଶ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବ ବୋଲି ଆଶା ରଖିଛି ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ସୁନାପୁର ବେଳାଭୂମିକୁ ”BLUE FLAG” ବିଚର ମାନ୍ୟତା ମିଳିଛି । ମୁଖ୍ୟତଃ ସ୍ୱଚ୍ଛତା ଓ ପର୍ଯ୍ୟଟକଙ୍କ ପାଇଁ ରହିଥିବା ସୁବିଧାକୁ ଏବଂ ୩୩ଟି ମାନଦଣ୍ଡକୁ ନେଇ ଯାଞ୍ଚ କରାଯାଇଥାଏ । ତେଣୁ ୨୦୨୪-୨୫ରେ ଯାହାକି ପୂର୍ବ ବର୍ଷ ଭଳି ସମସ୍ତ ମାନଦଣ୍ଡକୁ ବଜାୟ ରଖି ଦ୍ୱିତୀୟ ଥର ପାଇଁ ସୁନାପୁର ବେଳାଭୂମି ଆନ୍ତର୍ଜାତୀୟ ”BLUE FLAG” ବିଚ୍ ମାନ୍ୟତା ପାଇଥିଲା । ଏହି କ୍ଷେତ୍ରରେ ସ୍ଥାନୀୟ ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ନିରନ୍ତର ପ୍ରୟାସ ସହିତ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଯୋଗୁଁ ଏଭଳି ମାନ୍ୟତା ବଜାୟ ରଖିବାରେ ସଫଳ ହୋଇଥିଲା । ତେବେ ଚଳିତ ବର୍ଷ ମଧ୍ୟ ଏହା ପୁଣି ଥରେ ”BLUE FLAG” ମାନ୍ୟତା ପାଇବ ବୋଲି ଆଶା ବାନ୍ଧିଛନ୍ତି ସ୍ଥାନୀୟ ଲୋକେ । ରାଜ୍ୟରେ କେବଳ ପୁରୀ ଏବଂ ସୁନାପୁରରେ ହିଁ ”BLUE FLAG” ବିଚ୍ ରହିଥିବା ବେଳେ ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମୁଛି । ସେପଟେ ସରକାରଙ୍କ ପକ୍ଷରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ସୁଟ୍ ଏବଂ କଟେଜ୍ ବ୍ୟବସ୍ଥା ମଧ୍ୟ ରହିଛି । ପ୍ଲାଷ୍ଟିକ ମୁକ୍ତ ରହିବା ସହିତ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏପରିକି ସେଠାରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ପୁଣି ଥରେ ବ୍ୟବହାର ସାପେକ୍ଷ କରାଯାଇପାରିବ, ତାହାରି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାର ବିକାଶ ପାଇଁ କେନ୍ଦ୍ର ସରକାର ପକ୍ଷରୁ ୭କୋଟି ଟଙ୍କାରୁ ଅଧିକ ବ୍ୟୟରେ ସୌନ୍ଦର୍ଯ୍ୟକରଣ କରାଯାଇଛି ।
ସୋନାପୁର ବେଳାଭୂମି ଓଡ଼ିଶାର ଏକ ସର୍ବୋତ୍ତମ ସୁନ୍ଦର ବେଳାଭୂମି । ଏହାର ସମୁଦ୍ରର ଜଳ ଅଧିକ ନୀଳ ରଙ୍ଗୀନ ପାଇଁ ଜଣାଶୁଣା । ଏହି ସୁନାପୁର ବେଳାଭୂମି ବାହୁଦା ନଦୀ ଏବଂ ବଙ୍ଗୋପସାଗରର ନଦୀ ମୁହାଣରେ ଅବସ୍ଥିତ। ଏଠିକାର ସୂର୍ଯ୍ୟାସ୍ତ ଏବଂ ସୂର୍ଯ୍ୟୋଦୟର ସମୁଦ୍ର ଦୃଶ୍ୟ ଅତ୍ୟନ୍ତ ମନୋରମ । ସୋନାପୁର ବେଳାଭୂମି ପୂର୍ବତଟର ସବୁଠାରୁ ଭଲ ବେଳାଭୂମି ମଧ୍ୟରୁ ଗୋଟିଏ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏକ ପିକନିକ୍ ସ୍ଥାନ ଭାବେ ବେଶ ଉତ୍ତମ ସ୍ଥାନ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
