ଓଡ଼ିଆ ଜାତିର ଅନନ୍ୟ ପରିଚୟ ରୂପେ ଜଣାଯାଉଥିବା ଓଡ଼ିଆ ଚଳଚ୍ଚିତ୍ର ବହୁ ଦିନ ଧରି ଅବାଟରେ ମାଡି ଯାଇଥିବା ପରେ ଏବେ ପ୍ରାୟ ଦୁଇ ବର୍ଷ ଧରି ଏହା ପୁଣି ଥରେ ବାଟକୁ ଫେରୁଥିବା ଦେଖିବାକୁ ମିଳିଛି । ଯେଉଁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ବର୍ଷତଳେ ଲୋକେ ଦିନେ ମୁହଁ ଫେରାଉଥିଲେ, ଆଜି ସେଇ ଓଡ଼ିଆ ଚଳଚ୍ଚିତ୍ର ଏବେ ଦର୍ଶକଙ୍କ ପ୍ରଥମ ପସନ୍ଦ। ଦର୍ଶକଙ୍କ ଏପରି ସ୍ନେହ, ଶ୍ରଦ୍ଧା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିଜ୍କୁ ଦେଉଛି ନୂଆ ପରିଚୟ। ଚଳଚ୍ଚିତ୍ର ନିର୍ମାଣରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ମଧ୍ୟ ମିଳୁଛି ଭିନ୍ନ ପରିଚୟ। କିଛି ପ୍ରତିଭାବାନ ଉଦୀୟମାନ ନିର୍ଦ୍ଦେଶକ, ଲେଖକ ଓ କଳାକାରଙ୍କର ଆବିର୍ଭାବ ଏବଂ ଓଡ଼ିଆ ସିନେମାର ପୁନରୁଦ୍ଧାର ପାଇଁ ଅହେତୁକ ପ୍ରଚେଷ୍ଟା ଫଳରେ ଓଡ଼ିଆ ସିନେମା ଜଗତରେ ଆଜି ଆଶାର ସମ୍ଭାର ସୃଷ୍ଟି ହୋଇପାରିଛି । ତେବେ ସ୍ମୃତି ର କିଛି ପୃଷ୍ଠା ଲେଉଟାଇଲେ ମନେପଡେ ଓଡ଼ିଆ ସିନେମାର ସେଇ ସ୍ଵର୍ଣ୍ଣମୟ ଅତୀତ ଯେତେବେଳେ ଟେକ୍ନୋଲୋଜି ଏତେ ଉନ୍ନତ ନଥାଇ ମଧ୍ୟ ଓଡ଼ିଆ ସିନେମା ଏବଂ କଳାକାରଙ୍କର ଅଦମ୍ୟ ପ୍ରଚେଷ୍ଟା ଏବଂ ଭିର୍ଣ୍ଣ କାହାଣୀ ପରିବେଷଣ ଦ୍ୱାରା ବିଶ୍ୱଦରବାରରେ ଓଡ଼ିଆ ସିନେମା ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଥିଲା । ମାତ୍ର ଏହି କିଛି ବର୍ଷ ଧରି ଏହି ବିଶେଷ୍ୟତ୍ୱ ହରାଇ ବସିଥିଲା ଓଡିଆ ସିନେମା । ତେବେ ସ୍ୱଭାଭିକ ଭାବରେ ମନକୁ ଆସେ କାହଁକି ଏମିତି ଖରାପ ସମୟ ଦେଇ ଗତି କରୁଥିଲେ ଓଡିଆ ସିନେମା , କଣ ସତରେ ଓଡ଼ିଆ ଲୋକଙ୍କର ଓଡ଼ିଆ ସିନେମା ପ୍ରତି ବିତୃଷ୍ଣାଭାବ ଆସି ଯାଇଥିଲା କଣ ପାଇଁ ଓଡ଼ିଆ ସିନେମା ଠାରୁ ମୁହଁ ଫେରାଇ ନେଇଥିଲେ ଦର୍ଶକ ?
ତେବେ ବାସ୍ତବିକ କଥା ହେଲା ଓଡ଼ିଆ ଦର୍ଶକ ସେଇ ଦିନ ଠାରୁ ଓଡ଼ିଆ ସିନେମାରୁ ମୁହଁ ଫେରେଇ ନେଇଥିଲେ ଯେଉଁ ଦିନ ଠାରୁ ଓଡ଼ିଆ ସିନେମାରେ ଓଡ଼ିଶାର ମାଟି, ପାଣି, ପବନର ପ୍ରତିଫଳନ ଆଉ ଦେଖିବାକୁ ମିଳିଲା ନାହିଁ। ଓଡ଼ିଆ ସିନେମା ବୋଲି କହି ଦର୍ଶକଙ୍କୁ ଯାହା ପରଷା ଗଲା, ସେଥିରେ ଓଡ଼ିଆ ରାନ୍ଧଣାର ସ୍ବାଦ, ମହକ ଓ ମାଧୁର୍ଯ୍ୟ ରହିଲା ନାହିଁ। ତେଲଗୁ, ତାମିଲ କି ହିନ୍ଦୀ ସିନେମାର ‘‘ଫ୍ରେମ୍ ବାଇ ଫ୍ରେମ୍’’ କପିକୁ ଓଡ଼ିଆ ସିନେମା ଆଖ୍ୟା ଦେଇ ଦର୍ଶକ ମାନଙ୍କ ଆଗରେ ପରିବେଷଣ କରିବାକୁ ଚେଷ୍ଟା କରାଗଲା । ପରିଣାମ ଯାହା ହବା କଥା, ତାହା ହିଁ ହେଲା । ନବେ ଦଶକର ଦ୍ବିତୀୟାର୍ଦ୍ଧରେ ଆରମ୍ଭ ହୋଇଥିବା ଏହି ଝଡ଼ ବହୁଦିନ ଧରି ଓଡ଼ିଆ ସିନେମା କୁ କବଳିତ କରି ରଖିଥିଲା । ଓଡ଼ିଆ ସିନେମା ଉପରୁ ମୁହଁ ଫେରାଇ ନେଉଥିଲେ ଲୋକେ ଫଳରେ ହଲଲସବୁ ଖାଲି ପଡିଲା, ଚଳଚ୍ଚିତ୍ର ଜଗତର ମେରୁଦଣ୍ଡ ଭୁଶୁଡିବାରେ ଲାଗିଲା । ମାତ୍ର ସବୁଠୁ ଆଶ୍ଚର୍ଯ୍ୟ ର କଥା ଏହିକି ଜେ ଏହି ଘଟଣାରୁ ନିଜ ଭୁଲ ବୁଝି ନିଜକୁ ସଜାଡ଼ିବା ପରିବର୍ତେ କିଛି ଲୋକ ବ୍ୟବସାୟ ଆଶାରେ ଫିଲ୍ମ ନିର୍ମାଣ ପାଇଁ ଆବଶ୍ୟକ ସର୍ବନିମ୍ନ ଯୋଗ୍ୟତା ନ ଥିବା ଅନେକ ‘‘ଟେକ୍ନିସିଆନ୍, କୋରିଓଗ୍ରାଫର, ଫାଇଟ୍ ମାଷ୍ଟର, ଏପରିକି ମେକ୍ ଅପ୍ ଆର୍ଟିଷ୍ଟ୍’’ ଆଦିଙ୍କୁ ନେଇ ନିମ୍ନମାନର ଚଳଚ୍ଚିତ୍ର ନିର୍ମାଣ କରିବାରେ ଲାଗିଲେ ଯାହାର ଫଳସ୍ୱରୂପ ଓଡ଼ିଆ ସିନେମାର ମାନ କ୍ରମାଗତ ନିମ୍ନଗାମୀ ହୋଇଚାଲିଲା।
ଦୁଇ ଦଶନ୍ଧିର ଅରଣ୍ୟବାସ ପରେ ଶେଷରେ ଓଡ଼ିଆ ସିନେମା ବାଟକୁ ଫେରିଛି । ଓଡ଼ିଆ ସିନେମାର ଏ ‘‘ବାଟ ଲେଉଟାଣି’’ ଦୁଇ ବର୍ଷ ତଳେ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ନିର୍ଦ୍ଦେଶିତ ତଥା ବାବୁଶାନ ମହାନ୍ତି ଅଭିନୀତ ‘‘ଦମନ’’ରୁ ଆରମ୍ଭ ହେଲା ବୋଲି କୁହାଯାଇପାରେ। ଦୁର୍ଗମ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ଜଣେ କର୍ତ୍ତବ୍ୟନିଷ୍ଠ ଡାକ୍ତରଙ୍କ ବେସାଲିସ ସଂଘର୍ଷର ଏ କାହାଣୀ ଅନେକ ଦିନ ପରେ ଓଡ଼ିଆ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଫେରାଇ ଆଣିଲା। ଫିଲ୍ମଟି ଭରପୂର ଦର୍ଶକୀୟ ଆଦୃତି ପାଇଲା। ସେହି ବର୍ଷ ଆସିଲା ବିଶିଷ୍ଟ ମଞ୍ଚ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ବର୍ଗତ ଅମୀୟ ପଟ୍ଟନାୟକଙ୍କ ଦାୟାଦ ଅନୁପମ ପଟ୍ଟନାୟକ ନିର୍ଦ୍ଦେଶିତ ‘‘ପ୍ରତୀକ୍ଷା’’, ଯାହା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଲା ଏବଂ ଏଥିସହ “ଦମନ” ଚଳିତ ବର୍ଷ ଓଡ଼ିଆ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ମଧ୍ୟ ଲାଭକରିଛି । ଏ ଦୁଇଟି ଚଳଚ୍ଚିତ୍ରର ସଫଳତା ପରବର୍ତ୍ତୀ ସମୟରେ ଆହୁରି ଅନେକ ‘‘ଭଲ’’ ଓଡ଼ିଆ ସିନେମା ପାଇଁ ବାଟ ଫିଟାଇ ଦେଲା । ଏହା ପରେ କ୍ରମାଗତ ଭାବରେ ଗୋଟେ ପରେ ଗୋଟେ ଓଡ଼ିଆ ସିନେମା ଦର୍ଶକଙ୍କ ମନକୁ ଜିଣିବାରେ ସଫଳ ହେଇଚାଲିଲା । ତେବେ ଦୁଇବର୍ଷ ଧରି ଏହି ପ୍ରକ୍ରିୟା ଜାରି ରହିଛି ବର୍ତ୍ତମାନ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏବଂ ଅନୁଭବ ମହାନ୍ତିଙ୍କ ଅଭିନୀତ ନୂଆ ଓଡ଼ିଆ ଚଳଚ୍ଚିତ୍ର “କର୍ମ” ଏହି ସବୁର ରେକର୍ଡ କୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି । ମାତ୍ର କିଛି ଦିନ ମଧ୍ୟରେ 10 କୋଟିର ବକ୍ସ ଅଫିସ କଲେକ୍ସନ କରିସାରିଛି ଏହି ଚଳଚ୍ଚିତ୍ର ।
ଦୁଇ ଦଶନ୍ଧିର ଅରଣ୍ୟବାସ ର ପରିସମାପ୍ତି ଘଟାଇ ପରିଶେଷରେ ନିଜ ବାସ୍ତବିକତା ଫେରିପାଇଛି ଓଡ଼ିଆ ଚଳଚ୍ଚିତ୍ର ଜଗତ । ମାତ୍ର ଦେଖିବାକୁ ଗଲେ ଅନ୍ୟ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ତୁଳନାରେ ଓଡ଼ିଆ ଚଳଚ୍ଚିତ୍ର ଏବେ ବି ଅନେକ ପଛରେ ରହିଛି ବହୁ ସଂଖ୍ୟକ ସିନେମା ତିଆରି ହେଉଛି ସତ, କିନ୍ତୁ ସେଥି ମଧ୍ୟରୁ ହାତ ଗଣତି କେତେଟିକୁ ଛାଡ଼ିଦେଲେ ଅଧିକାଂଶ ସିନେମା ଫ୍ଲପ୍ ହେଉଛି। ତେବେ ଏହି ଦୁଇ ଦଶନ୍ଧି ର ବିଫଳତା ସମଗ୍ର ଓଡ଼ିଆ ସିନେ ଜଗତ କୁ ଏକ ବଡ ଶିକ୍ଷା ଦେଇଯାଇଛି । ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପ୍ରସାର, ବିକାଶ ଓ ଅଗ୍ରଗତି ପାଇଁ ଏ ଶିଳ୍ପ ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ରାଜ୍ୟ ସରକାରଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦେଖିବାକୁ ଗଲେ ଏବେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିଜ୍ର ନବକଳେବର ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁଣି ଥରେ ଓଡ଼ିଆ ସିନେମା ପ୍ରତି ଲୋକଙ୍କ ବିଶ୍ୱାସ ଦୃଢ଼ ହୋଇଛି ତେବେ ଏହି ବିଶ୍ୱାସ ଏବଂ ଭଲପାଇବା କିପରି ଆଗକୁ ଆହୁରି ଘନିଷ୍ଠ ହେଇଚାଲୁ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତ ତାର ଅସ୍ମିତା ଆଉ ଥରେ ଫେରିପାଉ ସେଥି ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ନିହାତି ଆବଶ୍ୟକ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |