ଗୋପାଳପୁର: ଧୁମଧାମରେ ଉଦଯାପିତ ହୋଇଯାଇଛି ଗୋପାଳପୁର ବେଳାଭୂମିରେ ଚାଲୁଥିବା ବୋଇତ ବନ୍ଦାଣ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସାଂସ୍କୃତିକ ମହୋତ୍ସବରେ ଦୁଲୁକିଥିଲା ବୋଇତ ବନ୍ଦାଣ ମହୋତ୍ସବ । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଏହି ବୋଇତ ବନ୍ଦାଣ ମହୋତ୍ସବର କାଲି ଥିଲା ଶେଷ ସନ୍ଧ୍ୟା । ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ବୋଇତ ବନ୍ଦାଣ ମହୋତ୍ସବ ଗୋପାଳପୁର ବେଳାଭୂମିରେ ୩ ଦିନ ଧରି ଚାଲିଥିଲା । ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୩ଦିନିଆ ବୋଇତ ବନ୍ଦାଣ ମହୋତ୍ସବ-୨୦୨୫ ଶୁକ୍ରବାର ବେଶ ଆଡମ୍ବରସହ ଉଦଯାପିତ ହୋଇଛି । ଏହି ମହୋତ୍ସବ ପ୍ରାଚୀନ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଓଡିଆ ପୁଅର ବୀରତ୍ୱର ଗାଥାକୁ ସ୍ମରଣ କରେ । ଯାହାକି ଭାରତ ଇତିହାସର ଗୌରବମୟ ଗାଥା ସ୍ୱରୂପ ଅଧ୍ୟାୟକୁ ପ୍ରତିପାଦିତ କରେ । ଏହି ମହୋତ୍ସବରେ ପାରମ୍ପାରିକ ପିଠାର ପ୍ରତିଯୋଗିତା ମଧ୍ୟ ହୋଇଥିଲା । ଆଉ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରହ୍ଲାଦ ନାଟକ, କାଳୀ ତାଣ୍ଡବ, ତେଲୁଗୁ ପାଲା, ଓଡିଶୀ ନୃତ୍ୟ, ବିହ୍ୟୁ ନୃତ୍ୟକୁ ଦେଖି ବିମୋହିତ ହୋଇଥିଲେ ଦର୍ଶକ । ସେହିପରି ଓଡିଆ ଗାୟିକା ଗାୟକ ଶଶାଙ୍କ ଶେଖର, ପାୟଲ ନନ୍ଦ, ଆରିୟନ ଡ୍ୟାନ୍ସ ଗ୍ରୁପଙ୍କ ନାଚ ଓ ଗୀତରେ ଝୁମିଥିଲେ ଦର୍ଶକ । ସେପଟେ ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ କମେଡିରେ ହସି ହସି ବେଦମ ହୋଇଥିଲେ ମହୋତ୍ସବକୁ ଆସିଥିବା ଶହଶହ ଦର୍ଶକ । ଓଡିଆ ସଂସ୍କୃତି ଐତିହ୍ୟ ପରମ୍ପରାକୁ ବହନ କରିଛି ଏହି ବୋଇତ ବନ୍ଦାଣ ମହୋତ୍ସବ ।
ବୋଇତ ବନ୍ଦାଣ ମହୋତ୍ସବ କେଉଁ ଆବହମାନ କାଳରୁ ପାଳିତ ହୋଇ ଆସୁଛି । ଅତୀତର କୀର୍ତ୍ତିରାଜିକୁ ଜୀବିତ ରଖିବା ପାଇଁ ଓଡ଼ିଆ ଘରର ବୋହୂମାନେ ଏହି ବୋଇତ ବନ୍ଦାଣ ମହୋତ୍ସବକୁ ପାଳନ କରି ଆସୁଛନ୍ତି । କଦଳୀ ଗଛର ବାହୁଙ୍ଗାରେ ବା ସୋଲ କାଗଜ ଡଙ୍ଗାରେ ଖଡ଼ିକାର ଅଗ୍ରଭାଗରେ ତୁଳା ସହିତ ଘିଅ କର୍ପୁର, ଧୂପ ଜଳାଇ ସେଥିରେ ପାନ,ଗୁଆ, ସୋରିଷ ଓ ଯଅ ଥୋଇ ହୁଳହୁଳି ହରିବୋଲ ପକାଇ ଡଙ୍ଗାକୁ ବିଭିନ୍ନ ଜଳାଶୟରେ ଭସାଇ ବନ୍ଦାପନା ପୂର୍ବକ ମେଲାଣି ଦେଇଥାନ୍ତି ।
ବୋଇତ ବନ୍ଦାଣ ଉତ୍ସବଟି ଉତ୍କଳର ଏକ ପାରମ୍ପରିକ ପର୍ବ ଭାବେ ସ୍ୱୀକୃତି ଲାଭ କରିବାସହ ପ୍ରାଚୀନ ଉତ୍କଳର ନୌବାଣିଜ୍ୟର ହଜିଲା ସ୍ମୃତିକୁ ଜାଗ୍ରତ କରାଇଥାଏ । ତେଣୁ ପ୍ରତିବର୍ଷ ସାଧବ ଘରର କୂଳବଧୂ କାର୍ତ୍ତିକ ମାସର ପୂର୍ଣିମା ତିଥିରେ ସମୁଦ୍ରକୂଳରେ ଥିବା ବନ୍ଦର ଗୁଡିକରେ ବୋଇତ ଗୁଡିକୁ ବୈଦିକ ରୀତିରେ ଶୁଭ ହୁଳହୁଳି ପକେଇ ବନ୍ଦାପନା କରିଥାନ୍ତି । ଏହାପରେ ସେହି ଡଙ୍ଗାରେ ବସି ସାଧବ ପୁଅ ମାନେ ବେପାର ବାଣିଜ୍ୟ କରିବାକୁ ସୁଦୂର ଦେଶକୁ ଯାଇଥାନ୍ତି । ଆଉ ସେମାନଙ୍କ ଆସିବା ବାଟକୁ ଅପେକ୍ଷା କରଥାନ୍ତି ସାଧବବାଣୀ ବୋହୂମାନେ ।
ବହୁ ଆବାହମାନକାଳରୁ ମାନବ ସମାଜ ବିଭନ୍ନ ପୌରାଣିକ ଓ ବିଭିନ୍ନ ଘଟଣାବଳୀକୁ ମନେ ରଖିବା ପାଇଁ ପାରମ୍ପରିକ କ୍ରମରେ ଓଷା ବ୍ରତ, ପର୍ବପର୍ବାଣୀ, ମେଳା ମହୋତ୍ସବ ପାଳନ କରାଯାଏ । ଏହି କ୍ରମରେ ଏହି ବୋଇତ ବନ୍ଦାଣ ମହୋତ୍ସବ ଆଜି ବି ପ୍ରତି ଓଡ଼ିଆଙ୍କ ହୃଦୟରେ ଜୀବିତ ରହିଛି । ତେବେ ସମୟ ବଦଳିବା ସହ ଯୁଗ ବି ବଦଳିଛି । ଆଜି ଯଦିଓ ସାଧବ ପୁଅ କି ସାଧବବାଣୀ ନାହାଁନ୍ତି । ସେ ବାଣିଜ୍ୟ କରିବାକୁ କେହି ସୁଦୂର ଦେଶକୁ ଯାଉନାହାଁନ୍ତି ସତ । କିନ୍ତୁ ଆଜି ବି ଗୋପାଳପୁର ବେଳାଭୂମିରେ ଏହି ବୋଇତ ବନ୍ଦାଣ ମହୋତ୍ସବ ପରମ୍ପରା ଖୁବ ଧୁମଧାମରେ ପାଳିତ ହୋଇ ଆସୁଛି । ସାଧବ ପୁଅ ଓ ସାଧବ ବୋହୂଙ୍କ ଜାଗାରେ ସେମାନଙ୍କର ପ୍ରତି ରୂପରେ ଅନ୍ୟ ପୁଅ ଝିଅ ସଜ ହେବା ସହ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିନୟ କରିଥାନ୍ତି ।
ନଭେମ୍ବର ୫ ତାରିଖରୁ ଚାଲୁଥିବା ଏହି ମହୋତ୍ସବରେ କେବଳ ଜିଲ୍ଲା ନୁହେଁ ରାଜ୍ୟ ବାହାରୁ ମଧ୍ୟ ଅନେକ ଦର୍ଶକ ଆସିଥିଲେ ଏହାକୁ ଉପଭୋଗ କରିବାକୁ । ବର୍ଷକୁ ଥରେ ଏହି ମହୋତ୍ସବ ହେଉଥିବାରୁ ଏହାକୁ ଦେଖିବା ପାଇଁ ଲାଗିଥିଲା ଶହଶହ ଦର୍ଶକଙ୍କ ସୁଅ । ସେପଟେ ଏହି ମହୋତ୍ସବରେ ଯେପରି କିଛି ଅଘଟଣ ନ ହୁଏ ଓ ଶାନ୍ତିଶୃଙ୍ଖଳାରେ ସମସ୍ତ କାର୍ଯ୍ୟକ୍ରମ ସରିବ ସେଥିପାଇଁ ବିଶେଷ ଧ୍ୟାନ ରଖିଥିଲେ ଗଞ୍ଜାମ ଜିଲ୍ଲାପାଳ । ଭିଡକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶହେରୁ ଅଧିକ ସିସି ଟିଭି କ୍ୟାମେରା ଲାଗିଥିଲା ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
