Explore

Search

November 21, 2025 11:21 am

ଆଜି ସରିବ ‘ବୋଇତ ବନ୍ଦାଣ ମହୋତ୍ସବ’ : ଶେଷ ଦିନରେ ଜମିବ ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ଗୋପାଳପୁର: ଆଜି ସରିବ ଗୋପାଳପୁର ବେଳାଭୂମିରେ ଚାଲୁଥିବା ବୋଇତ ବନ୍ଦାଣ ମହୋତ୍ସବ। ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଆଜି ହେଉଛି ଶେଷ ଦିନ । ତେବେ ଦୀର୍ଘ ୩ଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପୁଥିବା ଗୋପାଳପୁର ବେଳାଭୂମିରେ ଶେଷ ଦିନରେ ଜମିଛି ଖଚାଖଚ ଭିଡ । ଏହି ଅବସରରେ ସନ୍ଧ୍ୟାରେ ଭଜନ ସମାରୋହ, ଖାଦ୍ୟ ମେଳା,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ଵାରା ପଲ୍ଲୀଶ୍ରୀ ମେଳାରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ,ସାଂସ୍କୃତିକ ଓ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ମହାସମାରୋହ ହେବାର ଆୟୋଜନ ରହିଛି । ତେବେ ଆଜି ଏହି ମହୋତ୍ସବର ଶେଷ ଦିନରେ ଗାୟିକା ଗାୟକ ଶସାଙ୍କ ଶେଖର, ପାୟଲ ନନ୍ଦ, ଆରିୟାନ ଡ୍ୟାନ୍ସ ଗ୍ରୁପ ଯୋଗ ଦେବେ । ଯାହାଙ୍କ ଗୀତ ଓ ନାଚରେ ଝୁମିବେ ଦର୍ଶକ ଦୁଲକିବ ମଞ୍ଚ । ଥରିବ ପୁରା ଗୋପାଳପୁର ବେଳାଭୂମି । ଏନେଇ ଗୋପାଳପୁର ବେଳାଭୂମିରେ ପହଞ୍ଚି ସାରିଲେଣି ବଡ ବଡ ଗାୟକ ଗାୟିକା । ତେବେ ଏମାନଙ୍କୁ ଦେଖିବା ପାଇଁ ଏବେଠୁ ଲାଗିଲାଣି ଲୋକଙ୍କ ଭିଡ । ସେପଟେ ମଞ୍ଚ ବି ପୁରା ପ୍ରସ୍ତୁତ ରହିଛି ।

ବୋଇତ ବନ୍ଦାଣ ମହୋତ୍ସବ ଆଜି ନୁହେଁ କେଉଁ ଆବହମାନ କାଳରୁ ହୋଇ ଆସୁଛି । ଅତୀତର କୀର୍ତ୍ତିରାଜିକୁ ଜୀବିତ ରଖିବା ପାଇଁ ଓଡ଼ିଆ ଘରର ବୋହୂମାନେ ଏହି ବୋଇତ ବନ୍ଦାଣ ମହୋତ୍ସବକୁ ପାଳନ କରି ଆସୁଛନ୍ତି । କଦଳୀଗଛର ବାହୁଙ୍ଗାରେ ବା ସୋଲ କାଗଜ ଡଙ୍ଗାରେ ଖଡ଼ିକାର ଅଗ୍ରଭାଗରେ ତୁଳା ସହିତ ଘିଅ କର୍ପୁର, ଧୂପ ଜଳାଇ ସେଥିରେ ପାନ,ଗୁଆ, ସୋରିଷ ଓ ଯଅ ଥୋଇ ହୁଳହୁଳି ହରିବୋଲ ପକାଇ ଡଙ୍ଗାକୁ ବିଭିନ୍ନ ଜଳାଶୟରେ ଭସାଇ ବନ୍ଦାପନା ପୂର୍ବକ ମେଲାଣି ଦେଇଥାନ୍ତି ।
ବୋଇତ ବନ୍ଦାଣ ଉତ୍ସବଟି ଉତ୍କଳର ଏକ ପାରମ୍ପରିକ ପର୍ବ ଭାବେ ସ୍ୱୀକୃତି ଲାଭ କରିବାସହ ପ୍ରାଚୀନ ଉତ୍କଳର ନୌବାଣିଜ୍ୟର ହଜିଲା ସ୍ମୃତିକୁ ଜାଗ୍ରତ କରାଇଥାଏ । ତେଣୁ ପ୍ରତିବର୍ଷ ସାଧବ ଘରର କୂଳବଧୂ କାର୍ତ୍ତିକ ମାସର ପୂର୍ଣିମା ତିଥିରେ ସମୁଦ୍ରକୂଳରେ ଥିବା ବନ୍ଦର ଗୁଡିକରେ ବୋଇତ ଗୁଡିକୁ ବୈଦିକ ରୀତିରେ ଶୁଭ ହୁଳହୁଳି ପକେଇ ବନ୍ଦାପନା କରିଥାନ୍ତି । ଏହାପରେ ସେହି ଡଙ୍ଗାରେ ବସି ସାଧବ ପୁଅ ମାନେ ବେପାର ବାଣିଜ୍ୟ କରିବାକୁ ସୁଦୂର ଦେଶକୁ ଯାଇଥାନ୍ତି । ଆଉ ସେମାନଙ୍କ ଆସିବା ବାଟକୁ ଅପେକ୍ଷା କରଥାନ୍ତି ସାଧବବାଣୀ ବୋହୂମାନେ ।

ବହୁ ଆବାହମାନକାଳରୁ ମାନବ ସମାଜ ବିଭନ୍ନ ପୌରାଣିକ ଓ ବିଭିନ୍ନ ଘଟଣାବଳୀକୁ ମନେ ରଖିବା ପାଇଁ ପାରମ୍ପରିକ କ୍ରମରେ ଓଷା ବ୍ରତ,ପର୍ବପର୍ବାଣି,ମେଳା ମହୋତ୍ସବ ପାଳନ କରିଆସୁଛନ୍ତି । ଏହି କ୍ରମରେ ଏହି ବୋଇତ ବନ୍ଦାଣ ମହୋତ୍ସବ ଆଜି ବି ପ୍ରତି ଓଡ଼ିଆଙ୍କ ହୃଦୟରେ ଜୀବିତ ରହିଛି । ତେବେ ସମୟ ବଦଳିବା ସହ ଯୁଗ ବି ବଦଳିଛି । ଆଜି ଯଦିଓ ସାଧବ ପୁଅ କି ସାଧବବାଣୀ ନାହାଁନ୍ତି । ସେ ବାଣିଜ୍ୟ କରିବାକୁ କେହି ସୁଦୂର ଦେଶକୁ ଯାଉନାହାଁନ୍ତି ସତ । କିନ୍ତୁ ଆଜି ବି ଗୋପାଳପୁର ବେଳାଭୂମିରେ ଏହି ବୋଇତ ବନ୍ଦାଣ ମହୋତ୍ସବ ପରମ୍ପରା ଖୁବ ଧୁମଧାମରେ ପାଳିତ ହୋଇ ଆସୁଛି । ସାଧବ ପୁଅ ଓ ସାଧବ ବୋହୂଙ୍କ ଜାଗାରେ ସେମାନଙ୍କର ପ୍ରତି ରୂପରେ ଅନ୍ୟ ପୁଅ ଝିଅ ସଜ ହେବା ସହ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିନୟ କରିଥାନ୍ତି । ଆଉ ସେମାନଙ୍କ ଜୀବନ୍ତ ଅଭିନୟ ଦେଖି ଲୋକେ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।

ନଭେମ୍ବର ୫ ତାରିଖରୁ ଚାଲୁଥିବା ଏହି ମହୋତ୍ସବରେ କେବଳ ଜିଲ୍ଲା ନୁହେଁ ରାଜ୍ୟ ବାହାରୁ ମଧ୍ୟ ଅନେକ ଦର୍ଶକ ଆସିଥିଲେ ଏହାକୁ ଉପଭୋଗ କରିବାକୁ । ବର୍ଷକୁ ଥରେ ଏହି ମହୋତ୍ସବ ହେଉଥିବାରୁ ଏହାକୁ ଦେଖିବା ପାଇଁ ଲାଗିଥାଏ ଶହଶହ ଦର୍ଶକଙ୍କ ସୁଅ । ସେପଟେ ଏହି ମହୋତ୍ସବରେ କେମିତି କିଛି ଅଘଟଣ ନ ହୁଏ ଓ ଶାନ୍ତିଶୃଙ୍ଖଳାରେ ସମସ୍ତ କାର୍ଯ୍ୟକ୍ରମ ସରିବ ସେଥିପାଇଁ ବିଶେଷ ଧ୍ୟାନ ରଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଭିଡକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଗିଛି ଶହେରୁ ଅଧିକ ସିସି ଟିଭି କ୍ୟାମେରା । ସେହିପରି ଟ୍ରାଫିକ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣରେ ରଖାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score