ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟର ଦେଶ ଭାରତରେ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମେଳା ମହାକୁମ୍ଭ। ପ୍ରାୟ ୧୩ ବର୍ଷ ପରେ ଏହି ମହାକୁମ୍ଭ ପ୍ରୟାଗରାଜର ଗଙ୍ଗା ଏବଂ ଯମୁନା ନଦୀର ସଙ୍ଗମସ୍ଥଳରେ ଆୟୋଜିତ ହେବାକୁ ଯାଉଛି। ଜାନୁଆରୀ ୧୩ରୁ ଫେବୃଆରୀ ୨୬ ତାରିଖ ଯାଏଁ ଚାଲିବ ଏହି ମହାକୁମ୍ଭ ମେଳା। ୪୫ ଦିନ ଧରି ହେବାକୁ ଥିବା ଏହି ମେଳା ହିନ୍ଦୁଙ୍କ ପାଇଁ ବେଶ୍ ମହତ୍ତ୍ୱ ରଖେ l ୨୦୨୫ ମହାକୁମ୍ଭରେ ଦେଶ ବିଦେଶରୁ ପ୍ରାୟ ୪୦ କୋଟିରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।
ଏହା ପୂର୍ବରୁ ୨୦୧୩ରେ ପ୍ରୟାଗରାଜରେ ଆୟୋଜିତ ହୋଇଥିଲା ମହାକୁମ୍ଭ ମେଳା। ଠିକ୍ ସେହି ପରି ୨୦୧୯ରେ ପ୍ରୟାଗରାଜରେ ହୋଇଥିଲା ଅର୍ଦ୍ଧକୁମ୍ଭ ମେଳା ଓ ୨୦୨୧ରେ ହରିଦ୍ୱାରରେ ହୋଇଥିଲା କୁମ୍ଭ ମେଳା।
ସାଧାରଣତଃ ଏହି କୁମ୍ଭମେଳା ୪ ପ୍ରକାରର ହୋଇଥାଏ- କୁମ୍ଭ, ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ ଏବଂ ମହାକୁମ୍ଭ। ସବୁ କୁମ୍ଭ ମେଳା ଗ୍ରହମାନଙ୍କର ସ୍ଥିତିକୁ ଦେଖି ଆୟୋଜିତ ହୋଇଥାଏ। ପ୍ରତ୍ୟେକ କୁମ୍ଭମେଳାର ନିଜସ୍ୱ ବିଶେଷତ୍ୱ ରହିଛି। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଏହି ମେଳା ଚାରି ପ୍ରକାରର ଅଟେ l
କୁମ୍ଭ ମେଳା
କୁମ୍ଭମେଳାର ଆୟୋଜନ ପ୍ରୟାଗରାଜ ବ୍ୟତୀତ ହରିଦ୍ୱାର, ନାସିକ, ଉଜ୍ଜୈନରେ ମଧ୍ୟ ହୋଇଥାଏ। ଏହି ମେଳା ପ୍ରତି ୧୨ ବର୍ଷ ମଧ୍ୟରେ ପଡ଼ିଥାଏ। ପାଳି କରି ଏହି ଚାରି ସ୍ଥାନରେ କୁମ୍ଭ ମେଳାର ଆୟୋଜନ କରାଯାଇଥାଏ। ଏହି ଅବସରରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା, ଶିପ୍ରା, ଗୋଦାବାରୀ ଆଦି ନଦୀମାନଙ୍କର ସଙ୍ଗମସ୍ଥଳରେ ସ୍ନାନ କରିଥାନ୍ତି।
ଅର୍ଦ୍ଧ କୁମ୍ଭ
ଅର୍ଦ୍ଧକୁମ୍ଭ ମେଳା ପ୍ରତି ୬ ବର୍ଷ ପରେ ଆସିଥାଏ। ଅର୍ଦ୍ଧକୁମ୍ଭ ୨ଟି ସ୍ଥାନରେ ଆୟୋଜିତ କରାଯାଇଥାଏ- ପ୍ରୟାଗରାଜ ଏବଂ ହରିଦ୍ୱାର। ଯେହେତୁ ଏହା ଅଧାକୁମ୍ଭ ତେଣୁ ପ୍ରତି ୬ ବର୍ଷ ପରେ ପଡ଼ିଥାଏ।
ପୂର୍ଣ୍ଣ କୁମ୍ଭ
ପୂର୍ଣ୍ଣ କୁମ୍ଭ ୧୨ ବର୍ଷରେ ଥରେ ପଡ଼ିଥାଏ। ଏହା କେବଳ ପ୍ରୟାଗରାଜର ସଙ୍ଗମ ସ୍ଥଳରେ ଆୟୋଜିତ ହୋଇଥାଏ। ୨୦୨୫ ପ୍ରୟାଗରାଜରେ ହେବାକୁ ଥିବା ମେଳା କେବଳ କୁମ୍ଭ ନୁହେଁ ପୂର୍ଣ୍ଣ କୁମ୍ଭମେଳା ବୋଲି ମଧ୍ୟ କୁହାଯାଉଛି। ଯେଉଁ କୁମ୍ଭ ପ୍ରୟାଗରାଜରେ ହୋଇଥାଏ ତାହା ଖୁବ ଶୁଭ ବୋଲି ବିଶ୍ଵାସ ରହିଛି।
ମହାକୁମ୍ଭ
ପ୍ରତି ୧୪୪ ବର୍ଷ ପରେ ପଡୁଥିବା କୁମ୍ଭମେଳାକୁ ମହାକୁମ୍ଭ ମେଳା କୁହାଯାଇଥାଏ। ମହାକୁମ୍ଭ ମେଳା କେବଳ ପ୍ରୟାଗରାଜରେ ହୋଇଥାଏ। ଦୀର୍ଘ ବର୍ଷ ପରେ ଏହି ମେଳା ପଡୁଥିବାରୁ ଏହାର ବିଶେଷ ମହତ୍ତ୍ଵ ରହିଛି। ୧୨ଟି ପୂର୍ଣ୍ଣ କୁମ୍ଭ ମେଳା ପରେ ମହାକୁମ୍ଭ ହୋଇଥାଏ।
କୁମ୍ଭମେଳାର ପୌରାଣିକ କଥା
ପୁରାଣ ମାନ୍ୟତା ଅନୁସାରେ ସମୁଦ୍ରମନ୍ଥନ ସମୟରେ ଅମୃତ ନେବା ପାଇଁ ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ୧୨ ଦିନ ଧରି ଲଗାତାର ଯୁଦ୍ଧ ଲାଗିଥିଲା। ବିଶ୍ଵାସ ରହିଛି ଦେବତାମାନଙ୍କ ୧୨ ଦିନ ମଣିଷଙ୍କ ପାଇଁ ୧୨ ବର୍ଷ ସଙ୍ଗେ ସମାନ। ସେଥିପାଇଁ ୧୨ଟି କୁମ୍ଭ ହୋଇଥାଏ। ଏଥିରୁ ୪ଟି କୁମ୍ଭ ପୃଥିବୀରେ ପାଳନ କରାଯାଇଥାଏ ଏବଂ ୮ଟି କୁମ୍ଭ ଦେବଲୋକରେ ହୋଇଥାଏ।
ଏହି ଯୁଦ୍ଧ ସମୟରେ ଶନି, ଚନ୍ଦ୍ର, ସୂର୍ଯ୍ୟ ଆଦି ଦେବତାମାନେ ଅମୃତ କଳସକୁ ରକ୍ଷା କରିଥିଲେ। ଯେତେବେଳେ ଏହି ଗ୍ରହମାନେ ବର୍ତ୍ତମାନ ରାଶିକୁ ଆସନ୍ତି ସେତେବେଳେ କୁମ୍ଭ ମେଳା ଆୟୋଜନର ସୁଯୋଗ ଆସିଥାଏ।
ସ୍ଥାନ ନିରୂପଣ ପ୍ରକ୍ରିୟା
ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ପାଇଁ ଯେତେବେଳେ ଦେବତା-ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା ସେତେବେଳେ ବିଷ୍ଣୁ ଏହି କଳସକୁ ଗରୁଡ଼ଙ୍କୁ ଦେଇଥିଲେ। ରାକ୍ଷସମାନେ ଏହା ଜାଣିବା ପରେ ଗରୁଡ଼ଙ୍କଠାରୁ ଏହାକୁ ଛଡ଼ାଇବାକୁ ଗଲେ। ଏହି ଟଣାଓଟରା ଭିତରେ ୪ ବୁନ୍ଦା ଅମୃତ ପୃଥିବୀର ୪ଟି ସ୍ଥାନରେ ପଡ଼ି ଯାଇଥିଲା।
ଏହି ସ୍ଥାନ ହେଉଛି ହରିଦ୍ୱାର, ପ୍ରୟାଗରାଜ, ଉଜ୍ଜୈନ ଏବଂ ନାସିକ। ଯେଉଁ ସ୍ଥାନ ମାନଙ୍କରେ ଏହି ଅମୃତ ବୁନ୍ଦା ପଡ଼ିଥଲା ସେହିଠାରେ ୧୨ ବର୍ଷ ଅନ୍ତରାଳରେ କୁମ୍ଭମେଳାର ଆୟୋଜନ କରାଯାଉଛି।
ତେବେ କୁମ୍ଭମେଳା କେଉଁ ସ୍ଥାନରେ ଆୟୋଜନ କରାଯିବ ଏହାର ନିର୍ଣ୍ଣୟ ଜ୍ୟୋତିଷ ଗଣନା ଆଧାରରେ ହୋଇଥାଏ। ଜ୍ୟୋତିଷ ଏବଂ ସାଧୁମାନଙ୍କ ମୁଖ୍ୟ ଏକାଠି ହୋଇ ଏହି ସ୍ଥାନ ନିରୂପଣ କରିଥାନ୍ତି। ସ୍ଥାନ ନିରୂପଣ କରିବା ପାଇଁ ଜ୍ୟୋତିଷମାନେ ବୃହସ୍ପତି ଏବଂ ସୂର୍ଯ୍ୟଙ୍କ ସ୍ଥିତିକୁ ନିରୀକ୍ଷଣ କରିଥାନ୍ତି।
ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଅର୍ଥାତ ଗୁରୁ ଏବଂ ସୂର୍ଯ୍ୟ ଉଭୟଙ୍କୁ ମୁଖ୍ୟ ଗ୍ରହ ଭାବେ ଗ୍ରହଣ କରାଯାଇଥାଏ। ସେଥିପାଇଁ ଗ୍ରହ ଗଣନା ଅନୁସାରେ ସ୍ଥାନ ନିରୂପଣ କରାଯାଇଥାଏ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |