Explore

Search
Close this search box.

Search

November 23, 2024 2:29 am

Genres

କୋଟି ଭାରତୀୟଙ୍କ ରତ୍ନ ଥିଲେ ରତନ ଟାଟା

Ratan Tata

ଭାରତୀୟ ଶିଳ୍ପ ଜଗତରେ ଅନେକ ଶିଳ୍ପପତି ନିଜର ସାମ୍ରାଜ୍ୟ ବିସ୍ତାର କରି ବିଶ୍ୱସ୍ତରରେ ଭାରତକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି I ମାତ୍ର ଆର୍ଥିକ କାରବାର ବ୍ୟତୀତ ଜନମଙ୍ଗଳ କାର୍ଯ୍ୟ ଦ୍ୱାରା ଅନେକ ଲୋକଙ୍କ ଜୀବନ ପରିବର୍ତ୍ତନ କରିବାର ଉଦାହରଣ କମ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ସ୍ବର୍ଗତ ରତନ ଟାଟା ଅନ୍ୟତମ ଥିଲେ। ଟାଟା ଗ୍ରୁପ ପରି ବିଶାଳ ସାମ୍ରାଜ୍ୟର ମୁଖ୍ୟ ହୋଇ ମଧ୍ୟ ନିଜର ମେଳାପୀ ଓ ବଦାନ୍ୟ ସ୍ଵଭାଵ ପାଇଁ ସେ କୋଟିକୋଟି ଲୋକଙ୍କ ହୃଦୟରେ ଅମର I ମୁଖ୍ୟତଃ ତାଙ୍କର ବ୍ୟବସାୟିକ ଯାତ୍ରାର ସଫଳ କାହାଣୀ ଆଜି ଅନେକ ଯୁବକ ମାନଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟିଥିଲା ।

୧୯୩୭ ଡିସେମ୍ବର ୨୮ ମସିହାରେ ବମ୍ବେ ଠାରେ ଏକ ବିଶିଷ୍ଟ ପାର୍ଶୀ ପରିବାରେ ରତନ ନାଭାଲ ଟାଟା ଜନ୍ମ ଗ୍ରହଣ କରିଥିଲେ I ତାଙ୍କ ପିତାଙ୍କ ନାମ ନାଭାଲ ଟାଟା ଥିବାବେଳେ ମାତାଙ୍କ ନାମ ସୋନି ଟାଟା ଥିଲା । ସେ ପ୍ରମୁଖ ଭାରତୀୟ ଶିଳ୍ପପତି ତଥା ସମାଜସେବୀ ଦାଦାଭୋ ନାରାଜୀ ଟାଟାଙ୍କ ବଂଶଜ ଅଟନ୍ତି। ରତନ ଟାଟା ନିଜର ସ୍କୁଲ ଶିକ୍ଷା ମୁମ୍ବାଇସ୍ଥିତ କାମ୍ପିଅନ ସ୍କୁଲରୁ ଆରମ୍ଭ କରିଥିଲେ । ଏହାପରେ ସେ ୧୯୬୨ରେ ସେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ସ୍ଥାପତ୍ୟ କଳାରେ ସ୍ନାତକ ହାସଲ କରିବା ସହିତ ୧୯୭୫ରେ ହାର୍ବାର୍ଡ ବିଶ୍ୱବିଦ୍ୟାଳୟରୁ ଆଡଭାନ୍ସଡ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ I ନିଜର ଶିକ୍ଷା ସମାପ୍ତି ପରେ ଭାରତକୁ ଫେରିବା ପରେ ଆଇ.ବି.ଏମ.ତରଫରୁ ଏକ ଚାକିରୀ ଅଗ୍ରାହ୍ୟ କରି ଜେ.ଆର୍.ଡି.ଟାଟାଙ୍କ ପ୍ରସ୍ତାବ କ୍ରମେ ଜାମସେଦପୁରସ୍ଥିତ ଟାଟା ଷ୍ଟିଲର ଫ୍ଲୋର ଶପରେ ଅନ୍ୟ ଦୈନିକ ମଜୁରିଆଙ୍କ ସହ ମିଶି ଚୂନପଥର ଭାଙ୍ଗିବାଠାରୁ ଆରମ୍ଭ କରି, ବ୍ଲାଷ୍ଟ ଫର୍ଣେସ ସମ୍ଭାଳିବା ପର୍ଯ୍ୟନ୍ତ କାମ କରିଥିଲେ । ଯେଉଁଠାରୁ ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆରମ୍ଭ ହେବ ସହିତ ଭାରତୀୟ ଅର୍ଥ ବ୍ୟବସାୟରେ ନବାଗତ ରୂପେ ପାଦ ଦେଇଥିଲେ I ୧୯୭୧ରେ ସେ ନ୍ୟାସନାଲ ରେଡିଓ ଏଣ୍ଡ ଇଲେକ୍ଟ୍ରୋନିକ୍ସ (ନେଲକୋ)ର ଅଧ୍ୟକ୍ଷ ରୂପେ ଯୋଗଦେଲେ । ସେତେବେଳେ କମ୍ପାନୀ ଶୋଚନୀୟ ଭାବେ ୪୦% କ୍ଷତିରେ ଚାଲିଥିଲା ଓ ବଜାରର ମାତ୍ର ୨% ଅଂଶ ଅଧିକାର କରିଥିଲା । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଏହା ୨%ରୁ ୨୫%କୁ ବୃଦ୍ଧି ପାଇଥିଲା କିନ୍ତୁ ୧୯୭୭ର ଜରୁରୀକାଳୀନ ପରିସ୍ଥିତି ଏବଂ ଦୁର୍ବଳ ଅର୍ଥନୈତିକ ନୀତି ତଥା ଶ୍ରମିକ ଅସୁବିଧା ପାଇଁ ନେଲକୋ ଶେଷରେ ପୂର୍ବାବସ୍ଥାକୁ ଫେରିଗଲା। ଠିକ ଏତିକି ମଧ୍ୟରେ ୧୯୭୭ରେ ଶୋଚନୀୟ ଅବସ୍ଥା ଦେଇ ଗତି କରୁଥିବା ଏମ୍ପ୍ରେସ ମିଲ ସମ୍ଭାଳିବାର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା ଓ ସଫଳତାର ସହ କାର୍ଯ୍ୟ ପରିଚାଳନା କରିଥିଲେ l ମାତ୍ର ତତ୍କାଳୀନ ସମସାମୟିକ ବଜାରରେ ପ୍ରତିଯୋଗିତା ଭିତ୍ତିକ କରାଇବାକୁ ୫୦ ଲକ୍ଷ ଟଙ୍କାର ଅଭାବ ଫଳରେ ଏହା ୧୯୮୬ରେ ବନ୍ଦ ହୋଇଯାଇଥିଲା । ୧୯୮୧ରେ ଜେ.ଆର.ଡି. ଟାଟା ଇଣ୍ଡଷ୍ଟ୍ରିଜର ମୁଖ୍ୟ ପଦରୁ ଅବସର ଗ୍ରହଣ କରି ରତନ ଟାଟାଙ୍କୁ ପରବର୍ତ୍ତୀ ମୁଖ୍ୟ ନିମନ୍ତେ ମନୋନୀତ କରିଥିଲେ। ବିନା ଅଭିଜ୍ଞତାରେ ଟାଟା ଭଳି ଏକ ବିଶାଳ ସଂସ୍ଥାର କାର୍ଯ୍ୟଭାର ସମ୍ଭାଳିବା ନିମନ୍ତେ ସେ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ ।

୧୯୯୧ରେ ସେ ଟାଟା ଗ୍ରୁପର ମୁଖ୍ୟ (ଚେୟାରମ୍ୟାନ)ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କରି କାର୍ଯ୍ୟକାଳ ଭିତରେ ଟେଟ୍ଲି, ଜାଗୁଆର ଲ୍ୟାଣ୍ଡ ରୋଭର, କୋରସ ଭଳି କମ୍ପାନୀର ଅଧିଗ୍ରହଣ ସମ୍ଭବ ହୋଇଥିଲା ଏବଂ ଟାଟା ବିଶ୍ୱ-ସ୍ତରୀୟ( ସମସ୍ତ ଆୟର ପ୍ରାୟ ୬୫% ବୈଦେଶିକ ପୁଞ୍ଜି) କମ୍ପାନୀର ମାନ୍ୟତା ଲାଭ କରିଥିଲା । ଅଗଷ୍ଟ ୨୦୦୭ରେ ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ରର ବ୍ୱ୍ରିଟିଶ ଷ୍ଟିଲ କମ୍ପାନୀ କୋରସର ଅଧିଗ୍ରହଣ ତତକାଳୀନ ସମୟରେ ଏକ ଭାରତୀୟ କମ୍ପାନୀର ଏକ ବିଦେଶୀ କମ୍ପାନୀ ଅଧିଗ୍ରହଣ ଭାବେ ସବୁଠାରୁ ବଡ଼ ଥିଲା l ଏହି ଅଧିଗ୍ରହଣ ଫଳରେ ଟାଟା ଷ୍ଟିଲ ବିଶ୍ୱର ପଞ୍ଚମ ବୃହତ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ରୂପେ ମାନ୍ୟତା ପାଇଥିଲା।

ତାଙ୍କ ସମୟରେ ମଧ୍ୟବିତ୍ତ ପରିବାରକୁ ନାନୋ ଭଳି ବଜେଟ ସମ୍ପନ୍ନ ଜନପ୍ରିୟ କାରକୁ ବଜାରକୁ ଆଣି ଏହାର ବିକାଶ ତଥା ପ୍ରଗତି କରିପାରିଥିଲେ । ରତନ ଟାଟା ବିଭିନ୍ନ ଭାରତୀୟ ବ୍ୟବସାୟିକ ପ୍ରତିଷ୍ଠାନର ସଦସ୍ୟ ତଥା ପ୍ରଧାନମନ୍ତ୍ରୀଙ୍କ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ସଦସ୍ୟ ଥିଲେ । ସେ ମଧ୍ୟ ଇଷ୍ଟ-ବେଷ୍ଟ ସେଣ୍ଟର, ରାଣ୍ଡ’ସ ସେଣ୍ଟର ଫର ଏସିଆ ପାସିଫିକ ପଲିସିର ବୋର୍ଡ ଅଫ ଗଭର୍ଣର୍ସର ସଭ୍ୟ ତଥା ବିଲ୍ ଏଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭାରତରେ ହେଉଥିବା ଏଡ୍ସ ନିରାକରଣ ପ୍ରକଳ୍ପର ପରିଚାଳନା ବୋର୍ଡର ସଦସ୍ୟ ରହିଥିବା ବେଳେ ଅନେକ ଅନ୍ତର୍ଜାତୀୟ ସଙ୍ଗଠନ ଯଥା – ମିଟସୁବିସି କର୍ପୋରେସନ, ଦି’ ଆମେରିକାନ ଇଣ୍ଟରନ୍ୟାସନାଲ ଗ୍ରୁପ, ଜେ.ପି. ମୋର୍ଗାନ ଚେଜ, ବୁଜ ଆଲେନ ହାମିଲଟନର ପ୍ରମୁଖ ପରାମର୍ଶଦାତା ରୂପେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ l ଏଥିସହିତ କାଲିଫର୍ଣିଆ ବିଶ୍ୱବିଦ୍ୟାଳୟ, କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଟ୍ରଷ୍ଟି ବୋର୍ଡର ସଭ୍ୟ ତଥା ଦକ୍ଷିଣ ଆଫ୍ରିକା ଗଣରାଜ୍ୟର ଇଣ୍ଟରନ୍ୟାସନାଲ ଇନଭେଷ୍ଟମେଣ୍ଟ କାଉନସିଲ ଏବଂ ନ୍ୟୁ-ୟର୍କ ଷ୍ଟକ ଏକ୍ସଚେଞ୍ଜର ପରାମର୍ଶଦାତା ରୂପେ କାର୍ଯ୍ୟ ତୁଲାଇଥିଲେ । “ଆଲଫା ସିଗମା ଫାଇ” ଯାହା (ୟାଲେଠାରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ୧୦ଟି ସର୍ବପୂରାତନ ସାମାଜିକ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ) ତାହାର ସେ ଅଂଶ ମଧ୍ୟ ଥିଲେ ।

ରତନ ଟାଟା ସମାଜସେବାକୁ ନିଜର ବ୍ରତ ରୂପେ ମାନି ନେଇଥିଲେ ଯାହା ଦ୍ୱାର ସେ ନିଜ ଆୟର ଅନେକ ଅଂଶ ଦାନ କରିଦେବା ସହିତ ସମାଜର ଅବହେଳିତ ଲୋକଙ୍କୁ ସାହାଯ୍ୟର ହାତ ବଢାଉଥିଲେ ଶ୍ରୀ ଟାଟା । ଅନେକ ଭାରତୀୟ ଯୁବପିଢିଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେଇ ବିଶ୍ୱର ଶ୍ରେଷ୍ଠ ନିଯୁକ୍ତିଦାତାର ପରିଚୟ ପାଇବା ସହିତ ଟାଟା ହସ୍ପିଟାଲ, ଘରୋଇ ଉପକରଣ, ତୈଳ ଓ ପ୍ରଯୁକ୍ତିବିଦ୍ୟାରେ ସେବା ପ୍ରଦାନ କରି ଆଜି ଏହି ଅନୁଷ୍ଠାନ ସର୍ବଶ୍ରେଷ୍ଠ ସ୍ବଦେଶୀ ଅନୁଷ୍ଠାନର ମାନ୍ୟତା ପାଇଛି । ଯାହା ପଛରେ ସ୍ବର୍ଗତ ରତନ ଟାଟାଙ୍କ ମୁଖ୍ୟ ଭୂମିକା ରହିଥିଲା ।

ନିଜର ଜୀବନ କାଳ ମଧ୍ୟରେ ଶ୍ରୀଯୁକ୍ତ ଟାଟା ସେ ଅନେକ ସମ୍ମାନସ୍ପଦ ପୁରସ୍କାର ପାଇଛନ୍ତି ଯାହା ମଧ୍ୟରେ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୦୮ ମସିହାରେ ପଦ୍ମ ବିଭୂଷଣ ତଥା ୨୦୧୨ ମସିହାରେ ରକଫେଲାର ଫାଉଣ୍ଡେସନଦ୍ୱାରା ଆଜୀବନ ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଥିବା ବେଳେ ୨୦୦୯ ମସିହାରେ ନାଇଟ କମାଣ୍ଡର ଅଫ ଦି’ ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର ଅନୁସାରେ ତାଙ୍କୁ ନାଇଟ (ସାର) ଉପାଧି ପ୍ରଦାନ କରାଯାଇଥିଲା। ସେ ମଧ୍ୟ ଭାରତର ସର୍ବାଧିକ ଶକ୍ତିଶାଳୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପରିଚିତ । ଟାଟା ନାମକ ଗୋଟିଏ ଗୋଟିଏ ଦେଶୀୟ କମ୍ପାନୀ କୁ ନେଇ ବିଶ୍ୱ ସ୍ତରରେ ପରିଚିତ କରାଇବା ସହିତ ଅଟୋ ମୋବାଇଲ, ଇଂଜିନିୟରିଂ,ଶକ୍ତି, ଗଣାମଧ୍ୟମ, ରିଟେଲ ପରି ବିଭାଗ ଉପରେ ନିଜର ସାମ୍ରାଜ୍ୟ ବିସ୍ତାର କରି ବାହାରତୀୟ ଅର୍ଥ ବ୍ୟବସ୍ଥାକୁ ମଜବୁତ କରିଥିଲେ ରତନ ଟାଟା ।

ପ୍ରତ୍ୟେକ ମଣିଷଙ୍କ ଜୀବନରେ କିଛି କାହାଣୀ ଥାଏ । ସେଥିରୁ ବା କିପରି ବଡ଼ ପଡିବେ ରତନ ଜୀ । ନିଜର ବ୍ୟବସାୟିକ ଜୀବନରେ ସେ ଯେତେ ସଫଳ ହେଲେ ମଧ୍ୟ ତାଙ୍କ ପାରିବାରିକ ଜୀବନରେ ଅନେକ ଦୁଃଖକୁ ସାମ୍ନା କରିଥିଲେ । ପିଲାଟି ଦିନରୁ ରତନଙ୍କୁ ମାତ୍ର ସାତ ବର୍ଷ ଓ ତାଙ୍କ ସାନଭାଇ ଜିମିଙ୍କୁ ପାଞ୍ଚ ବର୍ଷ ହୋଇଥିବା ବେଳେ ୧୯୪୦ ଦଶକର ମଧ୍ୟଭାଗରେ ତାଙ୍କ ପିତାମାତାଙ୍କ ବିଚ୍ଛେଦ ଘଟିଥିବାରୁ, ତାଙ୍କରି ବାଲ୍ୟଜୀବନ କଷ୍ଟମୟ ଥିଲା।ତାଙ୍କ ମା’ ଛାଡି ଚାଲିଯିବାପରେ ଦୁଇଭାଇଙ୍କର ପ୍ରତିପାଳନ ଜେଜେମା ନଭଜବାଇଙ୍କଦ୍ୱାରା ହୋଇଥିଲା i ତାଙ୍କର ଯୁବାବସ୍ଥାରେ ତାଙ୍କର ପ୍ରେମ ଜୀବନ ମଧ୍ୟ ଅସଫଳ ହୋଇଥିଲା ଫଳରେ ସେ ଆଜୀବନ ଅବିବାହିତ ହୋଇ ରହିଗଲେ i ନିଜର ପରିଣତ ବୟସରେ ଶାନ୍ତନୁ ନାଇଡୁ ନାମ୍ନୀ ଯୁବକ ତାଙ୍କ ଆଶାର ଲଉଡ଼ି ରୂପେ ଆସିଥିଲର ପ୍ରତିଟି ସ୍ଥାନରେ ଶାନ୍ତନୁ ଟାଟାଙ୍କ ପାଖେ ପାଖେ ରହୁଥିଲେ ।ଶ୍ଵାସ ଜନିତ ସମସ୍ୟାରେ କଷ୍ଟ ପାଇ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହାସପାତାଳରେ ୨୦୨୪ ଅକ୍ଟୋବର ୭ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ପରେ ଅକ୍ଟୋବର ୯ ତାରିଖ ରାତ୍ର ୧୧.୩୦ ମିନିଟ ସମୟରେ ୮୬ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଆଜି ସେ ଆମ ଗହଣରେ ନାହାନ୍ତି ସତ ମାତ୍ର ସମାଜ ପ୍ରତି ତାଙ୍କର ଥିବା ଅବଦାନକୁ ଆଜି ମନେପକାଉଛି ସମଗ୍ର ବିଶ୍ୱ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score