ନୂଆଦିଲ୍ଲୀ : ଦିଲ୍ଲୀ ଓ ଏନସିଆର ସହିତ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଯାହାଫଳରେ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି । ସେପଟେ ଦିଲ୍ଲୀ–ଏନସିଆର ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ହିମାଚଳ ପ୍ରଦେଶର ସିମଲା ଓ ମନାଲିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ରେକର୍ଡ ହୋଇଛି ।
ଏହାସହ ଜମ୍ମୁ–କାଶ୍ମୀରର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ତୁଷାରପାତ ଓ ମୈଦାନୀ ଅଞ୍ଚଳରେ ବର୍ଷା ହୋଇଥିବା ସୂଚନା ମିଳିଛି । ଖରାପ ପାଗର ପ୍ରଭାବରେ ଅନେକ ବିମାନ ସେବା ବାତିଲ ହୋଇଥିବା ବେଳେ ବହୁ ସଡ଼କପଥରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି ।
କାଶ୍ମୀର ଉପତ୍ୟକାରେ ପ୍ରବଳ ତୁଷାରପାତ ଯୋଗୁଁ ସମଗ୍ର ଅଞ୍ଚଳ ବରଫ ଚାଦରରେ ଘୋଡେଇ ହୋଇଥିବା ଦେଖାଯାଉଛି । ଏହାର ପ୍ରଭାବରେ ସଡ଼କରେ ଯାନବାହାନ ଓ ଆକାଶମାର୍ଗରେ ବିମାନ ଯାତାୟାତ ପ୍ରଭାବିତ ହୋଇଛି । ଏପରିକି ଜମ୍ମୁ–ଶ୍ରୀନଗର ଜାତୀୟ ରାଜପଥକୁ ସାମୟିକ ଭାବେ ବନ୍ଦ କରାଯାଇଛି ।
ସେହିପରି ଗୁଲମର୍ଗ ସହ ଉଚ୍ଚ ପାହାଡ଼ିଆ ଅଞ୍ଚଳ ଗୁଡ଼ିକରେ ଲଗାତାର ତୁଷାରପାତ ଚାଲିଥିବାରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ତେବେ ଆଜି ପ୍ରଳବ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) କରିଥିବା ପୂର୍ବାନୁମାନ କରିଥିଲା ।
ଅନ୍ୟପକ୍ଷରେ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ସାମାନ୍ୟ ସୁଧାର ଦେଖାଦେଇଛି । ଦିଲ୍ଲୀ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୨ ରେ ରେକର୍ଡ ହୋଇଥିବାବେଳେ ଏହା ଗମ୍ଭୀର ଶ୍ରେଣୀରୁ ଅତ୍ୟନ୍ତ ଖରାପ ଶ୍ରେଣୀକୁ ଆସିଛି। ସେହିପରି ନୋଏଡାରେ ଏକ୍ୟୁଆଇ ୨୯୩ ରେ ‘ଖରାପ’ ଶ୍ରେଣୀଭୁକ୍ତ ରହିଥିବା ବେଳେ ଗୁରୁଗ୍ରାମରେ ଏକ୍ୟୁଆଇ ୨୭୨ ରେକର୍ଡ ହୋଇ ଏହାକୁ ମଧ୍ୟ ‘ଖରାପ’ ଶ୍ରେଣୀରେ ଗଣାଯାଇଛି।
ପାଗରେ ହୋଇଥିବା ପରିବର୍ତ୍ତନର ପ୍ରଭାବରେ ଆସନ୍ତା ଜାନୁଆରୀ ୨୩ ଓ ୨୪ ତାରିଖରେ ବାୟୁ ଗୁଣବତ୍ତା ‘ମଧ୍ୟମ’ ଶ୍ରେଣୀରେ ରହିବ ବୋଲି ଆକଳନ କରାଯାଇଛି। ତେବେ ଜାନୁଆରୀ ୨୫ ତାରିଖରୁ ପୁଣିଥରେ ବାୟୁ ଗୁଣବତ୍ତା ‘ଖରାପ’ ଶ୍ରେଣୀକୁ ଯିବା ସମ୍ଭାବନା ଥିବା କଥା ଜଣାପଡ଼ିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
